ମହାବାତ୍ୟାର ୧୯ ବର୍ଷ ପରେ ବି ପଲିଥିନ୍‌ ଭରସା

ବାଲିଅନ୍ତା : ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ପାରିବାସୁଦେଇପୁର ଗ୍ରାମର ସୁମିତ୍ରା ଓଝାଙ୍କ ପାଇଁ ଇନ୍ଦିରାଆବାସ ଯୋଜନା ଅପହଞ୍ଚ ହୋଇଛି। ମହାବାତ୍ୟାର ଦୀର୍ଘ ୧୯ ବର୍ଷ ପରେ ଏହି ପରିବାର ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ସୁଦ୍ଧା ପଲିଥିନ୍‌ ତଳେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ତାଙ୍କ ପରିବାର। ପରିବାର କହିଲେ ତାଙ୍କର ମାନସିକ ବିକାରଗ୍ରସ୍ତ ସ୍ୱାମୀ ଉମାକାନ୍ତ ଓଝା ଓ ମାମୁଘରେ ରହି ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ସୁଚିତ୍ରା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରାକୋଷ୍ଠରେ ଗୁହାରି କରିବାର ଦୀର୍ଘ ୩ ମାସପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ପଲିଥିନ୍‌ ଘେରା ଝୁମ୍ପୁଡ଼ି ଘରେ ବାସ କରୁଥିବାବେଳେ ଗତ ରବିବାର ପୂର୍ବାହ୍ନରେ ନାଗ ସାପ ମୁହଁରୁ ଅଳ୍ପକେ ବର୍ତିଯାଇଛନ୍ତି ଏହି ଦମ୍ପତି। ଏ ସଂପର୍କରେ ଖବର ପାଇ ସ୍ନେକ ହେଲ୍‌ପଲାଇନ୍‌ର ଜଣେ ସଦସ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରି ନେଇଥିଲେ। ପାରିବାରିକ ସମସ୍ୟା ପାଇଁ ସୁମିତ୍ରାଙ୍କୁ ଘର ମିଳୁ ନଥିବା କୁହାଯାଉଛି। ଉମାକାନ୍ତ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି। ୨୦୦୬-୦ ୭ରେ ପ୍ରଥମ ପତ୍ନୀଙ୍କ ନାମରେ ଇନ୍ଦିରା ଆବାସ ଯୋଜନାରେ ୨୫ ହଜାର ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। କାର୍ଯ୍ୟାଦେଶ ପାଇବା ପରେ ପ୍ରଥମ ପତ୍ନୀ ୧୦ ହଜାର ଟଙ୍କା ବିଲ୍‌ ଉଠାଇ ନେଇ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ଏହାପରେ ଉମାକାନ୍ତ ସୁମିତ୍ରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବାସ୍‌ ତା ’ ପରଠୁ ଉମା ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ତାଙ୍କୁ ୬୦ ବର୍ଷ ଛୁଇଁ ସାରିଥିଲେ ମଧ୍ୟ ଭତ୍ତା ବି ମିଳିପାରିନି। ସରକାରଙ୍କ ଅନ୍ତୋଦୟ ଯୋଜନାରେ ମିଳୁଥିବା ୩୫ କିଲୋ ଚାଉଳ ଏବେ ସେମାନଙ୍କର ବଞ୍ଚିବାର ମାଧ୍ୟମ ପାଲଟିଛି। ମାନବିକତା ଦୃଷ୍ଟି କୋଣରୁ ଏଦିଗରେ ଜିଲ୍ଲାପାଳ ତଥା ବିଭାଗୀୟ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଘର ପାଇବା ନେଇ ସୁମିତ୍ରା ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ପଞ୍ଚାୟତିରାଜ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବିଡିଓ ଓ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅନେକଥର ଅଭିଯୋଗ କରିଛନ୍ତି। ହେଲେ କିଛି ଫଳ ମିଳିନି। ଉପରୋକ୍ତ ସମସ୍ୟା ସଂପର୍କରେ ସ୍ଥାନୀୟ ସରପଞ୍ଚ ବାମନ ଚରଣ ଭୋଇଙ୍କୁ ପଚାରିବାରେ ପଞ୍ଚାୟତର ୧୨ଟି ଓ୍ଵାର୍ଡକୁ ମାତ୍ର ୮ଟି ବିଜୁ ପକ୍କା ଘର ମିଳିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କୁ ଆଉ ପୁନର୍ବାର ଘର ପ୍ରଦାନ କରିବା ସମ୍ଭବ ହେଉନି। କିନ୍ତୁ ପରବର୍ତୀ ସମୟରେ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର