ମାଟି ତଳୁ ବାହାରିବେ ମାଧୁରୀ

ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ଧକ୍‌ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ୍, ବଲିଉଡ୍‌ ବାଦଶାହା ଶାହରୁଖ ଖାନ୍, ଓସ୍କାର ବିଜେତା ଏ.ଆର୍‌ ‌ର‌େହମାନ୍‌ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ମଞ୍ଚ ପ୍ରସ୍ତୁତ ହେଲାଣି। କେଉଁଠୁ ମାଧୁରୀ ମଞ୍ଚକୁ ପ୍ରବେଶ କରିବେ, ଶାହରୁଖ୍ କେଉଁ ଷ୍ଟାଇଲ୍‌ରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇସାରିଲାଣି। ମଞ୍ଚ ପ୍ରସ୍ତୁତ ସରିଲେ ଉଦ୍‌ଘାଟନୀ ଉତ୍ସବର ଦୁଇ ଦିନ ପୂର୍ବରୁ ଜୋରଦାର୍‌ ରିହରସାଲ୍ ହେବ ବୋଲି ଜଣାପଡ଼ିଛି।

ଧକ୍‌ ଧକ୍ ଗାର୍ଲ ମାଧୁରୀଙ୍କ ଏଣ୍ଟ୍ରି ଦମ୍‌ଦାର୍‌ ହେବାକୁ ଯାଉଛି। ହଠାତ୍‌ ମଞ୍ଚ ମଝିରୁ ମାଧୁରୀ ବାହାରିବେ। ଏଥିପାଇଁ ପଡ଼ିଆ ମଝିରେ ୪୦୯୬ ବର୍ଗଫୁଟ୍‌ ବିଶିଷ୍ଟ ଗୋଲାକାର ମଞ୍ଚ ପ୍ରସ୍ତୁତ ହୋଇଛି। ଏହି ମୁଖ୍ୟ ମଞ୍ଚରେ ପ୍ରଦର୍ଶନ କରିବେ ଶାହରୁଖ୍‌ ଖାନ୍‌ ଓ ମାଧୁରୀ ଦୀକ୍ଷିତ୍‌। ଏହି ଦୁଇ ବଲିଉଡ୍‌ ପ୍ରଖ୍ୟାତ କଳାକାରଙ୍କର ମଞ୍ଚ ପ୍ରବେଶ ଉପରେ ଆୟୋଜକ ଗୁରୁତ୍ବ ଦେଇଛନ୍ତି। ଉଭୟ କଳାକାରଙ୍କର ମଞ୍ଚ ପ୍ରବେଶ ଭିନ୍ନ ଭିନ୍ନ ଷ୍ଟାଇଲ୍‌ର ହେବ। ମାଧୁରୀ ମଞ୍ଚ ମଝିରୁ ମାଟି ତଳୁ ବାହାରିବେ। ଏଥିପାଇଁ ମଞ୍ଚର ଗୋଟିଏ ପାର୍ଶ୍ବରେ ମାଟି ତଳେ ୬ ଫୁଟ ଗଭୀରର ଗାତ ଖୋଳା ଯାଇଥିବା ବେଳେ ମଞ୍ଚ ମଝିରେ ମଧ୍ୟ ଫାଙ୍କ ରଖା ଯାଇଛି। ଏକ ବିରାଟକାୟ ଗ୍ଲୋବ୍‌ ଭିତରେ ମାଧୁରୀ ରହିବେ। ଏହି ଗ୍ଲୋବ୍‌ ମାଟି ତଳୁ ‌ବାହାରି ଉପରକୁ ଆସିବ। ମଞ୍ଚ ଉପରେ ହିଁ ପଦ୍ମ ପାଖୁଡ଼ା ଭଳି ଏହା ଖୋଲିଯିବ। ଏହା ମଝିରୁ ବାହାରିବେ ମାଧୁରୀ। ତାଙ୍କ ଅଭିନୀତ ହିନ୍ଦୀ ସିନେମା ଗୀତର ତାଳେ ତାଳ‌‌ ନାଚିବେ ଧକ୍ ଧକ୍ ଗାର୍ଲ।

ଶାହରୁଖ୍‌ଙ୍କ ପାଇଁ କାଳ୍ପନିକ ଯାନ
ସେହିଭଳି ଶାହରୁଖ୍‌ ଖାନ୍‌ଙ୍କ ମଞ୍ଚ ପ୍ରବେଶ ମଧ୍ୟ ଆକର୍ଷଣୀୟ ହେବ। ଏକ ସ୍ବତନ୍ତ୍ର ଗାଡ଼ିକୁ ନୂଆ ରୂପ ଦିଆଯାଇଛି। ଏହା ଯେଭଳି ଏକ ଗାଡ଼ି ଭଳି ଜଣାପଡ଼ିବନି ସେଥିପାଇଁ ଏହା ଉପରେ ଏକ କାଳ୍ପନିକ ମଡେଲ ପ୍ରସ୍ତୁତ କରାଯାଇଛି। ପଡ଼ିଆ ପରିକ୍ରମା କରିବା ପରେ ହଠାତ୍‌ ଏହି ଗାଡ଼ି ଭିତରୁ ଶାହରୁଖ୍‌ ଛିଡ଼ା ହୋଇ ହାତ ହଲାଇବେ।

ଏ.ଆର୍‌ ‌ର‌େହମାନ୍‌ଙ୍କ ପାଇଁ ସ୍ବତନ୍ତ୍ର ମଞ୍ଚ
ସେହିଭଳି ଏ.ଆର୍‌ ‌ର‌େହମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମଞ୍ଚ ହେଉଛି। ୪୨୬୬(୫୪x୭୯) ବର୍ଗଫୁଟ୍‌ ଆକାରର ଏହି ମଞ୍ଚରେ କେବଳ ର‌େହମାନ୍ ଏବଂ ତାଙ୍କ ଟ୍ରୁୂପ୍‌ ସଙ୍ଗୀତ ପରିବେଷଣ କରି‌େବ। ର‌େହମାନ୍‌ଙ୍କ ସହ ପ୍ରାୟ ୧୦୦ ଜଣ ସହଯୋଗୀ ଆସୁଛନ୍ତି। ତାହାକୁ ନଜରରେ ରଖି ମଞ୍ଚ ପ୍ରସ୍ତୁତ ହୋଇଛି।

ପାଦ ପଡ଼ିଲେ ଜଳିବ ଆଲୁଅ
ବିଶ୍ବକପ୍‌ ହକି ପାଇଁ ଝଲସୁଛି ଷ୍ଟାଡିୟମ। ଷ୍ଟାଡିୟମ ପରିସରରେ ନାନା ଡିଜାଇନ୍‌ର ଆଲୋକମାଳା ଝଟକୁଥିବା ବେଳେ ପାଦଚଲା ରାସ୍ତାରେ ମଧ୍ୟ ଆଲୋକ ଖଞ୍ଜା ଯାଇଛି। ମେଡିଆନ୍‌ରେ ବିଭିନ୍ନ ରଙ୍ଗର ପତ୍ର ଥିବା ଗଛ ଲାଗିଥିବା ବେଳେ ଏଥିରେ କମ୍‌ ଆଲୋକ ବିଶିଷ୍ଟ ଲାଇଟ୍‌ ଖଞ୍ଜା ଯାଇଛି। ଏହାକୁ ଏପରି ସଜାଯାଇଛି ଯେମିତି ଆପଣଙ୍କ ପାଦ ପଡ଼ିଲେ ଲାଇଟ୍ ଜଳୁଛି ସେହିଭଳି ଅନୁଭବ ହେବ।

ପୁଲିସଙ୍କୁ ସ୍ବତନ୍ତ୍ର ତାଲିମ୍‌
କମିସନରେଟ୍‌ ପୁଲିସ ସୁରକ୍ଷାକୁ ‌ଯେତିକି ଗୁରୁତ୍ବ ଦେଇଛି ସେମିତି ପୁଲିସ କର୍ମଚାରୀଙ୍କ ବ୍ୟବହାର ନେଇ ମଧ୍ୟ ଯତ୍ନବାନ ହୋଇଛି। ତେଣୁ ପୁଲିସ କର୍ମଚାରୀମାନେ କିଭଳି ଉତ୍ତମ ବ୍ୟବହାର କରିବବେ ସେଥିପାଇଁ ମଙ୍ଗଳବାରଠାରୁ ବଛାବଛା ୮୦ଜଣ ପୁଲିସ କର୍ମଚାରୀଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ କମିସନରେଟ ପୁଲିସ ମୁଖ୍ୟାଳୟରେ ତାଲିମ ଦିଆଯିବ। ‌ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଏହି ତାଲିମ ତେବେ। ଦୁଇ ଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ। ଖେଳାଳିଙ୍କୁ ବିମାନବନ୍ଦରରୁ ହୋଟେଲ୍‌, ହୋଟେଲ୍‌ରୁ ଷ୍ଟାଡିୟମ୍‌କୁ ନେବାଆଣିବା ପାଇଁ ପୁଲିସକର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ବୁଲାବୁଲି କରିବା ପାଇଁ ଏହି ସ୍ବତନ୍ତ୍ର ପୁଲିସ ଟିମ୍‌ ଖେଳାଳିଙ୍କ ସହ ରହିବେ। ସେମାନେ ଖେଳାଳିଙ୍କୁ କିଭଳି ଉତ୍ତମ ବ୍ୟବହାର କରିବେ, କଥାବାର୍ତ୍ତା କରିବେ ସେ ଦିଗରେ ଖୁବ୍ ଯତ୍ନବାନ ରହିବେ। କାର୍ଯ୍ୟରତ ଥିବା ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ସହ ରହି ବ୍ୟବହାର ଉପରେ ଧ୍ୟାନ ଦେବେ‌ ବୋଲି କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର