ପ୍ରଫୁଲ୍ଲ ସଙ୍ଗୀତ ପ୍ରତିଯୋଗିତା: ୧୫ରୁ ଜୟନ୍ତୀ ଉତ୍ସବ

ଭୁବନେଶ୍ବର: ପ୍ରଫୁଲ୍ଲ କର ଫାଉଣ୍ତେସନ୍‌ ପକ୍ଷରୁ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୫ ଓ ୧୬ ତାରିଖରେ ରବୀନ୍ଦ୍ର ମଣ୍ଡପରେ ପାଳନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ‘ପ୍ରଫୁଲ୍ଲ ସଙ୍ଗୀତ ପ୍ରତିଯୋଗିତା’ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ୭୫ରୁ ଅଧିକ ପ୍ରତିଯୋଗୀ ସିନିୟର‌୍‌, ଜୁନିୟର‌୍‌ ଓ ସବ୍‌ ଜୁନିୟର‌୍‌ ବିଭାଗରେ ଭାଗ ନେଇଥିଲେ। ପ୍ରତିଯୋଗୀମାନେ କେବଳ ପ୍ରଫୁଲ୍ଲ କର ଗାଇଥିବା କିମ୍ବା ଲେଖିଥିବା କିମ୍ବା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଗୀତଗୁଡ଼ିକ ଗାଇଥିଲେ। ପ୍ରତିଯୋଗିତାର ବିଚାରକ ଥିଲେ ଦେବେନ୍ଦ୍ର ନାରାୟଣ ଶତପଥୀ, ଗୀତା ଦାଶ ଓ ଦେବାଶିଷ ମହାପାତ୍ର। ଫାଉଣ୍ତେସନ୍‌ର ସ˚ଯୋଜକ ଜେନାମଣି ସଞ୍ଜୀବ କୁମାର ପ୍ରତିଯୋଗିତାକୁ ସ˚ଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପ୍ରଫୁଲ୍ଲ କର ଫାଉଣ୍ତେସନ୍‌ର ଅଧୢକ୍ଷ ଦାଶ ବେନହୁର ଓ ଉପଦେଷ୍ଟା ନିଶିକାନ୍ତ ମିଶ୍ର। ପରବର୍ତ୍ତୀ ପିଢ଼ି ମଧୢରେ ପ୍ରଫୁଲ୍ଲ କରଙ୍କ କାଳଜୟୀ ସଙ୍ଗୀତକୁ ଉଜ୍ଜୀବିତ କରିବା ଲକ୍ଷ୍ୟ ନେଇ ପ୍ରତି ବର୍ଷ ଏପରି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ଅଧୢକ୍ଷ ଶ୍ରୀ ଦାଶ କହିଥିଲେ। ଫାଉଣ୍ଡେସନ୍‌ର ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଓ ଆବାହକ ଗିରିଜା ଦାଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଫାଉଣ୍ଡେସନ୍‌ ସଦସ୍ୟ ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ପରେଶ ମାହୁନ୍ତ, ଶିତିକଣ୍ଠ ସେନାପତି ଓ ସାଲୁଟ୍‌ ସାହୁ। ଆସନ୍ତା ୧୫ ଓ ୧୬ ତାରିଖରେ ରବୀନ୍ଦ୍ର ମଣ୍ତପରେ ହେବାକୁ ଥିବା ପ୍ରଫୁଲ୍ଲ କରଙ୍କ ଜୟନ୍ତୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର