ନିମ୍ନମାନର ଖାଦ୍ୟ ବିକ୍ରି: ୧୩ ହୋଟେଲ, ଦୋକାନ ନାଁରେ ମାମଲା

ଭୁବନେଶ୍ବର: ରାଜଧାନୀରେ ନିମ୍ନମାନର ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ୧୩ଜଣ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ମାଳ ମାଳ ହୋଟେଲ ଖୋଲିଥିବା ବେଳେ ସେଠାରେ ବିକ୍ରି ହେଉଥିବା ଖାଦ୍ୟର ମାନ କ’ଣ ରହିଛି ତାହାକୁ ନେଇ ଆଲୋଚନା ହେଉଛି। ତେବେ ରାଜ୍ୟରେ ମୋବାଇଲ ଭ୍ୟାନ୍‌ ଆସିବା ଓ ଏଫ୍‌ଏସ୍‌ଏସ୍‌ଏଆଇର ନିୟମ କାର୍ଯ୍ୟକାରୀ ହେବା ପରେ ହୋଟେଲଗୁଡ଼ିକର ମାନ ଯାଞ୍ଚ ହେଉଛି। କେବଳ ହୋଟେଲ ନୁହେଁ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି। ଗତ କିଛିମାସ ଭିତରେ ରାଜଧାନୀରେ ଉଭୟ ହୋଟେଲ ଓ ଦୋକାନୀଙ୍କୁ ଯାଞ୍ଚ କରାଯାଇ ୧୩ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିମ୍ନମାନର ଖାଦ୍ୟ ବିକ୍ରି କରିବା ଓ ମିସ୍ ବ୍ରାଣ୍ଡ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଗତ ୧୫ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ମୋବାଇଲ ପରୀକ୍ଷା ଭ୍ୟାନ୍‌ରେ ଖାଦ୍ୟ ସାମଗ୍ରୀର ପରୀକ୍ଷା କରାଯାଇଛି। ସମ୍ ହସ୍ପିଟାଲ ଅଞ୍ଚଳ, ପାହାଳ ଭଳି ଅଞ୍ଚଳରେ ହୋଟେଲରେ ଖାଦ୍ୟର ମାନ ପରୀକ୍ଷା ହୋଇଥିଲା। ତହିଁରୁ ୫ଟି ହୋଟେଲରେ ଖାଦ୍ୟର ମାନ ଠିକ୍ ନ ଥିବା ଜଣାପଡ଼ିଥିଲା। ସେସବୁ ହୋଟେଲଗୁଡ଼ିକର ନିଜର ଖାଦ୍ୟ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜଧାନୀରେ ନିୟମିତ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ଯେଉଁ ହୋଟେଲ କିମ୍ବା ଗ୍ରୋସେରି ଦ‌ୋକାନୀ ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି ସେମାନଙ୍କୁ ନୋଟିସ୍ କରାଯାଉଛି। ଗତ କିଛିମାସ ମଧ୍ୟରେ ୧୩ ହୋଟେଲ/ଗ୍ରୋସେରି ଦୋକାନୀଙ୍କ ବିରୋଧରେ ଉଭୟ ଏଫ୍‌ଏସ୍‌ଏସ୍‌ଏଆଇ ଓ ଆଡଜୁକେଟିଂ ଅଧିକାରୀଙ୍କ ତରଫରୁ ମାମଲା ରୁଜୁ ହୋଇଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଏହାସହ ରାଜଧାନୀରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ ଓ ଲାଇସେନ୍‌ସର ନବୀକରଣରୁ ଆଦାୟ ହେଉଥିବା ଅର୍ଥ ୧କୋଟି ୩୦ଲକ୍ଷରେ ପହଞ୍ଚିଛି। ଅଧିକରୁ ଅଧିକ ଖାଦ୍ୟ ବ୍ୟବସାୟୀ କିଭଳି ଲାଇସେନ୍‌ସ ନେବେ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର