ସନ୍ଦିଗ୍ଧଙ୍କ ଘରେ ଲାଗିଲା ପୋଷ୍ଟର

ଚନ୍ଦ୍ରଶେଖରପୁର : କରୋନା ସଂକ୍ରମିତ ବ୍ୟକ୍ତି ଯେଉଁମାନଙ୍କ ଘରକୁ ଯାଇଛନ୍ତି ସେମାନଙ୍କୁ ୧୪ଦିନ ଘର ଭିତରେ ସଙ୍ଗରୋଧରେ ରହିବା ପାଇଁ ତାଗିଦ କରାଯାଇଛି। ଫଳରେ ଉକ୍ତ ସନ୍ଦିଗ୍ଧଙ୍କ ଘରେ ସ୍ବାସ୍ଥ୍ୟ ବିଭାଗ ପୋଷ୍ଟର ମାରିବା ପରେ ଏବେ ଗ୍ରାମରେ କରୋନା ନେଇ କୋକୁଆ ଭୟ ଦେଖାଯାଇଛି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ବାହାର ଲୋକଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଏମିତି ପରିସ୍ଥିତି ଦେଖାଯାଇଛି କଲ୍ୟାଣପୁର ପଞ୍ଚାୟତରେ ଥିବା ଦୁଇଟି ଗ୍ରାମରେ।

କିଛିଦିନ ପୂର୍ବେ ସେହି ଗ୍ରାମକୁ ବିଦେଶରୁ ଦୁଇ ଜଣ ଯୁବକ ଆସିଥିଲେ। ସେଠାରେ ନିଜ ସମ୍ପର୍କୀୟଙ୍କ ଘରେ ଦିନେ ଦୁଇ ଦିନ ରହିବା ପରେ ନିଜ ଘର କଟକକୁ ଚାଲିଯାଇଥିଲେ। କଟକରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଦିନ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା। ସେହି ଯୁବକମାନେ ବିମାନବନ୍ଦରରୁ ଫେରି ଯେଉଁ ସବୁ ସ୍ଥାନ ବୁଲିଥିଲେ ସେଠାକାର ଲୋକଙ୍କୁ ମଧ୍ୟ ୧୪ ଦିନ ସଙ୍ଗରୋଧ ସହ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟବିଭାଗ ଅଧିକାରୀ କହିଛନ୍ତି। ଏହାକୁ ନେଇ ସେମାନେ ଯାଇଥିବା ଦୁଇ ସମ୍ପର୍କୀୟଙ୍କ ଘରେ ଏବେ ପୋଷ୍ଟର ଲଗାଯାଇଛି। ସନ୍ଦିଗ୍ଧ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗ୍ରାମବାସୀ ନନ୍ଦନକାନନ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଚାପା ଉତ୍ତେଜନା ଦେଖାଯିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ସନ୍ଦିଗ୍ଧଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ଗ୍ରାମବାସୀ କୌଣସି ପ୍ରକାର ଭୟଭୀତ ନହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ସଚେତନାତ୍ମକ ବାର୍ତା ପ୍ରଚାର କରାଯାଇଛି। ଅପରପକ୍ଷରେ ଗ୍ରାମାଞ୍ଚଳ ଲୋକମାନେ ଭୟଭୀତ ନହେବା ପାଇଁ ସ୍ଥାନୀୟ ସ୍ବେ‌ଚ୍ଛାସେବୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟବିଭାଗ ଅଧିକାରୀମାନେ ନିବେଦନ କରିଛନ୍ତି। ଏହା ସହିତ ଲକ୍‌ଡାଉନ୍ ନିୟମକୁ ମାନି ସମେସ୍ତ ଘର ଭିତରେ ରହିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର