ପ୍ରଫୁଲ୍ଲ କର ପାଇବେ ସିକନ୍ଦର ଆଲମ ସ୍ମୃତି ସମ୍ମାନ

ଭୁବନେଶ୍ବର: ସ୍ବନାମଧନ୍ୟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ୨୦୧୯ ବର୍ଷ ପାଇଁ ‘ସିକନ୍ଦର ଆଲମ ସ୍କୃତି ସମ୍ମାନ’ ପ୍ରଦାନ କରାଯିବ। ଆସନ୍ତା ୨୭ ତାରିଖରେ ସ୍ବର୍ଗତ ଆଲମଙ୍କ ୮୦ତମ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ଦିନ ସଂଧ୍ୟା ୭ଟାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଏହାକୁ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ବୋଲି ସିକନ୍ଦର ଆଲମ ଫାଉଣ୍ଡେସନ୍‌ ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ପାଇଁ ମଧ୍ୟ ଫାଉଣ୍ଡେସନ୍‌ ପକ୍ଷରୁ ବିଶିଷ୍ଟ ସଙ୍ଗୀତକାର ପ୍ରସନ୍ନ ମିଶ୍ରଙ୍କୁ ‘ସିକନ୍ଦର ଆଲମ ବିଦ୍ୟାରତ୍ନ ସମ୍ମାନ’ ପ୍ରଦାନ କରାଯିବ। ଉତ୍ସବ ଅବ୍ୟବହିତ ପୂର୍ବରୁ ଫାଉଣ୍ଡେସନ୍‌ ପକ୍ଷରୁ ଗତ ରବିବାର ଦିନ ଭାରତୀୟ ବିଦ୍ୟାଭବନରେ ଏକ ରାଜ୍ୟ ସ୍ତରୀୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ଏକ ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଲକ୍ଷ୍ମୀକାନ୍ତ ପାଲିତ, ଉତ୍କଳ ପ୍ରସଙ୍ଗ ସଂପାଦକ ଲେନିନ ମହାନ୍ତି, ଗାୟିକା ନାଜିଆ ସିକନ୍ଦର, ସୋଫିଆ ଆଲମ ଓ ଗୀତିକାର ଶାରଦା ନାୟକ ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗୀତ କ୍ଷେତ୍ରରେ ନବ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା, ସେମାନଙ୍କୁ ତାଲିମ ସହ ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି ବୋଲି ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି। କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୭ ତାରିଖରେ ପୁରସ୍କୃତ କରାଯିବ। ଗତ ବର୍ଷ ତଥା ପ୍ରଥମ ସ୍ମୃତି ସମ୍ମାନ ପ୍ରସିଦ୍ଧ ଗାୟକ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇ ଥିଲା।

ସମ୍ବନ୍ଧିତ ଖବର