ଗ୍ରାହକଙ୍କ ସହ ଖେଳୁଛି ବିସିଡିଡି-୨ : ବିନା ସୂଚନାରେ ପାୱାର୍‌ କଟ୍‌, ଅସ୍ତବ୍ୟସ୍ତ ହେଲେଣି ରାଜଧାନୀବାସୀ

ଚନ୍ଦ୍ରଶେଖରପୁର : ଡ୍ୟାମ୍‌ରେ ଭରପୂର ପାଣି। ବର୍ଷା ବି ଜାରି ରହିଛି। ବିଜୁଳି ‌ଯୋଗାଣରେ କୌଣସି ବାଧା ନାହିଁ। ପାୱାର କଟ୍‌ ନେଇ ମଧ୍ୟ ରାଜ୍ୟ ସରକାର ଘୋଷଣା କରିନାହାନ୍ତି। କିନ୍ତୁ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ୍‌ (ବିସିଡିଡି-୨) ଅଧୀନରେ ଏବେ ଚାଲିଛି ଘନ ଘନ ପାୱାର କଟ୍‌। ଦିନରାତି ୨୪ ଘଣ୍ଟା ବିଜୁଳି ସରବରାହ ବ୍ୟାହତ ହେଉଛି। ‌େକତେବେଳେ ୩୦ ମିନିଟ୍‌ ଯାଉଛି ତ ଆଉ କେତେବେଳେ ଘଣ୍ଟାଏ। ବେଳେବେଳେ ଦୀର୍ଘ ସମୟ ଧରି ବିଜୁଳିର ଦେଖାମିଳୁନି। ଏହି ଡିଭିଜନ୍‌ ଅଧୀନରେ ଆସୁଥିବା ଅଞ୍ଚଳରେ ୧୦ରୁ ଅଧିକ ମେଡିକାଲ, ଶତାଧିକ ଶିକ୍ଷାନୁଷ୍ଠାନ ଥିବାରୁ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ରୁମ୍‌ ଭିତରେ ଡହଳବିକଳ ହେଉଛନ୍ତି।

ସାରା ଭୁବନେଶ୍ବରରେ ଗତ ଏକ ମାସ ହେଲା ପାୱାର୍‌ କଟ୍‌ ହେଉଥିବା ବେଳେ ବିସିଡିଡି-୨ ଅଧୀନରେ ଅଧିକ ସମୟ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଉଛି। ଡିଭିଜନ୍‌ ଅଧୀନରେ କଳିଙ୍ଗ ନଗରଠାରୁ ଗୋଡ଼ିସାହି ପର୍ଯ୍ୟନ୍ତ ଅଞ୍ଚଳ ଆସୁଛି। ଖଣ୍ତଗିରି, ନୟାପଲ୍ଲୀ, ପେରିଫେରି ସବ୍‌ ଡିଭିଜନ୍‌ ଏହା ଅଧୀନରେ ରହିଛି। ଖଣ୍ତଗିରି ସବ୍‌ ଡିଭିଜନ୍‌ ଅଧୀନରେ କଳିଙ୍ଗନଗର, ଡୁମୁଡୁମା, ଖଣ୍ତଗିରି, ଭରତପୁର ସେକ୍ସନ ଆସୁଥିବା ବେଳେ ନୟାପଲ୍ଲୀ ଅଧୀନରେ ବରମୁଣ୍ତା, ନୟାପଲ୍ଲୀ, ଜାଭିଅର, ଭିଏସ୍‌ଏସ୍‌ ନଗର ସେକ୍ସନ ଆସୁଛି। ପେରିଫେରି ସବ୍‌ ଡିଭିଜନ୍‌ ଅଧୀନରେ ଚନ୍ଦ୍ରଶେଖରପୁର-୧, ଚନ୍ଦ୍ରଶେଖରପୁର-୨, କାନନ ବିହାର, ବାରଙ୍ଗ, ଗୋଡ଼ିସାହି ସେକ୍ସନ ଆସୁଛି। ସମ୍ପୃକ୍ତ ଡିଭିଜନ୍‌ରେ ଏବେ ଏକ ଲକ୍ଷ ୫୦ ହଜାରରୁ ଅଧିକ ଗ୍ରାହକ ରହିଛନ୍ତି। ବିଜୁଳି କଟିବା ଦ୍ବାରା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ସ୍ଥିତି ଏମିତି ହୋଇଛି ଯେ ସେକ୍ସନ ଅଧିକାରୀମାନେ ଏବେ ହାତ ଟେକିଦେଲେଣି। କିଛି ବି କହିପାରୁନାହାନ୍ତି କି କରିପାରୁନାହାନ୍ତି। ଡିଭିଜନ୍‌ ଉପରେ ସବୁ ଦୋଷ ଲଦୁଛନ୍ତି।

ଏହି ଡିଭିଜନ୍‌ ଅଧୀନରେ ଏମ୍‌ସ ସମେତ ସମ୍‌ ମେଡିକାଲ କଲେଜ, ଆମ୍ରି, ଆପୋଲୋ, କଳିଙ୍ଗ ହସ୍ପିଟାଲ୍‌, ଆଦିତ୍ୟ କେୟାର, କେୟାର ହସ୍ପିଟାଲ, କିମ୍ସ ପରି ପ୍ରମୁଖ ମେଡିକାଲ ରହିଛି। ଘନ ଘନ ବିଜୁଳି କଟିବା ଦ୍ବାରା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରେସନ୍‌ କରିବା ସମୟରେ ବିଜୁଳି ଚାଲିଯାଉଛି। ଜେନେରେଟର ଚଳାଇବା ପର୍ଯ୍ୟନ୍ତ ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ସ୍ଥିତି ହେଉଛି ଯେ ବେଳେବେଳେ ମୋବାଇଲ୍‌ ଲାଇଟ୍‌ ଲଗାଇବାକୁ ପଡ଼ୁଛି ବୋଲି ଏକ ଘରୋଇ ମେଡିକାଲ୍‌ର ଜଣେ ଅଧିକାରୀ କହିଛନ୍ତି।

‌ଅନ୍ୟପକ୍ଷରେ ଏକାଧିକ ତାରକା ହୋଟେଲ ମଧ୍ୟ ଏହି ଡିଭିଜନ୍‌ ଅଧୀନରେ ଆସୁଥିବାରୁ ପାୱାର କଟ୍‌ ହେଲେ ସମସ୍ୟା ସୃଷ୍ଟି କରୁଛି। ମେ’ଫେୟାର, ଟ୍ରାଇଡେଣ୍ଟ୍‌, ସ୍ବସ୍ତି ପ୍ରିମିୟମ୍‌ ପରି ହୋଟେଲ୍‌ରେ ପ୍ରତିଦିନ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ହେଉଛି। ଯେଉଁଥିରେ ଦେଶ, ବିଦେଶର ଅତିଥିମାନେ ଅଂଶଗ୍ରହଣ କରୁଛନ୍ତି। ପାୱାର୍‌ କଟ୍‌ ହେବା ଦ୍ବାରା ଅଧିକାଂଶ ସମୟରେ ସମ୍ମିଳନୀ ପ୍ରଭାବିତ ହେଉଛି। ଏହାଦ୍ବାରା ଭୁବନେଶ୍ବର ସହରର ନାଁ ପଦାରେ ପଡ଼ୁଛି। ଏହାବ୍ୟତୀତ ବାଣୀବିହାର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଆଇଏମ୍ଏମ୍‌ଟି, କିଟ୍‌ ସମେତ ଶତାଧିକ ଇଞ୍ଜିନିୟରିଂ କଲେଜ ଓ ସ୍କୁଲ ଏହି ଅଞ୍ଚଳରେ ଆସୁଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ଉପୁଜୁଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ପିଲାଙ୍କୁ ଶିକ୍ଷା ଦିଆଯାଇପାରୁନି ବୋଲି ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଯୋଗ କରିଛନ୍ତି।

ଏନେଇ ବିସିଡିଡି-୨ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଦଶହରା ପାଇଁ କାମ ଚାଲିଛି। ଏବେଠାରୁ ପାୱାର କଟ୍‌ କରି ବିଜୁଳି ସଂରକ୍ଷଣ କରାଯାଉଛି। ଦଶହରା ପର୍ଯ୍ୟନ୍ତ ଏଭଳି ଚାଲିବ। ‘ସେସୁ’ର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ୍‌ ସରବରାହରେ କୌଣସି ସମସ୍ୟା ନାହିଁ। ରାଜଧାନୀର କୌଣସି ଅଞ୍ଚଳରେ ପାୱାର କଟ୍‌ ହେଉନାହିଁ।

ସମ୍ବନ୍ଧିତ ଖବର