ଭୁବନେଶ୍ୱର: ୧୯୬୪ ମସିହା ରଥଯାତ୍ରାର ଏକ ଛୋଟ ଘଟଣାରୁ ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ର ବୀଜ ପଡ଼ିଥିଲା। ସେଇବର୍ଷ କଟକ ଆକାଶବାଣୀ ପକ୍ଷରୁ ଧାରା ବିବରଣୀ ଦେବାକୁ ସେ ପୁରୀ ଯାଇଥାଆନ୍ତି। ମାତ୍ର ସେହି ବର୍ଷ ମନ୍ଦିରରେ ରକ୍ତପାତ ହୋଇ ଭୋଗ ମାରା ହୋଇଗଲା। ରାଧା ବଲ୍ଲଭ ମଠର ୨ ମହଲା ଛାତ ଉପରେ ଧାରା ବିବରଣୀ ଦେଇ ସାରିବା ପରେ ତନ୍ମୟ ଅବସ୍ଥାରେ ଛିଡ଼ା ହୋଇଥିଲେ। ତାଙ୍କଠୁ କିଛି ଦୂରରେ ଜଣେ ବିଧବା ବୁଢ଼ି ଠିଆ ହୋଇ କାନ୍ଦୁଥିବା ଦେଖି ପଚାରିଲେ, ମାଉସୀ କାନ୍ଦୁଛ କାହିଁକି ? ବୃଦ୍ଧା ଜଣକ ବହୁ କଷ୍ଟରେ କୋହ ସମ୍ଭାଳି କହିଲେ, ରଥ ଆଜି ଚଳିଲା ନାହିଁ। ଜଗନ୍ନାଥ ଆମ ପାଇଁ କଚଡ଼ାପଡ଼ା ସହି କେତେ କସଣ ନସହିଲେ ଭଲା। ଓଡ଼ିଆ ଜାତିର ଜଗନ୍ନାଥଙ୍କ ସହ ଏହି ମାର୍ମିକ ନିବିଡ଼ ସମ୍ପର୍କ ଦେଖି ସୁରେନ୍ଦ୍ର ମହାନ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଦିନ ରାତିରେ ପୁରୀରୁ ଫେରିବା ପରେ ସେଇ ରହସ୍ୟ ତାଙ୍କୁ ଆବୋରି ବସିଥିଲା। ସେଇଠୁ ସେ ନିଜକୁ ନିଜେ କହିଥିଲେ, ଏହି ସୁକ୍ଷ୍ମ ସମ୍ପର୍କର ଚିତ୍ର ଯଦି ମୋ ସାହିତ୍ୟରେ ଫୁଟାଇ ନପାରିଲି ତାହେଲେ ମୋ’ର ଲେଖନୀ ଧରିବା ବୃଥା। ଶେଷରେ ଏହି ସଂକଳ୍ପ ଓ ଅନୁଭବରୁ ଛୋଟିଆ ଘଟଣାଟି କାଳଜୟୀ ସୃଷ୍ଟିରେ ପରିଣତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ପ୍ରଥମ ‘ପୁସ୍ତକ ଚର୍ଚା’ରେ ଉପନ୍ୟାସ ‘ନୀଳଶୈଳ’ ସମ୍ପର୍କରେ ଏପରି ଅନୁଭବ ବ୍ୟକ୍ତ କରିଛନ୍ତି ବିଶିଷ୍ଟ ଗବେଷକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି। ସେ କହିଲେ, ଉପନ୍ୟାସରେ ଅଷ୍ଟାଦଶ ଶତାବ୍ଦୀର ପରିବେଶ ସୃଷ୍ଟି କରିବା ପାଇଁ ସେ ମାଦଳାପାଞ୍ଜି, ମନ୍ଦିରରେ ପ୍ରଚଳିତ ଶବ୍ଦ ଏବଂ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ୟରୁ ବହୁ ଅପ୍ରଚଳିତ ଶବ୍ଦ ସଂଗ୍ରହ କରିଥିଲେ। ତକି ଖାଁଙ୍କ ଭଳି ଚରିତ୍ର ଫୁଟାଇବା ପାଇଁ ବୁଲିବୁଲି ବହୁ ଯାବନିକ ଶବ୍ଦ ସହ ଅଷ୍ଟାଦଶ ଶତାବ୍ଦୀର ନବାବମାନଙ୍କର ଆଦବ କାଇଦା ଓ ଚାଲିଚଳଣୀ ସମ୍ପର୍କରେ ସେତେବେଳର ଇତିହାସରୁ ବହୁ ତଥ୍ୟ ସଂଗ୍ରହ କରିଥିଲେ। ସେ ଏକଥା ବି କହିଲେ, ‘ନୀଳଶୈଳ’ରେ ସୁରେନ୍ଦ୍ର ମହାନ୍ତି ଭକ୍ତିର ଊର୍ଧ୍ୱରେ ଶ୍ରଜଗନ୍ନାଥଙ୍କ ପ୍ରତି ମମତ୍ୱବୋଧର କଥା ଏ ଜାତିକୁ ଶିଖାଇଛନ୍ତି। ଏହି ମମତ୍ୱବୋଧ ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ଏବଂ ସାମଗ୍ରିକ ଭାବେ ଓଡ଼ିଆ ଜାତିକୁ ରକ୍ଷା କରିପାରିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟକ୍ଷତା କରିଥିଲେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ। ଗ୍ରନ୍ଥାଗାରର ଗ୍ରାନ୍ଥାଧ୍ୟକ୍ଷ ସନ୍ତୋଷ କୁମାର ଚାଟାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗଙ୍ଗାଧର କର ଧନ୍ୟବାଦ ଅର୍ପଣ କରିଥିଲେ।