ପ୍ରତାପରୁଦ୍ରପୁରରେ ଧାନମଣ୍ଡି ଖୋଲିଲା: ଅଭାବୀ ମୁଗ ବିକ୍ରି, ବଢ଼ୁଛି ଚାଷୀ ଅସନ୍ତୋଷ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ କୃଷି ସମବାୟ ସମିତି ଅଞ୍ଚଳରେ ଏବେ ରବି ଫସଲ ଯଥା ଧାନ, ମୁଗ ଓ ବିରି ଆଦି ଖାଦ୍ୟଶସ୍ୟର ଅଭାବୀ ବିକ୍ରି ସମସ୍ୟା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। କୌଣସି ଗୋଟିଏ ହେଲେ ସମିତିରେ ଏଯାଏ ମୁଗ ମଣ୍ଡି ଖୋଲି ନାହିଁ। ଫଳରେ ମୁଗ କ୍ବିଣ୍ଟାଲ ପିଛା ସରକାରୀ ମୂଲ୍ୟ ୭ ହଜାର ୫୦ ଟଙ୍କା ହୋଇଥିବା ବେଳେ ଚାଷୀମାନେ ବାଧ୍ୟ ହୋଇ ଅସାଧୁ ବ୍ୟବସାୟୀଙ୍କୁ ୬ହଜାର ଟଙ୍କା‌ରେ ବିକ୍ରି କରୁଛନ୍ତି। ସମସ୍ତ ସମିତି ପକ୍ଷରୁ ଧାନ ଓ ମୁଗ ମଣ୍ଡି ଖୋଲିବା ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ଅପରପକ୍ଷେ ମୋଟ ୧୨ଟି ସେବା ସମବାୟ ସମିତି ମଧ୍ୟରୁ ଆଜି ପ୍ରତାପରୁଦ୍ରପୁର ସମବାୟ ସମିତିରେ ପ୍ରଥମ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ଆଜି ମଣ୍ଡିରେ ୧୫ଜଣ ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୮ଶହ ୧୫ଟଙ୍କା ମୂଲ୍ୟରେ ୧ ହଜାର ୨୨ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ସଂପାଦକ ବିଶ୍ବନାଥ ପଣ୍ଡା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକଣା କୃଷି ସମବାୟ ସମିତି, ଝିଣ୍ଟି ସମବାୟ ସମିତି ଓ ପ୍ରତାପଶାସନ ସେବା ସମବାୟ ସମିତି ଅଧୀନରେ ହଜାର ହଜାର ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ସଂପୃକ୍ତ ୩ଟି ସେବା ସମବାୟ ସମିତିକୁ ଧାନ ସଂଗ୍ରହ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ କାର୍ଯ୍ୟରତ ସଂପାଦକମାନେ ଅବହେଳା ପ୍ରଦର୍ଶନ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କିଛି ସମିତି ସଂପାଦକ ଅସାଧୁ ଧାନ ବ୍ୟବସାୟୀଙ୍କ ସହ ସଂପର୍କ ରଖି ସିଧାସଳଖ ମିଲକୁ ଧାନ ଚାଲାଣ କରି ଭଲ ମୁନାଫା ଉଠାଉଥିବା ନେଇ ଅଭିଯୋଗ ହେଉଛି। ଫଳରେ ଉପରୋକ୍ତ ଅଞ୍ଚଳର ଚାଷୀମାନେ ଏବେ ଅଭାବୀ ଧାନ ବିକ୍ରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଗକୁ ଖରିଫ ଋତୁ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ଚାଷୀମାନେ ସରକାରୀ ମୂଲ୍ୟଠାରୁ କମ୍‌ ମୂଲ୍ୟରେ ସ୍ଥାନୀୟ ଅଞ୍ଚଳର ଧାନ ବ୍ୟବସାୟୀମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତାପରୁଦ୍ରପୁର ସମବାୟ ସମିତିରେ ପ୍ରଥମ ଧାନମଣ୍ଡିର ଶୁଭାରମ୍ଭ ଅବସରରେ ସ୍ଥାନୀୟ ସରପଞ୍ଚ ବାମନ ଚରଣ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ବ୍ଲକ ଯୋଗାଣ ନିରୀକ୍ଷକ ଧୀରଜ ଭୂୟାଁ, ଡିଆର୍‌ ରୋଜାଲିନ୍‌ ସେନାପତି, ଏଆର୍‌ ସୁଷମା ମିଶ୍ର ଏବଂ ଏସ୍‌ଆର ଡିଭି ରାଓଙ୍କ ସମେତ ଜଟଣୀ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର