କାମରେ ଲାଗୁନି ପ୍ରି‌ପେଡ୍‌ ଅଟୋ, ବଢ଼ୁଛି ଚାଳକଙ୍କ ଦୌରାତ୍ମ୍ୟ

ଭୁବନେଶ୍ବର: ୨୦୧୫ ମାର୍ଚ ୨୩ ତାରିଖ। କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ରେଳଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ ଓ କିଟ କ୍ୟାମ୍ପସ ନିକଟରେ ୩ଟି ପ୍ରିପେଡ୍‌ ଅଟୋ ସେବାର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏହି ସେବାର ମୂଳ ଲକ୍ଷ୍ୟ ଥିଲା ଯାତ୍ରୀମାନଙ୍କ ସୁରକ୍ଷା, ଯାତ୍ରୀମାନେ କିଭଳି ଠକେଇର ଶିକାର ନ ହେବେ ଓ ବିଳମ୍ବିତ ରାତିରେ ଉଚିତ ମୂଲ୍ୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ। ଏଥିପାଇଁ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଏହି କେନ୍ଦ୍ରରେ ନିଯୁକ୍ତି ମିଳିଥିଲା। ସେମାନେ ଯାତ୍ରୀମାନଙ୍କଠାରୁ ସମସ୍ତ ସୂଚନା ସଂଗ୍ରହ କରି ଆଗୁଆ ଟଙ୍କା ସଂଗ୍ରହ କରି ଅଟୋ ପଠାଉଥିଲେ। ଦିନ ରାତି ୨୪ ଘଣ୍ଟା ଏହି ସେବା ଉପଲବ୍ଧ ହେଉଥିଲା। ପ୍ରଥମେ ପ୍ରଥମେ ଏହି ସେବା ଠିକଠାକ୍‌ ଚାଲିଲା। କିନ୍ତୁ ଏହାରି ମଧ୍ୟରେ ୪ବର୍ଷ ବିତି ଗଲାଣି। ବତର୍ମାନ କେମିତି ଚାଲିଛି ଏହି ସେବା ଚାଲିଛି, ଜାଣିବା ଲାଗି ଆମେ ଭୁବନେଶ୍ବର ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ଥିବା ପ୍ରିପେଡ ଅଟୋ ସେବା କେନ୍ଦ୍ର ବୁଲି ଦେଖିଥିଲୁ। ଗୁରୁବାର ସମୟ ରାତି ପ୍ରାୟ ୧୧ଟା। ବରମୁଣ୍ଡା ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥ ଉପରେ ଥିବା ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ର ନିକଟରେ ଆମେ ପହଞ୍ଚିଥିଲୁ। ପୂରା ଅନ୍ଧାକାରମୟ ଥିଲା ସେହି ଅଞ୍ଚଳ। ମୁହଁକୁ ମୁହଁ ଦେଖା ଯାଉନଥିଲା। ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ର କେଉଁଠି ଅଛି, ତାହା ମଧ୍ୟ ଦେଖା ଯାଉ ନ ଥିଲା। ଏହି ସମୟରେ ଖୋର୍ଧା ପଟୁ ଏକ ବସ୍‌ ଆସିଥିଲା, ବସ ଲାଇଟରେ ସେବା କେନ୍ଦ୍ର ଦେଖା ଯାଇଥିଲା ସତ। କିନ୍ତୁ ତା’ ଭିତରେ କେହି ନ ଥିଲେ। ନିକଟରେ ଅଟୋ କିମ୍ବା ଅଟୋଷ୍ଟାଣ୍ଡର ଚିହ୍ନବର୍ଣ୍ଣ ମଧ୍ୟ ନଥିଲା। ସେବା କେନ୍ଦ୍ରକୁ ମଧ୍ୟ ଆପଣ ଯାଇପାରିବେ ନାହିଁ। ସେବା କେନ୍ଦ୍ରର ଚାରିପଟକୁ କେହି ଦୁଇ ଫୁଟ ଲେଖାଏ ଖୋଳି ପକାଇଛି। ଯଦି କେହି ଅନ୍ଧାରରେ କେନ୍ଦ୍ର ନିକଟକୁ ଚାଲି ଯିବ, ଖାଲରେ ଗଳି ପଡ଼ିବାଟା ନିଶ୍ଚିତ। ଆମେ ସେଠାରେ ଅଟକି କେତେକ ଯାତ୍ରୀଙ୍କୁ ପ୍ରିପେଡ୍‌ ଅଟୋ ସେବା ସମ୍ପର୍କରେ ପଚାରିଥିଲୁ। ସେମାନଙ୍କ ଉତ୍ତର ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଅଧିକାଂଶ ଯାତ୍ରୀଙ୍କ ଉତ୍ତର ଥିଲା ପ୍ରିପେଡ୍‌ ଅଟୋ ସେବା କ’ଣ ? କେଉଁଠି ମିଳୁଛି ? ଆମେ ତ ଜାଣି ନାହୁଁ। ସେଠୁ ସିଧା ଆସିଥିଲୁ ଭୁବନେଶ୍ବର ରେଳ ଷ୍ଟେସନ। ସେଠାରେ ପହଞ୍ଚିବା ପରେ କେତେକ ଅଟୋ ଚାଳକ ଆମକୁ ଘେରି ଯାଇଥିଲେ। କହିଥିଲେ, କୁଆ‌ଡ଼େ ଯିବେ, ଅଟୋ… ଅଟୋ..। ଏହା ପରେ ଆମେ ପ୍ରିପେଡ ଅଟୋ ସମ୍ପର୍କରେ ପଚାରିଥିଲୁ। ଅଟୋ ଚାଳକ ଭାଇମାନେ କହିଥିଲେ ହଁ ଆଜ୍ଞା ଏଠାରେ ପ୍ରିପେଡ୍‌ ଅଟୋ ସେବା ଉପଲବ୍ଧ ହେଉଛି। ଦେଖନ୍ତୁ ଏହି ଖାତା ଆମେ ସିରିଏଲ କରି ଅଟୋ ଚାଳକଙ୍କ ନାଁ ଓ ନମ୍ବର ଟିପୁଛୁ, ଯାତ୍ରୀମାନେ କେଉଁଠିକୁ ଯାଉଛନ୍ତି, ସେମାନଙ୍କ ତଥ୍ୟ ବି ଆମେ ରଖୁଛୁ। ଆମର ଏଠି ଠିକଠାକ୍‌ରେ ଚାଲିଛି। ତେବେ ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ରକୁ ନିରେଖି ଦେଖିବା ପରେ ସେବା କେନ୍ଦ୍ର ବାହାରୁ ତାଲା ପଡ଼ିଥିଲା। ଭିତରେ କୌଣସି ପୁଲିସ ବାବୁ ନ ଥିଲେ। ସେହିପରି ଏହି ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ରଟି ରେଳ ଷ୍ଟେସନର ଏକଦମ ସମ୍ମୁଖରେ ଥିଲେ ମଧ୍ୟ ଏହା ସମ୍ମୁଖରେ ଗୁଡ଼ାଏ ଅଟୋ ପାର୍କିଂ ହେଉଥିବାରୁ ଏହାକୁ ଯାତ୍ରୀମାନେ ଦେଖି ମଧ୍ୟ ପାରୁନାହାନ୍ତି। ତେଣୁ ଯାତ୍ରୀମାନେ ଜନପଥକୁ ଆସି ଅଟୋ ଭଡ଼ା କରୁଛନ୍ତି।

କିଟ୍‌ ନିକଟରେ ଥିବା ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ର ସମ୍ପର୍କରେ ବୁଝାବୁଝି କରିବାରୁ ଜଣାପଡ଼ିଥିଲା, ଏହା କିଛି ବର୍ଷ ତଳୁ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହା ହେଉଛି ୪ ବର୍ଷ ତଳେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ୩ଟି ପ୍ରିପେଡ ଅଟୋ ସେବା କେନ୍ଦ୍ରର ଅବସ୍ଥା। ପରିଚାଳନାର ଅଭାବରୁ ଏହି ସେବା କେନ୍ଦ୍ରଗୁଡ଼ିକ ସେବା ଯାତ୍ରୀମାନେ ପାଇ ପାରୁନାହାନ୍ତି। ଏହାଛଡ଼ା ପ୍ରଚାର ଓ ପ୍ରସାର ଅଭାବ କାରଣରୁ ବାହାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ପ୍ରିପେଡ୍‌ ଅଟୋ ସେବା ସମ୍ପର୍କରେ କୌଣସି ସୂଚନା ପାଉନାହାନ୍ତି। ବାହାରୁ ଚଢ଼ା ଦରରେ ଅଟୋ ଭଡ଼ା କରି ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ରାତି ସମୟରେ ଏହାର ଫାଇଦା ନେଉଛନ୍ତି କେତେକ ଅସାଧୁ ଅଟୋ ଚାଳକ। ଅନେକ ଅପରାଧର ମଧ୍ୟ ଶିକାର ହେଉଛନ୍ତି। ୪ ବର୍ଷ ତଳେ ଅତ୍ୟନ୍ତ ଜାକଜମକର ସହିତ ଆରମ୍ଭ ହୋଇଥିବା ଏହି ସେବାର ଅବସ୍ଥା ବର୍ତମାନ ଏଇୟା। ତତ୍କାଳୀନ ପୁଲିସ କମିସନର୍‌ ତଥା ବର୍ତମାନର ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କର ଏହା ଥିଲା ଡ୍ରିମ୍‌ ପ୍ରୋଜେକ୍ଟ। ତାଙ୍କର ବଦଳି ପରେ ଏହି ସେବାରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା।

ପ୍ରିପେଡ ଅଟୋ ସେବା ଠିକ ଭା‌ବେ ଚାଲୁନାହିଁ। ଏହା ସ୍ବୀକାର କରିଛନ୍ତି ଖୋଦ ପୁଲିସ କମିସନର ସତ୍ୟଜିତ ମହାନ୍ତି। କହିଛନ୍ତି, ଲୋକ ସମ୍ବଳର ଅଭାବ ଯୋଗୁଁ ଏହି ସେବା କେନ୍ଦ୍ରରେ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପାରୁନାହିଁ। ତେବେ ବରମୁଣ୍ଡା ବସଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରିପେଡ୍‌ ଅଟୋ ସେବା କେନ୍ଦ୍ରର ଆବଶ୍ୟକତା ରହିଛି। ଏ ନେଇ ବିଏମସି ଓ ରେଳବାଇ ସହ ଆଲୋଚନା କରାଯାଇ ଏହାକୁ ପୁନଃରୁଦ୍ଧାର କରାଯିବ।

ପୁଲିସ କମିସନର ସତ୍ୟଜିତ ମହାନ୍ତି
ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ପ୍ରିପେଡ ଅଟୋରେ ନ ଯାଇ ବାହାର ଅଟୋରେ ଯିବା କାରଣରୁ ସେମାନେ ବିଭିନ୍ନ ସମୟରେ ଲୁଟପାଟର ଶିକାର ହେ‌ଉଛନ୍ତି। ବିଶେଷକରି ନିଶା ଦେଇ ଲୁଟ ହେଉଥିବା ଅପରାଧରେ ଷ୍ଟେସନ ବାହାରର ଅଟୋ ଚାଳକମାନେ ସଂପୃକ୍ତ ରହୁଛନ୍ତି। ଗତ ଏକ ମାସ ମଧ୍ୟରେ ୨୮ ଜଣ ଯାତ୍ରୀ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସର୍ବସ୍ବ ହରାଇଛନ୍ତି। ଭରତ ସାହୁ, ଇନ୍ସପେକ୍ଟର ରେଳବାଇ ଥାନା ରାଜଧାନୀରେ ଆହୁରି ପ୍ରିପେଡ ଅଟୋ ସେବା କେନ୍ଦ୍ର ଖୋଲିବାର ଆବଶ୍ୟକତା ରହିଛି। ସହରର ବିଭିନ୍ନ ମୁଖ୍ୟ ଛକରେ ପ୍ରିପେଡ୍‌ ଅଟୋ ପାଇଁ ଯୋଜନା ହୋଇଥିଲେ ମଧ୍ୟ ପୁଲିସର ମନୋବଳ ଅଭାବରୁ ଏହା ହୋଇ ପାରୁନାହିଁ।
ପଦ୍ମନ କୁମାର ସାମଲ, ଅଟୋ ସଂଘ

ସମ୍ବନ୍ଧିତ ଖବର