୯ ଲକ୍ଷ ଟଙ୍କା ହଡ଼ପ କରି ପୋଷ୍ଟମାଷ୍ଟର୍‌ ଚମ୍ପଟ

ଏତଲାର ଦେଢ଼ ମାସ ପରେ ମଧ୍ୟ ମାମଲା ରୁଜୁ କରୁନି ପୁଲିସ

ଭୁବନେଶ୍ବର: କୌଣସି ଚିଟ୍‌ଫଣ୍ଡ ସଂସ୍ଥା ନୁହେଁ। କେନ୍ଦ୍ର ସରକାର ଅଧୀନରେ ଥିବା ପୋଷ୍ଟ ଅଫିସ‌‌ରେ ଜମାକାରୀ ହୋଇଛନ୍ତି ଠକେଇର ଶିକାର। ଏ ନେଇ ୪ ଜଣ ଜମାକାରୀ ନୂଆପଲ୍ଲୀ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। କିନ୍ତୁ ପୁଲିସ ଏତଲାକୁ ଗ୍ରହଣ କରିବା ବଦଳରେ ଦିନ ଗଡ଼ାଇ ଚାଲିଛି। ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଧୀନ ସିଆର୍‌ପିଏଫ୍ କ୍ୟାମ୍ପସ୍‌ ମଧ୍ୟରେ ଥିବା ପୋଷ୍ଟ ଅଫିସ୍‌ରେ। ପୋଷ୍ଟମାଷ୍ଟର ଜଣକ ୪ ଜଣ ଜମାକାରୀଙ୍କଠାରୁ ୯ ଲକ୍ଷ ଟଙ୍କା ହଡ଼ପ କରି ଚମ୍ପଟ ମାରିଛନ୍ତି। ଜମାକାରୀ ବୀରଭଦ୍ର ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସେ ୨୦୧୬ରେ ଅବସର ଗ୍ରହଣ କରିଥିଲେ। ଅବସରବେଳେ ସେ ପାଇଥିବା ୫ ଲକ୍ଷ ଟଙ୍କାକୁ ପୋଷ୍ଟ ଅଫିସ୍‌ରେ ଫିକ୍ସ ଜମା କରିବାକୁ ପୋଷ୍ଟମାଷ୍ଟର ସଚ୍ଚିଦାନନ୍ଦ ପଟ୍ଟନାୟକ ପ୍ରବର୍ତାଇଥିଲେ। କହିଥିଲେ ୫ ଲକ୍ଷ ଟଙ୍କା ଜମା ରଖିଲେ, ମାସକୁ ୪୦ ହଜାର ଟଙ୍କା ସୁଧ ମିଳିବ। ପୋଷ୍ଟମାଷ୍ଟର ସଚ୍ଚିଦାନନ୍ଦଙ୍କ କଥାକୁ ବିଶ୍ବାସକୁ ନେଇ ସେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ତେବେ ଦୁଇ ମାସ ତଳେ ବୀରଭଦ୍ରଙ୍କ ନିକଟରୁ ପୋଷ୍ଟ ଅଫିସ୍‌ରୁ ଏକ ଫୋନ୍ କଲ୍ ଆସିଥିଲା, କୁହାଯାଇଥିଲା କି ତୁମେ ତୁମ ଆକାଉଣ୍ଟ ବନ୍ଦ କରି ଦେଇଛ କି ? ଏହି ପ୍ରଶ୍ନ ଶୁଣି ବୀରଭଦ୍ର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରଦିନ ସେ ପୋଷ୍ଟ ଅଫିସ ଯାଇ ଜାଣିବାକୁ ପାଇଥିଲେ କି, ତାଙ୍କ ଆକାଉଣ୍ଟ ବନ୍ଦ ହୋଇ ଯାଇଛି। ପୋଷ୍ଟମାଷ୍ଟର୍‌ ସଚ୍ଚିଦାନନ୍ଦ ଜାଲ୍‌ ଦସ୍ତଖତ କରି ସବୁତକ ଟଙ୍କା ଉଠାଇ ନେଇ ଯାଇଛନ୍ତି। ପରେ ପରେ ଜଣାପଡ଼ିଥିଲା କି ଦୀନବନ୍ଧୁ ସାହୁ, ନିରୁପମା ଜେନା ଓ ଶାନ୍ତି ପାଢ଼ୀ ପ୍ରମୁଖ ମଧ୍ୟ ପୋଷ୍ଟମାଷ୍ଟର୍‌ଙ୍କ ଦ୍ବାରା ଠକେଇର ଶିକାର ହୋଇଛନ୍ତି। ଏ ନେଇ ଜମାକାରୀମାନେ ଫରେଷ୍ଟପାର୍କରେ ଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ପୋଷ୍ଟମାଷ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି ବୋଲି ଅଧୀକ୍ଷକ ଜମାକାରୀମାନଙ୍କୁ କହିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି,ଏ ନେଇ ଜମାକାରୀମା‌ନେ ନୂଆପଲ୍ଲୀ ଥାନାରେ ସଂପୃକ୍ତ ପୋଷ୍ଟମାଷ୍ଟର ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏଯାଏ ମାମଲା ରୁଜୁ କରିନାହିଁ। ବରଂ ଜମାକାରୀମାନଙ୍କୁ ଆଜି, କାଲି କହି ଦିନ ଗଡ଼ାଇ ଚାଲିଛି। ତେବେ ଏ ସମ୍ପର୍କରେ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ କହିଛନ୍ତି, ଏ ନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସଚ୍ଚିଦାନନ୍ଦଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସାରିଲାଣି। ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର