ସବ୍‌ ପୋଷ୍ଟ ଅଫିସ୍‌ ବଦଳରେ ହେବ ବ୍ରାଞ୍ଚ ଅଫିସ୍‌

ସର୍ବ ପୁରାତନ ପୋଷ୍ଟ ଅଫିସ୍‌ରେ ତାଲା

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ସର୍ବପୁରାତନ ଡାକଘର ବନ୍ଦ ହେବା ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଡାକଘର ଆଗରେ ବସି ରହିବା ସହ ଏହାକୁ ତାଲା ପକାଇଥିଲେ। ଫଳରେ ଅଫିସ ଭିତରୁ କୌଣସି ସମଗ୍ରୀକୁ ବାହାର କରାଯାଇ ପାରି ନଥିଲା।
ସୂଚନା ଅନୁଯାୟୀ ସ୍ଥାନୀୟ ବଢ଼େଇବାଙ୍କ ଛକଠାରେ ଥିବା ହରଚଣ୍ଡୀ ସାହି ଡାକଘର ଭୁବନେଶ୍ୱରର ସର୍ବ ପୁରାତନ ପୋଷ୍ଟ ଅଫିସ୍‌। ଏହା ବନ୍ଦ ହୋଇଯିବା ସହ ଏହାର ସାମଗ୍ରୀ ଆଜି ବାହର କରାଯିବ ବୋଲି ଯୋଜନା ଥିଲା। ଏନେଇ ଆଜି ଡାକ ଘର କର୍ମଚାରୀମାନେ ଆସି ସମଗ୍ରୀ ବାହର କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଡାକଘରେ ତାଲା ପକାଇ ଦେଇଥିଲେ। ଏହା ବନ୍ଦ କଲେ ପୁରୁଣା ଭୁବନେଶ୍ୱରର ସାହି ବାସିନ୍ଦାଙ୍କ ସମସ୍ୟା ହେବ ବୋଲି ପ୍ରତିବାଦ କରିଥିଲେ। ସ୍ଥାନୀୟ ଯୁବ ନେତା ଶିବ ବେହେରାଙ୍କ ନେତୃତ୍ଵରେ ଲୋକେ ଡାକଘର ଆଗରେ ବସି ରହିଥିଲେ। ତେବେ ସବ୍‌ ପୋଷ୍ଟମାଷ୍ଟର ଏଠାକୁ ଆସି ନଥିଲେ କିମ୍ବା ଡାକଘର ଖୋଲା ଯାଇ ନଥିଲା। ଖବର ପାଇ ସ୍ଥାନୀୟ ବିଜେପି ନେତା ଅମିୟ ଦାଶ ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଏନେଇ ଭୁବନେଶ୍ୱର ଡାକଘର ସହିତ କଥାବାର୍ତା ହୋଇଥିଲେ। ସେଠାରେ ସବ୍‌ ପୋଷ୍ଟ ଅଫିସ୍‌ ବନ୍ଦ ହେଉଥିବାରୁ ଏହା ବଦଳରେ ସପ୍ତାହକ ମଧ୍ୟରେ ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନେଇ ଭୁବନେଶ୍ୱର ସ୍ୱତନ୍ତ୍ର ପୋଷ୍ଟ ମାଷ୍ଟର କୁହନ୍ତି ସେଠାରେ ୱାର୍କ ଲୋଡ୍‌ ନଥିବାରୁ ଏହି ସବ୍‌ ପୋଷ୍ଟ ଅଫିସ୍‌ ବନ୍ଦ ହୋଇ ଏହା ବ୍ରାଞ୍ଚ ଅଫିସ୍‌ କରାଯିବ। ଏହା ବନ୍ଦ ହେବାକୁ ନିର୍ଦେଶ ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏନେଇ ହସ୍ତକ୍ଷେପ କରି ବ୍ରାଞ୍ଚ ଅଫିସ୍‌ କରିବା ପାଇଁ ଅନୁରୋଧ କରିଛନ୍ତି। ସପ୍ତାହ ମଧ୍ୟରେ ଏହା କରାଯିବ।

ସମ୍ବନ୍ଧିତ ଖବର