ପ୍ରଫୁଲ୍ଲ କରଙ୍କ ୪୫ ବର୍ଷର ଧଳା ଆମ୍ବାସଡର

ଗାଡ଼ି ନୁହେଁ ତାଙ୍କର ପୁଅ

ଜୀବନ ପାଇଁ ସାଥୀ ଭଳି ସାରଥିଟିଏ ନିହାତି ଆବଶ୍ୟକ। ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପାଇଁ ଏହି ସାରଥି ହେଉଛି ତାଙ୍କ ୪୫ ବର୍ଷ ବୟସର ଆମ୍ବାସଡର। ସେ ପୁଅ ଭଳି ଏହାର ଯତ୍ନ ନିଅନ୍ତି। ପ୍ରତିଦିନ ଧୋଇଧାଇ ସଫା କରନ୍ତି। ପୁଣି ଯେମିତି ଯୁଗ ସହ ତାଳଦେଇ ତାକୁ ସାଇତି ରଖାଯିବ ସେଥିପାଇଁ ଆଧୁନିକତା ସହ ଖାପଖୁଆଇବାକୁ ତା’ ଦେହରେ ନୂଆ ଯନ୍ତ୍ରପାତି ଖଞ୍ଜନ୍ତି। ତାକୁ ଦେଖି ଦେଖି ଜୀବନର ସମସ୍ତ ଉତ୍‌ଥାନ ପତନକୁ ମନପକାନ୍ତି। ତା’ ସହ ଯେମିତି ଶ୍ରୀ କରଙ୍କର ଭାବଗତ ସମ୍ପର୍କ। ନିଜ ରୋଜଗାରରେ ଏହାକୁ ପ୍ରଥମ ଥର ପାଇଁ କିଣିଥିବାରୁ ତାକୁ ଏଯାବତ ନିଜ ପାଖରେ ସାଇତି ରଖିଛନ୍ତି।

୧୯୭୨ ମସିହାର ସେ ଏହି ଆମ୍ବାସଡର ଦ୍ୱିତୀୟ କ୍ରେତା ଭାବେ ନିଜର ଜଣେ ବନ୍ଧୁଙ୍କଠାରୁ ୯ ହଜାର ଟଙ୍କାରେ କିଣିଥିଲେ। ସେବେଠୁୁ ଆଜି ପ୍ରର୍ଯ୍ୟନ୍ତ ଏହି ଗାଡ଼ି ତାଙ୍କ ସଫଳତାର ମୂକସାକ୍ଷୀ ସସାଜିଛି। ପ୍ରଫୁଲ୍ଲ କରଙ୍କ ସହ ଏହି ଗାଡ଼ି ଓଡ଼ିଶାର ସମସ୍ତ ପୁରପଲ୍ଲୀ, ସହର, ଘାଟି ଓ ଜଙ୍ଗଲ ବୁଲିଛି। କିନ୍ତୁ କେବେ ବି ବିଶ୍ୱାସଘାତକତା କରିନି। ରାସ୍ତାରେ କେବେ ରହିଯିବା, ଟାୟାରରୁ ହାଓ୍ଵା ଚାଲିଯିବା କିମ୍ବା ବ୍ରେକ୍‌ ଡାଉନ୍‌ ହେବା ଭଳି ସମସ୍ୟାକୁ ଶ୍ରୀ କର କେବେ ବି ସାମ୍ନା କରିନାହାନ୍ତି। ତେଣୁ ଏହି ଆମ୍ବାସଡର ତାଙ୍କ ପାଇଁ ପାଲଟିଯାଇଛି ବିଶ୍ୱସ୍ତ ପୁଅଟିଏ ଭଳି। ସେ ବୟସ୍କ ହୋଇଛି ସତ। କିନ୍ତୁ କେବେ ବି ତାକୁ ହତାଦାର କରିନାହାନ୍ତି। ଏତେ ପୁରୁଣା ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତି ନଥିଲେ ମଧ୍ୟ ଶ୍ରୀ କର ଏହାକୁ ପ୍ରତି ୩ ବର୍ଷରେ ଥରେ ରଙ୍ଗ ଦିଅନ୍ତି। ପୁଣି ପେଟ୍ରୋଲ୍‌ ଇଂଜିନ୍‌ ପରିବର୍ତ୍ତନ କରି ଡିଜେଲ୍‌ ଇଂଜିନ୍‌ ଲଗାଇବା ସହ କାର୍‌ ଭିତରେ ଏସି ମଧ୍ୟ ଲଗାଇଛନ୍ତି। ଶ୍ରୀ କର ତାଙ୍କର ଏକ ଅନୁଭୂତିକୁ ମନ ପକାଇ କୁହନ୍ତି, ଥରେ କୋରାପୁଟ ଘାଟି ରାସ୍ତାରେ ଆସିବା ସମୟରେ ରାସ୍ତା ସାରା ବାଘ ଡିଆଁଡେଇଁ କରୁଥିଲେ। ସେହି ସମୟରେ ଦେହ ହାତ ଭୟରେ କମ୍ପୁଥିବା ବେଳେ ଆଖି ବୁଜି ମୁଁ ଗାଡ଼ି ଚଲାଉଥିଲି। ହେଲେ ଘାଟି ରାସ୍ତାରେ ଗାଡ଼ି ଭାରସାମ୍ୟ ହରାଇ ନଥିଲା। ଆମକୁ ମରଣ ମୁହଁରୁ ବଞ୍ଚାଇ ଦେଇଥିଲା। ମୁଁ ଜଣେ ବେପାରୀ ନୁହେଁ, ବରଂ ଜଣେ କଳାକାର। ତା’ ସହ ମୋ ଭାବଗତ ସମ୍ପର୍କ। ସେଥିପାଇଁ ତାକୁ ବିକି ଦେଇନି। ଯତ୍ନ ନେଉଛି। ଜୀବନର ଶେଷ ପର୍ଯ୍ୟନ୍ତ କିଏ ରହୁ କି ନରହୁ ସେ ମୋ ସହ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର