ମରଣଯନ୍ତା ଖୋଳିଛି ବିଦ୍ୟୁତ୍‌ ବିଭାଗ

ପାଓ୍ଵାର୍‌ ହାଉସ୍‌ କଲୋନି ସ୍କୁଲ୍‌ରେ ଅଭିଭାବକ ଅସନ୍ତୋଷ

ଭୁବନେଶ୍ୱର: ସ୍କୁଲରେ ପିଲାଙ୍କୁ ଛାଡ଼ି ଦେଇ ଅଭିଭାବକ ଶାନ୍ତିରେ ନିଶ୍ୱାସ ନିଅନ୍ତି। ସେମାନଙ୍କ ଧାରଣା ଯେ ପିଲା ପାଇଁ ସ୍କୁଲ୍‌ ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ। କିନ୍ତୁ ପାଓ୍ଵାର୍‌ ହାଉସ୍‌ କଲୋନି ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ ଭିତରକୁ ପଶିଗଲେ ଏହି ଧାରଣା ଭୁଲ୍‌ ପ୍ରମାଣିତ ହେବ। କାରଣ ଏଠି ପିଲାଙ୍କ ପାଇଁ ମରଣଯନ୍ତା ଖୋଲା ଯାଇଛି। ବର୍ଷେ ହେଲାଣି ବିଦ୍ୟୁତ ବିଭାଗ ଏହି ଯନ୍ତା ଖୋଳି ପିଲାଙ୍କୁ ବିପଦମୁହଁକୁ ଠେଲି ଦେଇଛି। ଏଠାରେ ପଡ଼ି କେତେ ପିଲା ଯେ ଖଣ୍ଡିଆଖାବରା ହେଲେଣି, ତାହାର ହିସାବ ନାହିଁ। ଏହାକୁ ନେଇ ଅଭିଭାବକ ଓ ଶିକ୍ଷକମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏହି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୪୦୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ସ୍କୁଲ ନିକଟରେ ରହିଛି ଓପିଟିସିଏଲ କାର୍ଯ୍ୟାଳୟ। ପ୍ରାୟ ବର୍ଷେ ତଳେ ବିଦ୍ୟୁତ ଭିତ୍ତିଭୂମି କାର୍ଯ୍ୟ ପାଇଁ ଏହି ସଂସ୍ଥା ସ୍କୁଲ ଚାରି ପାଖେ ଗାତ ଖୋଳିଥିଲା। ସେହି ଗାତ ଭିତରେ ସିମେଣ୍ଟ ପ୍ରାଚୀର କରାଯାଇ ତାର ଟଣା ହୋଇଛି। ସ୍କୁଲ୍‌ ପରି ଏକ ସମ୍ବେଦନଶୀଳ ସ୍ଥାନରେ ଗାତ ଖୋଳାଗଲା ବେଳେ ଓପିଟିସିଏଲ୍‌ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିଲା। ଗାତ ଖୋଳିବା ସମୟରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନ ଥିଲା। ରାତାରାତି ଗାତ ଖୋଳା ଆରମ୍ଭ କରି ଦିଆଯାଇଥିଲା। କାମ ଆରମ୍ଭ ହେଲା ଯେ ଆଉ ସରୁ ନାହିଁ। କାମ କେବେ ସରିବ ଓ ସେହି ଗାତ କେବେ ବୁଜାଯିବ, ତାହାର ଉତ୍ତର କାହା ପାଖରେ ନାହିଁ।

ଏହି ଲମ୍ବା ଗାତ ଏବେ ପିଲାମାନଙ୍କ ପାଇଁ କାଳ ସାଜିଛି। ଦୀର୍ଘ ଦିନ ଧରି ଗାତ ରହିଥିବାରୁ ତାହା ଏବେ ପରିତ୍ୟକ୍ତ ସ୍ଥାନ ପରି ଲାଗୁଛି। ପୁଣି ପିଲାମାନଙ୍କୁ ସବୁବେଳେ ଜଗିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଫଳରେ ପିଲାମାନେ ଖେଳିବାକୁ ପଡ଼ିଆକୁ ଆସି ଗାତରେ ଗୋଡ଼ି, ମାଟି ପକାଉଛନ୍ତି ଓ ନିଜେ ଗାତରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏହି ସମସ୍ୟା ସମ୍ପର୍କରେ ସ୍କୁଲ୍‌ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନଙ୍କ ସହ ଅନେକଥର ଆଲୋଚନା କରିଛନ୍ତି। କାମ ଯଥାଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ମିଳିଛି। କିନ୍ତୁ କାମ ସରୁ ନାହିଁ କି ଗାତ ବନ୍ଦ ହେଉ ନାହିଁ। ସ୍କୁଲରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଏକ ଅଲଗା ରାସ୍ତା କରାଯାଇଥିଲା। କିନ୍ତୁ ଓପିଟିସିଲଏ ପକ୍ଷରୁ ଏହି ରାସ୍ତାକୁ ବି ନଷ୍ଟ କରିଦିଆଯାଇଛି। ଫଳରେ ଭିନ୍ନକ୍ଷମ ପିଲାମାନେ ସ୍କୁଲ ପାଖକୁ ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ଏତିକିରେ ସରିନାହିଁ। ବିଦ୍ୟୁତ ବିଭାଗର ଗାଡ଼ି ମୁଖ୍ୟ ରାସ୍ତା ଅବରୋଧ କରୁଥିବାରୁ ମଧ୍ୟାହ୍ନ ଭୋଜନ ଆଣୁଥିବା ଗାଡ଼ି ସ୍କୁଲ ଭିତରେ ପ୍ରବେଶ କରିପାରୁ ନାହିଁ। ଖାଦ୍ୟ ସାମଗ୍ରୀ ବଡ଼ ବଡ଼ ହଣ୍ଡାରେ ଆସୁଥିବାରୁ ନବା ଆଣିବା ପାଇଁ ସ୍କୁଲ କର୍ମଚାରୀମାନେ ଅସୁବିଧା ଭୋଗୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଓପିଟିସିଏଲ୍‌ର ଏପରି କାରବାର ପାଇଁ ଉଭୟ ସ୍କୁଲ୍‌ର ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଚିନ୍ତାରେ। ଯଦି ଏହି ଗାତ ପାଇଁ କେବେ କିଛି ବଡ଼ଧରଣର ଅଘଟଣ ଘଟେ, ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର