ଆଜି ପ୍ରବାସୀ ଭାରତୀୟ ଦିବସ

ବିକାଶ ପ୍ରକ୍ରିୟାରେ ପ୍ରବାସୀଙ୍କୁ ସାମିଲ୍‌ କରାଯାଉ

ଜାନୁଆରି ୯ ତାରିଖ ପ୍ରବାସୀ ଭାରତୀୟ ଦିବସ। ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ସ୍ୱୀକୃତି ଦେବାକୁ ଓ ଦେଶ ବିକାଶରେ ସେମାନଙ୍କ ଭାଗୀଦାରିତା ବଢ଼ାଇବାକୁ ଏହିପରି ଏକ ଦିବସକୁ ସରକାର ମାନ୍ୟତା ଦେଇଛନ୍ତି। ୨୦୦୨ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଘୋଷଣା କରିବା ସହ ଦିନକୁ ପ୍ରବାସୀ ଭାରତୀୟଙ୍କ ପାଇଁ ଉତ୍ସର୍ଗ କରିଥିଲେ।

ସାରା ଦେଶରୁ ବହୁ ଲୋକ ପ୍ରବାସରେ ରହୁଛନ୍ତି କର୍ମସଂସ୍ଥାନ ପାଇଁ। ଓଡ଼ିଶାରେ ବି ଏହି ସଂଖ୍ୟା କିଛି କମ୍‌ ନୁହେଁ। ବିଶ୍ୱର ବହୁ ଦେଶରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠିତ ହୋଇପାରିଛନ୍ତି। ପ୍ରବାସରେ ସେମାନଙ୍କ କୃତିତ୍ୱ ଓଡ଼ିଶାକୁ ଗୌରବାନ୍ଵିତ କରୁଛି। ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ତାହା ସେମାନେ ପ୍ରମାଣିତ କରିପାରିଛନ୍ତି।

ପ୍ରବାସରେ ଥିଲେ ବି ନିଜ ଜନ୍ମମାଟିକୁ ଭୁଲି ପାରିନାହାନ୍ତି ବହୁ ଓଡ଼ିଆ। ନିଜ ସାଧ୍ୟ ମୁତାବକ ରାଜ୍ୟର ବିକାଶ ପାଇଁ ସେମାନେ ନିଜର କିଛି ଅବଦାନ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ବ୍ୟକ୍ତିଗତ ଉଦ୍ୟମରେ ସେମାନେ ଓଡ଼ିଶାରେ ଶିଳ୍ପ, ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ପୁଣି କଳା, ସଂସ୍କୃତି, ସାହିତ୍ୟର ପୃଷ୍ଠପୋଷକତା କରୁଥିବାର ବି ନଜିର ରହିଛି। ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟର ବିକାଶ ସହ ଯୋଡ଼ିିବା ପାଇଁ ସରକାରଙ୍କର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସରକାରୀ ସହଯୋଗ ଯଥେଷ୍ଟ ନ ରହିଲେ, ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସମ୍ଭବ ହେବ ନାହିଁ। ବିଭିନ୍ନ ସମୟରେ ପ୍ରବାସୀ ଓଡ଼ିଆଙ୍କର ସମ୍ମିଳନୀ ହୋଇଛି। କେତେବେଳେ ଦେଶ ଭିତରେ ତ କେତେବେଳେ ବାହାରେ। ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାରଙ୍କ ପ୍ରତିନିଧିମାନେ ସେଥିରେ ଯୋଗ ଦେଇଛନ୍ତି। କିନ୍ତୁ ପ୍ରବାସୀ ଓଡ଼ିଆଙ୍କୁ ଅଧିକ ମାତ୍ରାରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ସଂପୃକ୍ତ କରିବା ନେଇ ଯେପରି ଉଦ୍ୟମ ହେବା କଥା, ତାହା ହୋଇ ନାହିଁ। କେବଳ ସଭାସମିତି ଓ ଭାଷଣବାଜିରେ ସୀମିତ ରହିଯାଇଛି। ଏ ନେଇ ପ୍ରବାସରୁ ବିଭିନ୍ନ ସମୟରେ ଅଭିଯୋଗ ବି ଆସିଛି। ତେଣୁ ସରକାର ଠୋସ୍‌ ଯୋଜନା ପ୍ରସ୍ତୁତ କରି ସେମାନଙ୍କୁ ବିକାଶ ପ୍ରକିୟାରେ ସାମିଲ୍‌ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

ଏହି ଅବସରରେ ବିଦେଶରେ ରହୁଥିବା ଓଡ଼ିଶାର ୩ଜଣ ପ୍ରଖ୍ୟାତ ପ୍ରବାସୀ ଭାରତୀୟଙ୍କୁ ନେଇ ସସ୍ମିତା ମଲ୍ଲଙ୍କ ସ୍ୱତନ୍ତ୍ର ଉପସ୍ଥାପନା

ଆମେରିକାରେ ବସବାସ କରୁଥିବା ଜଣେ ଜଣାଶୁଣା ଓଡ଼ିଆ ହେଲେ ପ୍ରଫେସର୍‌ ଶିତିକଣ୍ଠ ଦାଶ। କଳିଙ୍ଗ ହସ୍ପିଟାଲ୍‌ର ମଧ୍ୟ ସେ ଅନ୍ୟତମ ପ୍ରତିଷ୍ଠାତା। ଓଡ଼ିଶାର ବିକାଶ ଓ ପ୍ରବାସୀଙ୍କ ଭୂମିକା ନେଇ ତାଙ୍କ ମତ ହେଲା, ମୁଁ ଓଡ଼ିଶା ପାଇଁ ଅନେକ କାମ କରିବାକୁ ଆଗ୍ରହୀ। ହସ୍ପିଟାଲ୍‌ ପ୍ରତିଷ୍ଠା ସହ ୪ଟି ସ୍କୁଲ୍‌ ମଧ୍ୟ ମୋ ଉଦ୍ୟମରେ ପ୍ରତିଷ୍ଠା ହୋଇଛି। ସୁଯୋଗ ମିଳିଲେ ମୁଁ ଓଡ଼ିଶା ପାଇଁ ଅନେକ କାମ କରିବି। ସରକାରଙ୍କ ସହଯୋଗ ବାବଦରେ ନ କହିବା ଭଲ। ମୁଁ ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରେ ନାହିଁ। ମୁଁ ଓଡିଆ, ଓଡ଼ିଶା ମୋର ଜନ୍ମମାଟି। ଏହା ଏକ ଆଦର୍ଶ ରାଜ୍ୟ। ମାଟି ପ୍ରତି ମୋର କର୍ତ୍ତବ୍ୟ ଅଛି। ବ୍ୟକ୍ତିଗତ ଉଦ୍ୟମରେ ଯାହା କରିବା କଥା କରୁଛି।
ଶିତିକଣ୍ଠ ଦାଶ, ଆମେରିକା

ଜର୍ମାନ୍‌ରେ ରହୁଥିବା ଡ. ରାଜେନ୍ଦ୍ର ନାରାୟଣ ଦାସ ଜଣେ ପ୍ରତିଷ୍ଠିତ ଓଡ଼ିଆ। ଜଣେ ସ୍ତମ୍ଭକାର ଭାବେ ତାଙ୍କର ପରିଚୟ ରହିଛି। ତାଙ୍କ ମତ ହେଲା, ଓଡ଼ିଶା ମୋ ମାତୃଭୂମି। ଜଣେ ବାହାରେ ରହିଲେ ବି ସେ ଦିନେ ନା ଦିନେ ନିଜ ମାତୃଭୂମିକୁ ନିଶ୍ଚିତ ଫେରିବ। ଜନ୍ମଭୂମି ଓ ଗାଁ ପ୍ରତି ମମତା ନିଶ୍ଚିତ ରହିବ। ଆମେ ଜାଣୁ ଆମ ଜନ୍ମ ସ୍ଥାନରେ ଯେଉଁ ସାମାଜିକ ନିରାପତ୍ତା ଅଛି, ତାହା ଅନ୍ୟତ୍ର ନାହିଁ। ସେଥିପାଇଁ ମାତୃଭୂମିକୁ ଭୁଲିବା ଅସମ୍ଭବ। କାରଣ କେହି ଖୁସିରେ ମାତୃଭୂମି ଛାଡ଼ିନଥାନ୍ତି। କର୍ମସଂସ୍ଥାନ ପାଇଁ ବାହାରକୁ ଯିବାକୁ ପଡ଼େ। ଯଦି ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବେ, ତେବେ କେହି ଓଡ଼ିଆ ବାହାରକୁ ଯିବେ ନାହିଁ। ଆଉ ପ୍ରବାସରେ ରହିଲେ ନିଜ ମାତୃଭୂମି ପାଇଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ଅବଦାନ ରହିବା ଜରୁରୀ।
ଡ. ରାଜେନ୍ଦ୍ର ନାରାୟଣ ଦାସ, ଜର୍ମାନୀ

ଆମେରିକାରେ ରହୁଥିବା ସନ୍ଧ୍ୟାଦୀପା କର ଜଣେ ଓଡ଼ିଶୀ ନୃତ୍ୟଗୁରୁ ଭାବେ ବେଶ୍‌ ପରିଚିତ। ଆମେରିକା ସମେତ ବହୁ ଦେଶରେ ସେ ଓଡ଼ିଶୀ ନୃତ୍ୟଶିକ୍ଷା ଦେଉଛନ୍ତି। ସେ କହିଛନ୍ତି, କଳା ଓ ସଂସ୍କୃତି ହେଉଛି ଓଡ଼ିଶାର ପରିଚୟ। ମୁଁ ବହୁ ଦେଶ ଭ୍ରମଣ କରି ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଏହି ବିଭବକୁ ପ୍ରଚାର କରୁଛି। ଓଡ଼ିଶୀ ନୃତ୍ୟ ଦେଖି ବହୁ ବିଦେଶୀ ନାଗରିକ ଓଡ଼ିଶା ପ୍ରତି ଆକର୍ଷିତ ହେଉଥିବାର ମୁଁ ଲକ୍ଷ୍ୟ କରିଛି। ବାହାରେ ରହୁଥିଲେ ବି ମାତୃଭୂମି ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି। ଓଡ଼ିଶାର ଅବହେଳିତ ଅବସ୍ଥାରେ ଥିବା ପିଲାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଯେ କୌଣସି ପ୍ରବାସୀ ନିଜ ରାଜ୍ୟରେ କିଛି କରିବାକୁ ଚାହିଲେ, ସ୍ଥାନୀୟ ସରକାର ଓ ପ୍ରଶାସନର ସହଯୋଗ ନିଶ୍ଚିତ ଲୋଡ଼ା। ମୁଁ ଆଶା କରୁଛି ମୋ ପରି ଯେଉଁମାନେ ବି ଓଡ଼ିଶା ପାଇଁ କିଛି କରିବାକୁ ଚାହୁଛନ୍ତି, ସେଥିରେ ସରକାର ସହଯୋଗ ଯୋଗାଇଦେବା ଆବଶ୍ୟକ।
ସନ୍ଧ୍ୟାଦୀପା କର, ଆମେରିକା

ସମ୍ବନ୍ଧିତ ଖବର