ପଲିଥିନ୍‌ ମୋହ ଛାଡ଼ୁନି : ଆସୁଛି ବର୍ଷା, କାଳ ସାଜିବ ପଲିଥିନ୍‌

ଭୁବନେଶ୍ୱର : ଦଣ୍ଡ ପ୍ରଣୟନ କରି ଭୟ ଦେଖେଇଲେ। ପ୍ଲାଷ୍ଟିକ୍‌ ସମସ୍ୟା ସୀମା ଲିଙ୍ଘିବା ପରେ ‘ବାଏ ବ୍ୟାକ୍‌’ ନୀତି ଆପଣେଇ ଲୋଭ ଦେଖେଇଲେ। ଅଥଚ ଏସବୁ ପ୍ରଭାବ ପକାଇଲା ନାହିଁ। ଅକ୍ଟୋବର ୨ରୁ ପଲିଥିନ୍‌ ନିଷେଧ ପରେ କିଛିଦିନ ଧରି ନିୟମିତ ଧରପଗଡ଼ ଯୋଗୁଁ ପଲିଥିନ୍‌ ବ୍ୟବହାରରେ ରୋକ ଲାଗିଲା। କିନ୍ତୁ ଧରପଗଡ଼ ଧୀରେଧୀରେ ଥମିଯିବାରୁ ପୁଣି ପଲିଥିନ୍‌ରେ କାରବାର ଆରମ୍ଭ ହୋଇଗଲା। ଧରପଗଡ଼ ବେ‌‌ଳେ ବଳକା ରହିଯାଇଥିବା ପଲିଥିନ୍‌କୁ କେହିକେହି ଲୁଚେଇ କିମ୍ବା ପକେଟ୍‌ରେ ରଖି ସାମଗ୍ରୀ ବିକ୍ରି କରୁଥିଲେ। ଏବେ କିନ୍ତୁ ପୁଣି ପୂର୍ବବତ୍‌ ଖୁଲାମଖୁଲା ବିକ୍ରିବଟା ଆରମ୍ଭ ହୋଇଯାଇଛି। ପଲିଥିନ୍‌ର ବିକଳ୍ପକୁ ଗ୍ରହଣ କରିବାକୁ ବ୍ୟବସାୟୀ ନା ଗ୍ରାହକ କେହି ପ୍ରସ୍ତୁତ ନୁହନ୍ତି। ଗ୍ରାହକମାନେ ପ୍ରାରମ୍ଭରେ ପ୍ରତିବାଦ କରୁଥିଲେ। କେହିକେହି ବ୍ୟାଗ୍‌ ଧରି ପରିବା ହାଟକୁ ଯାଉଥିବା ଦେଖିବାକୁ ମିଳୁଥିଲା। ହେଲେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପର…। ପଲିଥିନ୍‌ ବ୍ୟବହାର ଯେତିକି ବାଧୁନାହିଁ, ଆସନ୍ତା ଦିନରେ ବର୍ଷା ହେଲେ ରାଜଧାନୀର ଜଳାର୍ଣ୍ଣବ ଚିତ୍ର ମନେ ପଡ଼ିଲେ ଛାତିରେ ଛନକା ପଶିଯାଉଛି। ବର୍ଷା ଦିନେ ଏହି ପଲିଥିନ୍‌ ନାଳମାନଙ୍କରେ ଜମି ରହି ପୋତି ହୋଇଯିବା ସହ ଚୋକ୍‌ ହୋଇ ପାଣି ଅଟକିଯିବାରୁ ‘ସହର ବନ୍ୟା’ ସୃଷ୍ଟି ହେବାର ନଜିର ରହିଛି। ତେଣୁ ପଲିଥିନ୍‌ର ଭୟାବହତା ନେଇ ଏବେଠୁ ସଚେତନ ନହେଲେ ଭୋଗିବାକୁ ପଡ଼ିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।

ଏବେ ବି ୫୦ % ପଲିଥିନ୍‌ ବ୍ୟବହାର ହେଉଛି

ପରିବେଶବିତ୍‌ଙ୍କ କହିବା ମୁତାବକ ଏବେ ଯେତିକି ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି ସେଥିମଧ୍ୟରୁ ପଲିଥିନ୍‌ ହେଉଛି ୫୦ ପ୍ରତିଶତରୁ ଅଧିକ। ସଉଦା, ପରିବା, ମାଛ, ଜଳଖିଆ, ହୋଟେଲ୍‌, ଷ୍ଟେସ୍‌ନାରି ଓ ମେଡିସିନ୍‌ ସବୁଠି ପଲିଥିନ୍‌ରେ ଜିନିଷର ବିକ୍ରିବଟା ହେଉଛି। ଠୁଙ୍ଗା କି କାଗଜ ପାଉଚ୍‌ ବ୍ୟବସାୟୀଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ। ଠୁଙ୍ଗା କିମ୍ବା କାଗଜ ବ୍ୟାଗ୍‌ରେ ଅଧିକ ଖର୍ଚାନ୍ତ ହେବାକୁ ପଡ଼ୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଜଣେ ପାଇକାରୀ ଗ୍ରୋସରି ବ୍ୟବସାୟୀ ମାସକୁ ୧ କୁଇଣ୍ଟାଲ୍‌ ପର୍ଯ୍ୟନ୍ତ ପଲିଥିନ୍‌ ବ୍ୟବହାର କରୁଛନ୍ତି। ରାଜଧାନୀରେ କେବଳ ଉଠା ଦୋକାନୀଙ୍କ ସଂଖ୍ୟା ୨୪ ହଜାର। ସ୍ଥାୟୀ ଦୋକାନ ମିଶିଲେ ଏହା ୩୫ ହଜାର ଅତିକ୍ରମ କରିବ। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ବେପାରୀ ଏବେ ବି ପଲିଥିନ୍‌ ଉପରେ ନିର୍ଭରଶୀଳ। ତେଣୁ ପଲିଥିନ୍‌ ବ୍ୟବହାର ଉପରେ ତୃଣମୂଳ ସ୍ତରରୁ ରୋକ୍‌ ଲାଗିପାରିନାହିଁ।

ଦୈନିକ ୭ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ୍‌

ପରିବେଶବିତ୍‌ ପ୍ରକାଶ ଜେନାଙ୍କ ସୂଚନା ମୁତାବକ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ପିଛା ଦିନକୁ ୫୦୦ ଗ୍ରାମ ବର୍ଜ୍ୟବସ୍ତୁ ବାହାରିଥାଏ। ରାଜଧାନୀର ଲୋକ ସଂଖ୍ୟା ୧୨ ଲକ୍ଷ ହୋଇଥିବାରୁ ଦୈନିକ ୬୦୦ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି। ଏଥିରୁ ୨ ତୃତୀୟାଂଶ ହେଉଛି ପ୍ଲାଷ୍ଟିକ୍‌। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ମୁତାବକ, ସହରରେ ଦୈନିକ ୪୦୦ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥାଏ। ସେଥିରୁ ୭ରୁ ୮ ଟନ୍‌ କେବଳ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌। ତେଣୁ ସହରବାସୀ ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟଗତ ପ୍ରଭାବ ଏବଂ କୃତ୍ରିମ ବନ୍ୟା ଭଳି ସମସ୍ୟା ଭୋଗୁଛନ୍ତି। ଏହି ବର୍ଜ୍ୟ ବର୍ଷାରେ ଭାସି ନାଳରେ ପଡ଼ି ନାଳକୁ ଚୋକ୍‌ କରି ବନ୍ୟା ସୃଷ୍ଟି କରାଇବ ବୋଲି ଶ୍ରୀ ଜେନା କହିଛନ୍ତି।

ଅଧିକ ଦାମ୍‌ ଯୋଗୁଁ କାଗଜ ବ୍ୟାଗ୍‌କୁ ମୁହଁ ମୋଡ଼ୁଛନ୍ତି

ବାସ୍ତବରେ ପଲିଥିନ୍‌ କିଣିବାକୁ ଗୋଟା ପିଛା ୫୦ ପଇସାରୁ ଟଙ୍କାଏ ଖର୍ଚ କରିବାକୁ ପଡ଼ୁଥିଲେ ହେଁ କାଗଜ କ୍ୟାରିବ୍ୟାଗ୍‌ର ଦାମ୍‌ ରହୁଛି ୫ରୁ ୭ଟଙ୍କା। ଠୁଙ୍ଗା ବ୍ୟବହାର କଲେ ବି ୫ ଗୁଣା ଅଧିକ ଖର୍ଚାନ୍ତ ହେବାକୁ ପଡ଼ୁଛି ବୋଲି ବ୍ୟବସାୟୀମାନେ କହୁଛନ୍ତି। ତେଣୁ ପଲିଥିନ୍‌ ବ୍ୟବହାରରେ ଯେତେ କଟକଣା ‌ଲଗେଇଲେ ମଧ୍ୟ କମ୍‌ ଦାମ୍‌ ଯୋଗୁଁ ବ୍ୟବସାୟୀମାନେ ପଲିଥିନ୍‌ ବେଶି ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର