ଭାସିଯିବ ୪୦ ବର୍ଷ ତଳର ପୋଲ!

ଡମଣା-ପଟିଆ ଗାଁ ରାସ୍ତା ଶୋଚନୀୟ

ଚନ୍ଦ୍ରଶେଖରପୁର: ରାଜଧାନୀ ଭିତର ରାସ୍ତା ଚକାଚକ୍‌। କେଉଁଠି ରାସ୍ତା ପିଚୁ ହୋଇଛି ତ ଆଉ କେଉଁଠି କଂକ୍ରିଟ। ହେଲେ ମୁଖ୍ୟ ରାସ୍ତାଠାରୁ ମାତ୍ର ୨୦୦ରୁ ୩୦୦ ମିଟର ଭିତରକୁ ଚାଲିଗଲେ ରାସ୍ତା ଅବସ୍ଥାର ପ୍ରକୃତ ଚିତ୍ର ପଦାରେ ପଡ଼ୁଛି। ଅସରାଏ ବର୍ଷାରେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼ୁଥିଲେ ମଧ୍ୟ ଏଥିପ୍ରତି କାହାର ଧ୍ୟାନ ନାହିଁ। ଏଭଳି ସ୍ଥିତି ଉପୁଜିଛି ଡମଣା ଗାଁରୁ ପଟିଆକୁ ସଂଯୋଗ କରୁଥିବା ରାସ୍ତାର। ବିଶେଷକରି ଉଭୟ ଗାଁକୁ ସଂଯୋଗ କରୁଥିବା ପୋଲର ସଂଗିନ ଅବସ୍ଥା ଦେଖିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ଲାଗୁଛି ୪୦ରୁ ଅଧିକ ବର୍ଷ ହେଲା ନିର୍ମାଣ ହୋଇଥିବା ଏହି ପୋଲ କେତେବେଳେ ଯେ ଭାସିଯିବ ତାହା କେହି କହିପାରିବେ ନାହିଁ। ଅସରାଏ ବର୍ଷାରେ ଏହି ପୋଲର ଦୁଇ ପାର୍ଶ୍ୱ ଖାଇ ଯାଉଛି। ଡ୍ରେନ୍‌ ଦୁଇ ପାର୍ଶ୍ୱ ବନ୍ଧରୁ ବି ଅତଡ଼ା ଖସୁଛି। ଏପରିକି ଗତ ବର୍ଷା ଏହି ପୋଲ ନିକଟରେ ଥିବା ବନ୍ଧର ଅଧା ଅଂଶ ଖାଇ ଯାଇଥିଲା। ଦୁଇଟି ବିଦ୍ୟୁତ ଖୁଣ୍ଟ ମଧ୍ୟ ବହୁ ଦିନ ହେଲା ଉପୁଡ଼ି ଏହି ଡ୍ରେନ୍‌ ମଧ୍ୟରେ ପଡ଼ିରହିଛି। ତାହାକୁ ଉଠାଯାଉନି କି ବନ୍ଧ ମରାମତି ହେଉନି। ଲୋକଙ୍କ ଘର ପ୍ରତି ବିପଦ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ଖାଇଯାଇଥିବା ପୋଲର ଦୁଇ ପାର୍ଶ୍ୱରେ ପ୍ରଶାସନ ପକ୍ଷରୁ ବାଲିବସ୍ତା ଓ ଡଷ୍ଟ ପକାଇ ମରାମତି କରାଯାଇଛି। ହେଲେ ସ୍ଥାୟୀ ପ୍ରତିକାର ହୋଇ ନାହିଁ। ରାସ୍ତାର ଉଚ୍ଚତାଠାରୁ ଏହି ପୋଲ ପ୍ରାୟ ୪ ଫୁଟ ତଳେ ରହିଛି। ଡ୍ରେନ୍‌ରେ ଅଧିକ ପାଣି ହେଲେ ସମ୍ପୂର୍ଣ୍ଣ ପୋଲ ବୁଡ଼ିଯାଉଛି। ଅଣ୍ଟାଏ ଉଚ୍ଚତାରେ ପାଣି ଚାଲୁଛି। ତଥାପି ଏହା ଉପରେ ଦୁଇ ଓ ଚାରି ଚକିଆ ଯାନ ଯାଉଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିିକାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଶ୍ରୀବିହାର େଓ୍ଵଲଫେୟାର ଆସୋସିଏସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦୁଇ ଗାଁ ମଧ୍ୟରେ ସଂଯୋଗ କରୁଥିବା ଏହି ପୋଲ ବହୁ ବର୍ଷର ହୋଇଗଲାଣି। ଅସ୍ଥାୟୀ ମରାମତି ହେଉଥିବାରୁ ଅସରାଏ ବର୍ଷାରେ ପୋଲ ପୂର୍ବ ଅବସ୍ଥାକୁ ଚାଲିଆସୁଛି। ଏହି ପୋଲ ଦେଇ ବୟସ୍କ ଲୋକ, ସ୍କୁଲ୍‌ କଲେଜର ପିଲାମାନେ ମଧ୍ୟ ଯାତାୟାତ କରଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହାର ସ୍ଥାୟୀ ପ୍ରତିକାର କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ବିଏମ୍‌ସି ଓ୍ଵାର୍ଡ ନମ୍ବର ୩ କର୍ପୋରେଟର୍‌ ଜୟନ୍ତୀ ଜେନା କହିଛନ୍ତି ଯେ ଏହି ରାସ୍ତା ଓ ପୋଲର ନିର୍ମାଣ ଦାୟିତ୍ୱ ପୃର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ୍‌କୁ ଦିଆଯାଇଛି। ବର୍ଷକ ତଳେ ଚିଠି ଲେଖାଯାଇଥିଲା। ହେଲେ ସେମାନେ ଏପର୍ଯ୍ୟନ୍ତ ସ୍ଥାୟୀ ମରାମତି କରିନାହାନ୍ତି। ଆଶା ରଖିଛୁ ଖୁବ୍‌ଶୀଘ୍ର ସେମାନେ ଏଦିଗରେ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର