ଶେଖର କପୁରଙ୍କ ପ୍ରଶଂସା ଭୁଲି ପାରିବିନି: ପ୍ରକୃତି ମିଶ୍ର

‘ଭଙ୍ଗା ସିଲଟ’ର ଅଭିନେତ୍ରୀ ମଂଜୁଳା କୁଅଁରଙ୍କ ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ହାଲୋ ଆର୍‌ସି’ରେ ହୃଦୟସ୍ପର୍ଶୀ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ସ୍ପେସାଲ୍‌ ମେନ୍‌ସନ୍‌) ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସଂଗୀତଜ୍ଞ ମନ୍ମଥ ମିଶ୍ରଙ୍କ ଝିଅ ପ୍ରକୃତି କୁନି ବୟସରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ବେଳେ ‘ହାଲୋ ଆର୍‌ସି’ ପାଇଁ ହାତେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ପୁରସ୍କାର ଘୋଷଣା ପରେ ତାଙ୍କ ସହ ଆଳାପରୁ କିଛି…

ହାଲୋ ଆର୍‌ସି’ରେ ଆର୍‌ସି ଭୂମିକାରେ ଅଭିନୟ ନେଇ ଶେଖର କପୁର ଆପଣଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ କ’ ଣ କହିବେ ?
ଜାତୀୟସ୍ତରର ଚଳଚ୍ଚିତ୍ର ପୁରସ୍କାର ଘୋଷଣା ବେଳେ ଶେଖର କପୁର ଚଳଚ୍ଚିତ୍ରର ପ୍ରଶଂସା କରିବା ସହ ମୋ’ ଅଭିନୟର ଖୁବ୍‌ ପ୍ରଶଂସା କରିଥିଲେ। ତେଣୁ ଜାତୀୟସ୍ତରର ପୁରସ୍କାର ମୋ ପାଇଁ ଯେତିକି ଗର୍ବର ବିଷୟ ଶେଖର କପୁରଙ୍କର ମୋ ଅଭିନୟ ଉପରେ ପ୍ରତିକ୍ରିୟା ମୋ ପାଇଁ ସେତିକି ପ୍ରେରଣାଦାୟୀ।

ଚଳଚ୍ଚିତ୍ର ସମ୍ପର୍କରେ କ’ଣ କହିବେ ?
ଏହାର କାହାଣୀ ହିଁ ଥିଲା ନିଆରା। ଲୋକେ ସବୁବେଳେ କିଛି ଗୋଟେ ନୂଆ ଦେଖିବା ପାଇଁ ଚାହାନ୍ତି। ଏପରି ସ୍ଥଳେ ଏହି କାହାଣୀଟି ଦର୍ଶକଙ୍କୁ ସୁହାଇବା ଭଳି ହୋଇଛି। ମୋ ବାପା କାହାଣୀଟି ପଢ଼ି ବହୁତ ଖୁସି ହୋଇଯାଇଥିଲେ। ମୋତେ ବି କାହାଣୀ ବହୁତ ଭଲ ଲାଗିଥିଲା। ତେଣୁ ଏହି ଚଳଚ୍ଚିତ୍ରରେ କାମ କରିବାକୁ ପସନ୍ଦ କରିଥିଲି।

ଚଳଚ୍ଚିତ୍ର ନିର୍ମାଣ ସମୟର କିଛି ଅନୁଭୂତି ?
ରାଉରକେଲାରେ ଚଳଚ୍ଚିତ୍ରଟି ସୁଟିଂ ହେଉଥିଲା। ସେତେବେଳେ ମୁଁ ବମ୍ବେରେ ଥିବାରୁ ସେଠାରୁ ୨ ମାସ ପାଇଁ ଓଡ଼ିଶା ଆସି କାମ କରିବାକୁ ପଡ଼ିଥିଲା। ପୁଣି ଶିଳ୍ପାଞ୍ଚଳରେ ସୁଟିଂ ଚାଲୁଥିବା ବେଳେ ଖରାଦିନ ହୋଇଥିବାରୁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ତେବେ ସେ କଷ୍ଟର ଫଳ ଆମ ପାଇଁ ଆଶୀର୍ବାଦ ହୋଇଛି।

ହାଲୋ ଆର୍‌ସି ଏକ ଦୃଷ୍ଟାନ୍ତମୂଳକ ଚଳଚ୍ଚିତ୍ର ହେବ: ଅଜୟ ରାଉତରାୟ

ଦୀର୍ଘ ୩୩ବର୍ଷ କାଳ ଓଡ଼ିଆ ଚଳଚ୍ଚିତ୍ରରେ ସହ ନିର୍ଦେଶକ ଭାବେ କାମ କରିବାର ଅଭିଜ୍ଞତା ରଖିଥିବା ଅଜୟ ରାଉତରାୟଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ଜିଣିପାରିଛି। ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ କାମ କରିଥିବା ଶ୍ରୀ ରାଉତରାୟ ପୂର୍ବରୁ ମଧ୍ୟ ସାନ୍ତାଳୀ ଭାଷାରେ ‘ଜୁଇ ଜୁରି’ ଚଳଚ୍ଚିତ୍ରର ନିର୍ଦେଶନା ଦେଇ କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ଆଜି ପୁରସ୍କାର ଘୋଷଣା ପରେ ତାଙ୍କ ସହ କିଛି ଗପସପ।

‘ହାଲୋ ଆର୍‌ସି’ର ପରିକଳ୍ପନା କେମିତି ଆରମ୍ଭ ହୋଇଥିଲା?
୨୦୧୬ ମସିହାରୁ ଆମେ ଏମିତି ଏକ କାହାଣୀକୁ ନେଇ ଚଳଚ୍ଚିତ୍ର କରିବାକୁ ପରିକଳ୍ପନା କରିଥିଲୁ। ସମ୍ବିତ ମହାନ୍ତିଙ୍କ ମନରେ ଏହି କାହାଣୀଟି ଆସିଥିଲା। ତେଣୁ ଆମେ ବିଶ୍ୱବାସୀଙ୍କୁ ଏକ ବାର୍ତା ଦେବା ଉଦ୍ଦେଶ୍ୟ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲୁ।

କାହାଣୀରେ କି ବାର୍ତା ଥିଲା?
ବଡ଼ବଡ଼ ଶିଳ୍ପ ପ୍ରକଳ୍ପ ହେଲେ ଲୋକଙ୍କୁ ବିସ୍ଥାପିତ କରାଯାଏ। ଟଙ୍କା ଦେଇ ଥଇଥାନ କରାଯାଉଥିବା କୁହାଯାଏ। ମାତ୍ର ଏଇ ଟଙ୍କା କିଭଳି ଅନେକଙ୍କୁ ଅବାଟକୁ ନେଇଯାଏ ଏହି ଚଳଚ୍ଚିତ୍ରରେ ତା’ର ବାର୍ତା ରହିଛି। ମିଛର ସହରରେ କେହି କାହାକୁ ବିଶ୍ୱାସ କରିପାରୁ ନଥିବା ବେଳେ ଏହି ଅବିଶ୍ୱାସର ସହରୀ ବ୍ୟବସ୍ଥାକୁ ଚଳଚ୍ଚିତ୍ରରେ ଦେଖାଯାଇଛି।

ଚଳଚ୍ଚିତ୍ରରେ ନାମକରଣ ପଛର ଉଦ୍ଦେଶ୍ୟଟି କ’ଣ?
ପୂର୍ବରୁ ଚଳଚ୍ଚିତ୍ରର ନାମ ‘ପକ୍ଷୀଲଗ୍ନ’ ରଖା ଯାଇଥିଲା। କିନ୍ତୁ ପରେ ଆମେ ସେଥିରେ ଥିବା ମୁଖ୍ୟ ଚରିତ୍ର ଆର୍‌ସିକୁ ନେଇ ଚଳଚ୍ଚିତ୍ରର ନାମକରଣ କରିଥିଲୁ। ଚଳଚ୍ଚିତ୍ରର ସମୟ ଅବଧି ୧ ଘଣ୍ଟା ୩୭ ମିନିଟ୍‌ ହୋଇଥିବା ବେଳେ ଶେଷ ଭାଗରେ ଗୋଟେ ମାତ୍ର ଗୀତ ରହିଛି। ତେବେ ଇଫେକ୍ଟର ଉପଯୋଗ ହୋଇଛି। କୌଣସି ପ୍ରଚ୍ଛଦ ସଂଗୀତ ନାହିଁ।

ଆଜିର ଓଡ଼ିଆ ଚଳଚ୍ଚିତ୍ରରେ ଯେପରି କପି ପେଷ୍ଟ୍‍ ଢାଞ୍ଚା ଚାଲିଛି ସେ ସମୟରେ ଏ କାହାଣୀ ଦୃଷ୍ଟାନ୍ତମୂଳକ ହେବ କି?
ଲୋକଙ୍କୁ ନିଜ ଭିତରର କଥା ଜଣାଇବା ପାଇଁ ଏହି ଚଳଚ୍ଚିତ୍ରଟି ଦୃଷ୍ଟାନ୍ତମୂଳକ ହେବ। ଏହାକୁ ମଧ୍ୟ ସିନେମା ହଲ୍‌ରେ ମୁକ୍ତିଲାଭ କରାଯିବ। କପି ପେଷ୍ଟ୍‍ ଛାଡ଼ି ଆମେ ମୌଳିକ ଓ ସମସାମୟିକ କାହାଣୀ କଲେ ଲୋକେ ନିଶ୍ଚିତ ଦେଖିବେ।
ସାକ୍ଷାତକାର: ସତ୍ୟନାରାୟଣ ରାଉତରାୟ

ସମ୍ବନ୍ଧିତ ଖବର