ପାଓ୍ଵାରହାଉସ୍‌ ଛକରେ ଅଘଟଣ : ଦବିଗଲା ରାଜଧାନୀ ରାସ୍ତା

ଅଚାନକ ଖାଲରେ ଫସିଲା କଲେଜ ବସ୍‌
ଅଳ୍ପକେ ବର୍ତିଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଭୂତଳ କେବୁଲ ବିଛାଇବାବେଳେ ଫାଟିଛି ପାଣି ପାଇପ୍‌

ଭୁବନେଶ୍ୱର : ସୋମବାର ଅପରାହ୍ନରେ ପାଓ୍ଵାର ହାଉସ୍‌ ଛକରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଇପ୍‌ ଫାଟି ଯିବାରୁ ପ୍ରାୟ ୧୦ଫୁଟ ଲମ୍ବର ରାସ୍ତା ଭୁଶୁଡ଼ି ପଡ଼ିଛି। ଏହି ଖାଲରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବସ୍‌ ଫସି ଯାଇଥିଲେ ହେଁ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ହଠାତ୍‌ ରାସ୍ତାରେ ପାଣି ଚାଲିବାରୁ ପାଓ୍ଵାରହାଉସ୍‌ ଛକ ଏବଂ ଏହାର ସଂଯୋଗକାରୀ ସମସ୍ତ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇ ଅସମ୍ଭାଳ ଭିଡ଼ ଜମିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତାର ମରାମତି ଚାଲିଥିବାବେଳେ ରାତି ପର୍ଯ୍ୟନ୍ତ ପାଣିର ସୁଅ ଛୁଟିଥିବାରୁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଲ୍‌ଆଣ୍ଡ୍‌ଟି ପକ୍ଷରୁ ଏହି ଅଞ୍ଚଳରେ ଭୂତଳ କେବୁଲ୍‌ ବିଛାଇବା ପାଇଁ ଡ୍ରିଲିଂ କରାଯାଉଥିବାବେଳେ ପାଣି ପାଇପ୍‌ ଫାଟି ଯାଇଥିଲା। ରାସ୍ତାରୁ ପ୍ରାୟ ୭ଫୁଟ ତଳେ ଥିବା ପାଣି ପାଇପ୍‌ ଫାଟିବା ଦ୍ୱାରା ଏହି ସ୍ଥାନରେ ରାସ୍ତା ଦବିି ଖାଲ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୁଣ୍ଡୁଳିରୁ ୟୁନିଟ-୪ସ୍ଥିତ ସବ୍‌ ଡିଭିଜନକୁ ଏହି ପାଇପ୍‌ ଦ୍ୱାରା ପାଣି ଆସିଥାଏ। ପାଣି ପାଇପ୍‌ ଫାଟିବା ପରେ ୟୁନିଟ-୪ ସବଡିଭିଜନକୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି।

ଜନସ୍ୱାସ୍ଥ୍ୟ ବିଭାଗର ଭୁବନେଶ୍ୱର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ରଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଫାଟିଥିବା ପାଣି ପାଇପ୍‌ ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ରାସ୍ତା ଖୋଳା ଚାଲିଥିବାବେଳେ ଫାଟି ଯାଇଥିବା ସିଆଇ ପାଇପ୍‌କୁ କଢ଼ାଯାଇ ନୂଆ ପାଇପ୍‌ ଲାଗିବ। ଏହାପରେ ପାଣି ଯୋଗାଣ ହେବ। ଆଜି ରାତି ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଜାତୀୟ ରାଜପଥରେ ଅଦିନିଆ ବନ୍ୟା : ରାସ୍ତାରେ ନର୍ଦମା ପାଣିର ସୁଅ

ଖଣ୍ଡଗିରି : ଡୁମୁଡୁମା ଛକରୁ ଖଣ୍ଡଗିରିକୁ ଲମ୍ବିଥିବା ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ରେ ନର୍ଦମା ପାଣିର ସୁଅ ଛୁଟିଛି। ପାଣି ତଳେ ବଡ଼ ବଡ଼ ଖାଲ। ତେଣୁ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ଉଚ୍ଚରେ ପାଣି ଛିଡ଼ା ହୋଇଛି। ପ୍ରାୟ ୧୦୦ ମିଟର ଲମ୍ବ ଯାଏଁ ଏମିତି ଅବସ୍ଥା। ଫଳରେ ଏହି କୃତ୍ରିମ ବନ୍ୟା ଯୋଗୁଁ ନିତିଦିନିଆ ରାସ୍ତା ଉପରେ ଚଳାଚଳ ପାଇଁ ନିର୍ଭର କରୁଥିବା ହଜାର ହଜାର ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସଂଗିନ୍‌ ପରିସ୍ଥିତିର ସମାଧାନ ପାଇଁ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କିଛି ସୁଫଳ ମିଳିନଥିବା ସ୍ଥାନୀୟ ଲୋକମାନେ ବଡ଼ କ୍ଷୋଭର ସହ କହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିରୁ ବାହାରୁଥିବା ଏହି ନର୍ଦମା ଜଳକୁ ନିର୍ଧାରିତ ଡ୍ରେନ୍‌ରେ ପକାଇବା କଥା। ମାତ୍ର ବିଏମ୍‌ସି କର୍ତୃପକ୍ଷ ତାହାକୁ ଡ୍ରେନ୍‌ରେ ନ ପକାଇ ବାଟରେ ରାସ୍ତା ଉପରେ ଛାଡ଼ି ଦେଇଛନ୍ତି। ଫଳରେ ନିଷ୍କାସନ ପାଇଁ ବାଟ ନ ପାଇ ସବୁ ମଇଳା ପାଣି ଏବେ ଜାତୀୟ ରାଜପଥର ସର୍ଭିସ୍‌ ରୋଡ୍‌ରେ ଜମି ରହୁଛି। ପାଣି ଜମି ରହିବା ଫଳରେ ରାସ୍ତାରୁ ପିଚୁ ଉଠିଗଲାଣି ଓ ପାଣି ତଳେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ତେଣୁ ଦୁଇଚକିଆ ଯାନରେ ଯାଉଥିବା ଲୋକେ ଖାଲରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରତିିଦିନ ବୟସ୍କ, ମହିଳା ଓ ଯୁବତୀମାନେ ଦୁଇଚକିଆ ଯାନରୁ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। କିଛି ଲୋକ ପାଣିରେ ପଶିବାକୁ ଏଡ଼ାଇବାକୁ ଯାଇ ଭୁଲ୍‌ ପାର୍ଶ୍ୱ ହେଲେ ବି ଜାତୀୟ ରାଜପଥ ଉପରକୁ ଉଠି ଯାଉଛନ୍ତି ଓ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

ଏ ସଂପର୍କରେ ସ୍ଥାନୀୟ କର୍ପୋରେଟରମାନଙ୍କ କହିବା କଥା ହେଲା ଜାତୀୟ ରାଜପଥ କର୍ତୃପକ୍ଷ ସେମାନଙ୍କ ଅଭିଯୋଗକୁ କର୍ଣପାତ କରୁନାହାନ୍ତି। ଏକଦା ସର୍ଭିସ୍‌ ରୋଡ୍‌ ପାର୍ଶ୍ୱରେ ହୋଇଥିବା ସରକାରୀ ଜମି ଜବରଦଖଲ ହଟାଇବାକୁ ଆସି ସେମାନେ ଫେରିଥିବାରୁ ଆଉ ଶୁଣୁନାହାନ୍ତି। ତେଣୁ ସମସ୍ୟା ସମାଧାନ ହୋଇପାରୁନାହିଁ। ଜବରଦଖଲ ହୋଇଥିବା ସରକାରୀ ଜମି ଉଦ୍ଧାର ହେଲେ ବିଏମ୍‌ସି ହେଉ କି ଜାତୀୟ ରାଜପଥ କର୍ତୃପକ୍ଷ ହୁଅନ୍ତୁ, ଡ୍ରେନ୍‌ ନିର୍ମାଣ ହୋଇପାରନ୍ତା ଓ ନର୍ଦମା ଜଳ ବଡ଼ ଡ୍ରେନ୍‌କୁ ଯାଇପାରନ୍ତା ବୋଲି ସେମାନେ ଅସହାୟ ଓ ନିରୁପାୟ ହୋଇ କହିଛନ୍ତି। କିନ୍ତୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ, ସ୍ଥାନୀୟ ଲୋକେ ଭିନ୍ନ ବାଟ ଧରିବେ ବୋଲି ସୂଚନା ମିଳିଛି।

ରାସ୍ତା ଉପରେ ଡ୍ରେନ୍‌ ପାଣି ପଚପଚ

ଭୁବନେଶ୍ୱର : ଦିନ ରାତି ଅନବରତ ରାସ୍ତା ଉପରେ ବୋହି ଚାଲିଛି ଡ୍ରେନ୍‌ ପାଣିର ଧାର। ସେଥିରୁ ପୁଣି ନାକଫଟା ଦୁର୍ଗନ୍ଧ ବାହାରୁଛି। ଏହା ହେଉଛି ଓ୍ଵାର୍ଡ ନଂ ୩୭ ଅର୍ନ୍ତଗତ ଶ୍ରୀକୃଷ୍ଣ ନଗର ଲେନ-୧ର ରାସ୍ତା ଉପରେ ଜମି ରହିଥିବା ଡ୍ରେନ ପାଣିର ଦୃଶ୍ୟ। ଖୋଦ୍‌ କର୍ପୋରେଟରଙ୍କ ଘର ନିକଟରେ ଯଦି ଏଭଳି ଦୟନୀୟ ଅବସ୍ଥା ତେବେ ସମ୍ପୂର୍ଣ୍ଣ ଓ୍ଵାର୍ଡର ଅବସ୍ଥା କିପରି ହୋଇଥିବା ତାହା ଏଥିରୁ ଅନୁମେୟ। ଦୀପ ତଳ ଅନ୍ଧାର ପରି କର୍ପୋରେଟରଙ୍କ ଘର ନିକଟସ୍ଥ ରାସ୍ତା ଓ ଡ୍ରେନ୍‌ର ଏଭଳି ଦୁରବସ୍ଥାକୁ ଦୂର କରିବାକୁ କର୍ପୋରେଟର ବି ଧ୍ୟାନ ଦେଉନାହାନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଡ୍ରେନ୍‌ ସଫେଇର ଅଭାବ ଏବଂ ରକ୍ଷଣାବେକ୍ଷଣରେ ଅବହେଳା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଅଳିଆ ଜମି ଡ୍ରେନ୍‌ର ରାସ୍ତା ବନ୍ଦ ହୋଇଯାଇଥିବାରୁ ଏଥିରୁ ପାଣି ଉଛୁଳି ଯିବାଆସିବା ରାସ୍ତାରେ ଭାସୁଛି। ଦୀର୍ଘ ଦିନର ଆବର୍ଜନାପୂର୍ଣ୍ଣ ପାଣି ରାସ୍ତାରେ ଜମି ରହି ଦୁର୍ଗନ୍ଧ ସୃଷ୍ଟି କରୁଛି। ରାସ୍ତାରେ ଚାଲିବା ତ ଦୂରର କଥା ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ସୁଦ୍ଧା ପସନ୍ଦ କରୁନାହାଁନ୍ତି। ଡ୍ରେନ୍‌ ପାଣି ରାସ୍ତାରୁ ଯାଇ ଲୋକମାନଙ୍କ ଘରେ ପଶିଲାଣି। ଏଭଳି ପୂତିଗନ୍ଧମୟ ପରିବେଶ ନାନା ରୋଗକୁ ଯେମିତି ଆମନ୍ତ୍ରଣ ଦେଉଛି। ତେବେ ଏହା ଦିନେ କି ଦୁଇଦିନର ସମସ୍ୟା ନୁହେଁ । ୨୦୦୫ ମସିହାରୁ ଲୋକମାନେ ଏଭଳି ହଇରାଣ ହରକତ ହେଉଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନାହିଁ। ଏ ନେଇ କର୍ପୋରେଟରଙ୍କଠାରୁ ଆରମ୍ଭ କରି ମେୟରଙ୍କ ନିକଟରେ ଗୁହାରି କରିଥିଲେ ବି କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। କ୍ଲିନ ସିଟି ଗ୍ରିନ୍‌ ସିଟି ସହରର ସ୍ୱଚ୍ଛତା ନେଇ ଡେଙ୍ଗୁରା ପିଟୁଥିବା ବିଏମସିର କାର୍ଯ୍ୟ ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ଏହି ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି କାହିଁକି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ ତାହାକୁ ନେଇ ସାଧାରଣରେ ଉପରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏତେ ଦୁର୍ଦ୍ଦଶା ଭିତରେ ବଞ୍ଚୁଥିଲେ ବି ସେମାନଙ୍କୁ ନାଲି ଆଖି ଦେଖାଯାଉଥିବାରୁ କାହା ବିରୋଧରେ ମୁହଁ ଖୋଲିବାକୁ ସ୍ଥାନୀୟ ଲୋକେ ଡରୁଛନ୍ତି।

ସମ୍ବନ୍ଧିତ ଖବର