ପ୍ରାଣନାଥ ସ୍ମୃତି ସନ୍ଧ୍ୟା : ସେ ଥିଲେ ମାନବ ସେବାର ମୂର୍ତିମନ୍ତ ପ୍ରତୀକ

୬ଜଣଙ୍କୁ ପ୍ରାଣନାଥ ସମ୍ମାନ ୨୦୧୭

ଭୁବନେଶ୍ୱର : ଆଜି ସମ୍ପତ୍ତି ଓ କ୍ଷମତା ପାଇଁ ଲଢ଼େଇ ଚାଲିଛି। ମନରେ ଆଉ ସେବା ମନବୃତ୍ତି ନାହିଁ। ମାତ୍ର ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ମାନବ ସେବାର ମୂର୍ତିମନ୍ତ ପ୍ରତୀକ। ସଂପ୍ରତି ତାଙ୍କ ଭଳି ଜୀବନାଦର୍ଶର ମଣିଷଙ୍କର ଘୋର ଅଭାବ ଦେଖା ଦେଇଛି। ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ ଆଜି ଜୟଦେବ ଭବନରେ ଅନୁଷ୍ଠିତ ‘ପ୍ରାଣନାଥ ସ୍ମୃତି ସନ୍ଧ୍ୟା’ରେ ଏପରି ମତବ୍ୟକ୍ତ କରିଛନ୍ତି ବିଶିଷ୍ଟ ଅତିଥିବୃନ୍ଦ।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ କୃଷି ମନ୍ତ୍ରୀ ଡ.ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ମୃତି ସମିତିର ସଭାପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାଣନାଥଙ୍କ ବିପ୍ଳବୀ ଜୀବନ, ମୁକ୍ତି ଯୋଦ୍ଧା ଭାବେ ତାଙ୍କର କୃତିତ୍ୱ, ଶିକ୍ଷାବିତ୍‌ ଓ ସାମ୍ୟବାଦର ମହାନାୟକ ଭାବେ ତାଙ୍କୁ ଅତିଥିମାନେ ଅଭିହିତ କରିଥିଲେ। ଏହି ଅବସରରେ ୬ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ‘ପ୍ରାଣନାଥ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାହିତ୍ୟରେ ପ୍ରଫେସର ନାରାୟଣ ଶତପଥୀ, ସମାଜସେବାରେ ରବି ଦାଶ, ପ୍ରଶାସନିକ କ୍ଷେତ୍ରରେ ଅଶୋକ କୁମାର ତ୍ରିପାଠୀ, ସଂଗୀତ ପାଇଁ ଶେଖର ଘୋଷ୍‌, ଓଡ଼ିଶୀ ନୃତ୍ୟରେ ମୀନାକ୍ଷି ବେହେରା ଏବଂ ଚିତ୍ରକଳା କ୍ଷେତ୍ରରେ ଗୌରାଙ୍ଗ ବାରିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ‘କିସ୍‌’କୁ ବିଶ୍ୱର ସର୍ବପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିବାରୁ ଏହାର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ‘ଜନଜାତିର ଜନନାୟକ’ ଉପାଧିରେ ସମ୍ବର୍ଧିତ କରାଯିବା ପାଇଁ ଘୋଷଣା କରାଯାଇଥିଲା। ସେ ଅନୁପସ୍ଥିତ ଥିବାରୁ ତାଙ୍କ ନିକଟରେ ପୁରସ୍କାର ପହଞ୍ଚାଯିବ ବୋଲି ଫୋରମ୍‌ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭରେ ସମିତିର ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସୁଚେତା ପ୍ରିୟଦର୍ଶିନୀ। ସକାଳେ ବିପ୍ଳବୀ ପ୍ରାଣନଥାଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରୀୟା ଛକସ୍ଥିତ ତାଙ୍କର ବ୍ରୋଞ୍ଜ୍‌ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସିପିଆଇ ନେତା ବସନ୍ତ କୁମାର ପାଇକରାୟ, ଶରତ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦିନୀ ପାଇକରାୟ, ନାରାୟଣ ଡାଳୁଆ, ସୁରେଶ ମୁଦୁଲିଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର