ଓୟୁଏଟି ପଶୁ ଚିକିତ୍ସାଳୟରେ ଅବ୍ୟବସ୍ଥା

ଅଚାନକ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବ‌ନେଶ୍ବର: ରାଜ୍ୟରେ ପଶୁମାନଙ୍କୁ କିଭଳି ଚିକିତ୍ସା କରାଯାଉଛି, ତାହାର ନଗ୍ନ ନମୁନା ଆଜି ଖୋଦ୍‌ ରାଜଧାନୀରେ ଦେଖିବାକୁ ମିଳିଛି। ଶୈଳଶ୍ରୀ ବିହାରରେ ଆହତ ହୋଇଥିବା ଏକ ଗାଈକୁ ସ୍ଥାନୀୟ ଯୁବକ ଉଦ୍ଧାର କରି ଚିକିତ୍ସା ଲାଗି ଓଡ଼ିଶା‌ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତରଙ୍କ ଅସହଯୋଗ ଯୋଗୁଁ ଗାଈଟିର ଚିକିତ୍ସା ହୋଇପାରି ନଥିଲା। ବିଳମ୍ବ ହେଉଥିବାରୁ ଯୁବକମାନେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପ‌ରାହ୍‌ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଚିକିତ୍ସାଳୟରେ ପହଞ୍ଚି ଯେଉଁ ଚିତ୍ର ଦେଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଚିକିତ୍ସାଳୟର କୌଣସି ବିଭାଗରେ ଡାକ୍ତର ନ ଥିଲେ। ଅଧିକାଂଶ ବିଭାଗରେ ତାଲା ପଡ଼ିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଥିଲେ।

ଅପରାହ୍‌ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଚିକିତ୍ସାଳୟରେ ପହଞ୍ଚିଲା ବେଳେ କୌଣସି ଡାକ୍ତର କିମ୍ବା କମ୍ପାଉଣ୍ଡର ନ ଥିଲେ। ବହୁ ଲୋକ ସେମାନଙ୍କ ଜୀବଜନ୍ତୁଙ୍କ ଚିକିତ୍ସା କରିବା ପାଇଁ ଅପେକ୍ଷା କରି ରହିଥିଲେ। କିଛି ସମୟ ଧରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଅପେକ୍ଷା କରିବା ପରେ ଜଣେ ଡାକ୍ତର ପହଞ୍ଚିଥିଲେ। କେନ୍ଦ୍ରମନ୍ତ୍ରୀ ଗାଈଟିର ଚିକିତ୍ସା ନେଇ ଡାକ୍ତରଙ୍କୁ ଅବଗତ କରାଇଥିଲେ। ଏହାର କିଛି ସମୟ ପରେ ଚିକିତ୍ସାଳୟର ନିର୍ଦେଶକ ମନୋରଞ୍ଜନ ଦାସ ଓ ଡିନ୍‌ ଲକ୍ଷ୍ମଣ କୁମାର ବାବୁ ଆସି ପହଞ୍ଚିଥିଲେ। ପ୍ରାୟ ୨୦ମିନିଟ୍‌ ଧରି କେନ୍ଦ୍ରମନ୍ତ୍ରୀ ସମ୍ପୂର୍ଣ୍ଣ ଚିକିତ୍ସାଳୟ ବୁଲିବା ସମୟରେ ଅଧିକାଂଶ ବିଭାଗରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ରାଜ୍ୟର ପ୍ରମୁଖ ପଶୁ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ‌ଯେଉଁ ଡାକ୍ତର କାର୍ଯ୍ୟରେ ଅବହେଳା କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଚିକିତ୍ସାଳୟର ନିର୍ଦେଶକ ଶ୍ରୀ ଦାସ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଯେଉଁମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର