ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ର ଜାତୀୟ କର୍ମଶାଳା

ଭୁବନେଶ୍ବର : ଆଜି ଅଲ୍‌ ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ ଭୁବନେଶ୍ବର ‘କିଟ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ’ ପରିସରରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଓଡ଼ିଶାରେ ବିଦ୍ୟୁତ୍‌କରଣ ଯୋଜନା ସଫଳତାର ସହ କାର୍ଯ୍ୟ କରୁଛି ଏବଂ ଝାରସୁଗୁଡ଼ା ଭଳି କେତେକ ଜିଲ୍ଲାରେ ବିଦ୍ୟୁତ୍‌କରଣ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ‌ରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ କମିସନର ତଥା ସଚିବ ଏବଂ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର କମିସନର ତଥା ସଚିବ ବିଶାଳ ଦେବ, ‘ଅଲ୍‌ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌’ର ଅଧ୍ୟକ୍ଷ ଇଂ. ଶୈଳେନ୍ଦ୍ର ଦୁବେ, ଅଲ୍‌ ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌ର ଅଧ୍ୟକ୍ଷଇଂ. ବିଶ୍ବରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ବିଜୁଳି ସେବା ଏବଂ ଉତ୍ପାଦନ, ବଣ୍ଟନ ସଂପର୍କରେ ଆଲୋକପାତ କରିଥିଲେ।

ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ, ବଣ୍ଟନ ଓ ଟ୍ରାନ୍‌ସମିସନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କର ସମସ୍ୟା ଏବଂ ବିଶେଷକରି ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ପୁନଃ ଘରୋଇକରଣର ପ୍ରୟାସ ସଂପର୍କ‌ରେ ଆଲୋଚନା କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍‌ କ୍ଷେତ୍ରର ନିଗମଗୁଡ଼ିକରେ ମାନବ ସମ୍ବଳ ପରିଚାଳନାରେ ହୋଇଥିବା ତ୍ରୁଟି ଯୋଗୁଁ ଯାହା ସମସ୍ୟା ସୃଷ୍ଟି ହୋଇଥିଲା ସେ ସଂପର୍କରେ ଆଜିର କର୍ମଶାଳାରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ଗତ ଜୁନ୍‌ ମାସ ୪ ତାରିଖରେ ମାନବ ସମ୍ବଳ ପରିଚାଳନାରେ ସୁଧାର ଆଣିବା ପାଇଁ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ ନିଗମମାନଙ୍କର ମାନବ ସମ୍ବଳ ମୁଖ୍ୟମାନଙ୍କ କମିଟି ଗଠନ କରି ମାସେ ମଧ୍ୟରେ ସମସ୍ୟାର ସମାଧାନ କରାଯିବା କଥା, ମାତ୍ର ତାହା ସମ୍ଭବପର ହୋଇ ନ ପାରିବାରୁ ‘ଅଲ୍‌ ଓଡ଼ିଶା ପାୱାର ଇଞ୍ଜିନିୟର୍ସ ଫେଡେରେସନ୍‌’ର ମହା ସଚିବ ବ୍ରହ୍ମପ୍ରକାଶ ପାଇଟାଳ ଏବଂ ଅଧ୍ୟକ୍ଷ ବିଶ୍ବରଂଜନ ମିଶ୍ର ପ୍ରମୁଖ କର୍ମକର୍ତ୍ତା ପୁନର୍ବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ଅବସରରେ ଆୟୋଜିତ କର୍ମଶାଳାରେ ପି.କେ. ପଟ୍ଟନାୟକ, ରାଜାରାମ ସିନ୍ଦେ, ରାହୁଲ ସୁଦ, ଜେ.ପି. ସିଂହ, ସୁଧାଂଶୁ କୁମାର ପ୍ରମୁଖ ବିଶେଷଜ୍ଞମାନେ ‘ନିରାପଦ ବିଜୁଳି ଯୋଗାଣ ବ୍ୟବସ୍ଥା’, ଉତ୍ତମ ଆର୍ଥିଙ୍ଗ୍‌ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର