ଏକାମ୍ରକ୍ଷେତ୍ରରେ ପଞ୍ଚୁକ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ପଞ୍ଚୁକ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି। ସେଦିନ ଭୋର ୩ଟାରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ପରେ ସାଢ଼େ ୩ଟାରୁ ମନ୍ଦିର ପହୁଡ଼ ଖୋଲାଯିବ। ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ। ସେହିପରି ପଞ୍ଚୁକରେ ହବଷିଆଳିମାନଙ୍କ ସ୍ୱତନ୍ତ୍ର ଭାବେ ଲକ୍ଷ୍ମୀ ପୂଜା କରାଯିବ। ସକାଳେ ରାଧାକୃଷ୍ଣଙ୍କ ପୂଜା ପରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ ବୋଲି ହବିଷିଆଳିମାନେ କହିଛନ୍ତି। ସେପଟେ ପଞ୍ଚୁକ ୫ଦିନରେ ଅଭଡ଼ା ଚାହିଦା ଅଧିକ ଥିବାରୁ ଅଧିକ ପରିମାଣରେ ଅବଢ଼ା ରନ୍ଧା ଯିବା ପାଇଁ ସେବାୟତମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଯଥେଷ୍ଟ ପରିମାଣରେ କରାଯିବ ବୋଲି ସେବାୟତମାନେ କହିଛନ୍ତି। ମନ୍ଦିରରେ ଏହି ସମୟରେ ସନ୍ଧ୍ୟାରେ ଭିଡ଼ ଅଧିକ ହେବାର ଥିବାରୁ ଅଧିକ ପୁଲିସ ମୁତୟନ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଆଜି ଅଂଳା ନବମୀ ଉପଲକ୍ଷେ ଶ୍ରଦ୍ଧାଳୁମାନେ ଅଂଳା ବୃକ୍ଷ ପୂଜା କରିଥିଲେ। ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଅଂଳା ବୃକ୍ଷକୁ ଶ୍ରଦ୍ଧାଳୁମାନେ ପୂଜା କରିଥିଲେ।

ସମ୍ବନ୍ଧିତ ଖବର