ସଜେଇ ହେଉଛି ପ୍ରଦର୍ଶନୀ ପଡ଼ିଆ : ମେ ୨୯ରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ, ୫ହଜାର ଲୋକ ବସିବାର ବ୍ୟବସ୍ଥା ହେବ

ଭୁବନେଶ୍ବର : ଲଗାତର ପଞ୍ଚମ ଥର ପାଇଁ ବିଜେଡି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବାବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବାକୁ ଥିବାବେଳେ ଏନେଇ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଟେଣ୍ଟ ଓ ମଞ୍ଚ ବନ୍ଧା ଆରମ୍ଭ ହୋଇଛି।

ବିଜେଡି ଏଥର ପ୍ରଥମ କରି ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବୁଧବାର ପୂର୍ବାହ୍ନ ୧୦ଟା ୩୦ରୁ ଏହି ଉତ୍ସବ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ବିଜେଡି ବାତ୍ୟା ଫନି ଯୋଗୁଁ ଆଡ଼ମ୍ବର ସହକାରେ ନହେଲେ ସଂପୂର୍ଣ୍ଣ ନିରାଡମ୍ବର ଭାବେ ବି ଶପଥ ଉତ୍ସବ ପାଳନ କରୁନି। ୫ମ ପାଳିର ଏହି ଶପଥ ଗ୍ରହଣ ଉତ୍ସବ ଯେପରି ସମସ୍ତଙ୍କ ମନରେ ରହିବ ସେଥିପାଇଁ ସବୁ ପ୍ରକାରର ବନ୍ଦୋବସ୍ତ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ।

ପ୍ରବଳ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ପ୍ରାୟ ଅଧା ଅଞ୍ଚଳରେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବାନ୍ଧିବାକୁ ନି‌ଷ୍ପତ୍ତି ହୋଇଛି। ୨୦ରୁ ଅଧିକ ଏଲ୍‌ଇଡି ସ୍କ୍ରିନ୍ ଲାଗିବ। ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ଲାଇଭ୍ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ପାଇଁ ଏଠାରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗଦା ହୋଇଥିବା ଗଛ ଓ ଡାଳଗୁଡ଼ିକୁ ଶୁକ୍ରବାରଠାରୁ ଖାଲି କରାଯାଉଛି। ପ୍ରାୟ ୫୦ରୁ ଅଧିକ ଟ୍ରକ୍ ଓ ଜେସିବି ଲାଗି ଏହି ସବୁଜ ଆବର୍ଜନାଗୁଡ଼ିକୁ ଡମ୍ପିଂୟାର୍ଡକୁ ବୁହାଯାଉଛି। ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତିରେ ଯେପରି କୌଣସି ସମସ୍ୟା ନରହେ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର