‘ମଣିଷ ପଛକୁ ଫେରି ପାରୁଥିଲେ କବିତା ଲେଖୁନଥାନ୍ତା’

ପ୍ରଶାନ୍ତ ହୋତାଙ୍କ କବିତା ସଂକଳନ ‘କାଠ’ ଉନ୍ମୋଚିତ

ଭୂବନେଶ୍ୱର: ପ୍ରଶାନ୍ତ ହୋତାଙ୍କ କବିତା ସଂକଳନ ‘କାଠ’ ସ୍ଥାନୀୟ ମେ’ ଫେୟାର ହୋଟେଲ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦ୍‌ଯାପନୀ ଦିବସରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ପୁସ୍ତକ ଉନ୍ମୋଚନ କରି କହିଲେ, କାଠ ପରି ଏକ ସାଧାରଣ ବିଷୟକୁ ନେଇ ଜୀବନ ଦର୍ଶନ ଉପରେ କବିତା ଲେଖିବା ଅଭିନନ୍ଦନୀୟ। ବିଶିଷ୍ଟ କଥାକାର ଗୌରହରି ଦାସ ପୁସ୍ତକର ସମୀକ୍ଷା କରି କହିଲେ, କବିମାନେ ପୂର୍ବରୁ ମଣିଷକୁ ଅରଣ୍ୟର ଅଜଗର, ଓଲଟ ବୃକ୍ଷ ଓ ଲଣ୍ଠନର ରୂପ ଦେଇ କବିତା ଲେଖିଛନ୍ତି। କିନ୍ତୁ ନିଜକୁ କାଠ ବୋଲି ଭାବି କବିତା ଲେଖିଥିବାରୁ କବି ପ୍ରଶାନ୍ତ ହୋତାଙ୍କ ଉଦ୍ୟମ ଅଭିନନ୍ଦନୀୟ। ଶ୍ରୀ ଦାସ ଆହୁରି କହିଲେ, ସ୍ମୃତି ହିଁ ଜୀବନ। ସ୍ମୃତିହୀନତା ହେଉଛି ମୃତ୍ୟୁ। ମଣିଷ ଯଦି ପଛକୁ ଫେରି ପାରୁଥାଆନ୍ତା, ତା’ହେଲେ କବିତା ଲେଖିବା ଆବଶ୍ୟକ ପଡ଼ନ୍ତା ନାହିଁ। ସେ ଏହି ସଂକଳନର ‘କେଶବ କୋଇଲି’, ‘ଶୁଣ ଅବଲୋକରା’ ଓ ଅନ୍ୟ କେତେକ କବିତାର ମାର୍ମିକ ସମୀକ୍ଷା ଉପସ୍ଥାପନ କରିଥିଲେ। ପ୍ରଫେସର୍‌ ଯତୀନ୍ଦ୍ର କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପରମ୍ପରା ଭାଙ୍ଗିବା ଆଧୁନିକତା ନୁହେଁ। ବରଂ ପରମ୍ପରାକୁ ନୂଆ ଦୃଷ୍ଟିରେ ଦେଖିବା ଆଧୁନିକତା। ପରମ୍ପରା ମଧ୍ୟରେ ରହି ଶ୍ରୀ ହୋତାଙ୍କ ଆଧୁନିକ କବିତା ଲେଖିବାର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ।

କବି ପ୍ରଶାନ୍ତ ହୋତା ଲେଖକୀୟ ଅଭିଜ୍ଞତାକୁ ବ୍ୟକ୍ତ କରି କହିଲେ, ପିଲାଦିନୁ କାଠ ପ୍ରତି ତାଙ୍କ ଦୁର୍ବଳତା ରହିଆସିଛି। କାରଣ କାଠ ଜଳାଏ କମ୍‌, ଜଳେ ବେଶି। ମଣିଷ ଜୀବନରେ ଶିଶୁର ଝୁଲଣାଠାରୁ ନେଇ ପଲଙ୍କ, ଘରର ଆସବାବପତ୍ର, କଫିନ୍‌, ଜୁଇର କାଠ ଏବଂ ସର୍ବୋପରି ଆଧ୍ୟାତ୍ମିକ ଦେବତା ଜଗନ୍ନାଥଙ୍କ ପର୍ଯ୍ୟନ୍ତ ସବୁଠାରେ କାଠର ଉପସ୍ଥିତି ରହିଛି ବୋଲି ସେ କହିଥିଲେ।
‘ଆମ ଓଡ଼ିଶା’ର ସମ୍ପାଦକ ତଥା ଗାଳ୍ପିକ ସ୍ୱରାଜ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସବିତା ମହାପାତ୍ର ହୋତା ‘କାଠ’ ପୁସ୍ତକର କେତେକ କବିତା ପାଠ କରିଥିଲେ। ପଶ୍ଚିମା ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି କବିତା ସଂକଳନରେ ଶ୍ରୀ ହୋତାଙ୍କ ରଚିତ ୧୨ଟି କବିତା ସ୍ଥାନ ପାଇଛି। ପ୍ରକାଶକ ଅଶୋକ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ଶରତ କୁମାର ରାଉତ ଓ ସଂଜୀବ କୁମାର ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ପ୍ରଶାସକ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, କୃଷି ଓ ଗ୍ରାମ ବିକାଶ କ୍ଷେତ୍ରରେ ଭାରତ ସରକାରଙ୍କ ସର୍ବୋଚ୍ଚ ବ୍ୟାଙ୍କ ନାବାର୍ଡରେ ବହୁ ବର୍ଷ କାର୍ଯ୍ୟ କରିବା ପରେ ଶ୍ରୀ ହୋତା ବର୍ତମାନ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର୍‌ କମ୍ପାନିରେ ଗ୍ରୁପ୍‌ ହେଡ୍‌ (ସିଏସଆର ଓ ଏଜୁକେସନ୍‌) ଓ କର୍ପୋରେଟ୍‌ କମ୍ୟୁନିକେସନ୍‌ ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର