ରାଜଧାନୀରେ ଆତଙ୍କବାଦୀ ମୁକାବିଲା ଏମିତି : ଷ୍ଟେନ୍‌ଗନ୍‌ ସହ ଲଢ଼ିବ ଲାଠି

ଭୁବନେଶ୍ବର : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ବିମାନବନ୍ଦର, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ପର୍ଯ୍ୟଟନ ସ୍ଥଳୀ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବଢ଼ାଇବା ଲାଗି ସମସ୍ତ ରାଜ୍ୟକୁ ନିର୍ଦେଶ ଦିଆଯାଇଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରେ କଡ଼ା ପ୍ରହରା ଜାରି ରହିଛି। ଆତଙ୍କୀ ଆକ୍ରମଣ ଲାଗି ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି ବୋଲି ବରିଷ୍ଠ ଅଧିକାରୀମାନେ ବଡ଼ ବଡ଼ ଭାଷଣ ମାରୁଛନ୍ତି। ଆମେ ଅମକ କରିଦେଇଛୁ, ସମକ ଜାଗାରେ ଯାଞ୍ଚ ଚାଲିଛି। ୨୪ଘଣ୍ଟା ଚେକିଂ, ବ୍ଲକିଂ ସହ ପାଟ୍ରୋଲିଂ ହେଉଛି। ତେବେ ରାଜଧାନୀରେ କେମିତି ଚାଲିଛି ଯାଞ୍ଚ? କେଉଁଠି ହେଉଛି ବ୍ଲକିଂ? ରେଳଷ୍ଟେସନ, ପର୍ଯ୍ୟଟନ ସ୍ଥଳୀରେ ଆବଶ୍ୟକୀୟ ପୁଲିସ ଅଛନ୍ତି ତ? ବିମାନବନ୍ଦରକୁ ଯାଉଥିବା ଯାତ୍ରୀଙ୍କ ଯାଞ୍ଚ ହେଉଛି ତ? ଖଣ୍ଡଗିରି, ଉଦୟଗିରି, ଲିଙ୍ଗରାଜ ମନ୍ଦିର ପରି ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକୀୟ ସୁରକ୍ଷା କର୍ମୀ ରହିଛନ୍ତି ତ? ଗତ ତିନି ଦିନ ଧରି ରାଜଧାନୀର ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିଥିଲା ‘ସମ୍ବାଦ’ ଟିମ୍‌। ଆଉ ଯାହା ସ୍ଥିତି ଦେଖିବାକୁ ମିଳିଲା, ତାହା ଆଶ୍ଚର୍ଯ୍ୟ କରିବା ଭଳି। ଆତଙ୍କବାଦୀଙ୍କ ମୁକାବିଲା ଲାଗି ପ୍ରସ୍ତୁତ ରହିଛୁ ବୋଲି ବଡ଼ବଡ଼ିଆ ପୁଲିସ ବାବୁ କହୁଥିବା ବେଳେ ସେହି ଅନୁଯାୟୀ ପଦକ୍ଷେପ ନିଆଯାଇ ନଥିବା ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ଷ୍ଟେନ୍‌ଗନ୍‌, ଏକେ-୪୭ ପରି ବନ୍ଧୁକର ମୁକାବିଲା କରିବାକୁ ଆମ ପୁଲିସ ହାତରେ ରହିଛି ଖଣ୍ଡିଏ ଲାଠି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆଉ ୩ଦିନ ପରେ ସ୍ବାଧୀନତା ଦିବସ ପାଳନ କରାଯିବ। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପରେଡ୍‌ କରିବାକୁ ସ୍ଥିର ହୋଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହେ‌ବେ। ରାଜ୍ୟର କୋଣ ଅନୁକୋଣରୁ ଦର୍ଶକ ବି ଆସିବେ। କିନ୍ତୁ ସୁରକ୍ଷା ବ୍ୟବସ୍ଥା ସେପରି କଡ଼ାକଡ଼ି ହୋଇନଥିବା ଦେଖିବାକୁ ମିଳୁଛି। ସବୁଠି ମେଲା ମୁକୁଳା। ମାଷ୍ଟରକ୍ୟାଣ୍ଟିନ୍‌ ରେ‌ଳଷ୍ଟେସନରେ ଯାଞ୍ଚ ହେଉନି। ଯିଏ ଯେମିତି ପାରିଲେ ଯାଉଛନ୍ତି। ଯାତ୍ରୀଙ୍କ ହାତରେ ବ୍ୟାଗ୍‌ ରହିଥିଲେ ମଧ୍ୟ ସେଥିରେ କ’ଣ ଅଛି ତାହା ଜାଣିବା ଲାଗି କାହା ପାଖରେ ସୁଯୋଗ ନାହିଁ। ବ୍ୟାଗ୍‌ରେ ବମ୍ ନେଇ ଗଲେ ମଧ୍ୟ କେହି ଟେର୍‌ ପାଇବେନି। ଷ୍ଟେସନ ବାହାର କଥା ଛାଡ଼ନ୍ତୁ। ଭିତରେ ବି ଯାଞ୍ଚ ହେଉନି। କାଁ ଭାଁ କେତେବେଳେ ‌କେମିତି ଜଣେ ଦୁଇଜଣ ହୋମ୍‌ଗାର୍ଡ ହାତରେ ଲାଠି ଧରି ବୁଲୁଥିବା ଦେଖିବାକୁ ମିଳୁଛି। ରେଳ ବିଭାଗର ଟିଟିମାନେ ପ୍ରବେଶ ପଥରେ ଯାଞ୍ଚ କରୁନାହାନ୍ତି। ପ୍ରସ୍ଥାନ ବେଳକୁ ଯାହାକୁ ପାଇଲେ ତାକୁ ଅଟକାଇ ଟିକେଟ୍‌ ଯାଞ୍ଚ କରୁଛନ୍ତି। ନ ହେଲେ ନାହିଁ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଧିକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାରେ ବି ସୁରକ୍ଷା ଢିଲା। ଅବଶ୍ୟ ଦୁଇଟି ଯାକ ଟର୍ମିନାଲ ନିକଟରେ କେନ୍ଦ୍ରୀୟ ସୁରକ୍ଷା ବଳରୁ କଡ଼ା ପ୍ରହରା ଲାଗି ରହିଛି। ହେଲେ ବାହାରେ ସବୁ ‌ଖୁଲମଖୁଲା। କିଏ ଗଲା କିଏ ଆସିଲା କାହାର ଯାଏ ଆସେ ନାହିଁ। କ୍ୟାପିଟାଲ ହସ୍ପିଟାଲ ଛକରୁ ବିମାନବନ୍ଦର ଆଡ଼କୁ ଯିବା ରାସ୍ତାରେ ପୁଲିସ ମୁତୟନ ହୋଇଛନ୍ତି। ହେଲେ ସେମାନଙ୍କ ହାତ ଖାଲି। ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବଡ଼ ବ୍ୟକ୍ତିବିଶେଷ ଉକ୍ତ ରାସ୍ତା ଦେଇ ଗଲେ ପୁଲିସ କର୍ମଚାରୀ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଆସୁଛନ୍ତି। ଅନ୍ୟ ସମୟରେ ମୋବାଇଲ୍‌‌‌‌ରେ ସମୟ ବିତାଉଛନ୍ତି। ଏହି ରାସ୍ତାରେ ଶହ ଶହ ଗାଡ଼ି ‌ଯାଉଥିଲେ ମଧ୍ୟ ଯାଞ୍ଚ ହେଉନି। ଆତଙ୍କବାଦୀ କିମ୍ବା ଅନ୍ୟ କିଏ ଯାଉଛନ୍ତି। ତାଙ୍କ ପାଖରେ କ’ଣ ରହିଛି, ବିମାନବନ୍ଦର ପର୍ଯ୍ୟନ୍ତ ପୁଲିସର ଜାଣିବାର ସୁଯୋଗ ନାହିଁ।

ଆତଙ୍କବାଦୀଙ୍କ ପ୍ରବେଶ କିମ୍ବା କାର୍ଯ୍ୟକଳାପର ପ୍ରମୁଖ ଦୁଇ ଅଞ୍ଚଳ ଅବସ୍ଥା ଏମିତି ହୋଇଥିବା ବେଳେ ବସ୍‌ଷ୍ଟାଣ୍ଡ କଥା‌ ନକହିବା ଭଲ। ଏଠାରେ ତ କେହି ନାହାନ୍ତି। ଭଗବାନଙ୍କ ଭରସାରେ ଚାଲିଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ଏଠାରେ ଫାଣ୍ଡି ରହିଛି। ହେଲେ ତାହାର କାମ କ’ଣ କେହି ଜାଣି ନାହାନ୍ତି। ଏଠାରେ ରହୁଥିବା ପୁଲିସ କର୍ମଚାରୀମାନେ କେବଳ ଗଣ୍ଡଗୋଳ, ବାଡ଼ିଆପିଟା, ଝଗଡ଼ାର ସମାଧାନରରେ ହିଁ ସୀମିତ। ଆସୁଥିବା ଯାତ୍ରୀ ସାଙ୍ଗରେ କ’ଣ ଆଣିଛନ୍ତି? ବସ୍‌ରେ କ’ଣ ପରିବହନ ହେଉଛି? କେଉଁଭଳି ଲୋକେ ଯିବା ଆସିବା କରୁଛନ୍ତି ତାହା ଯାଞ୍ଚ କରାଯାଉ ନଥିବା ଦେଖିବାକୁ ମିଳିଛି।

ଲିଙ୍ଗରାଜ ମନ୍ଦିରକୁ ଶ୍ରୀଲିଙ୍ଗରାଜ ଭରସା

ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ଏବେ ଶ୍ରାବଣ ମାସ ଚାଲିଥିବାରୁ ପ୍ରତି ରବିବାର ଓ ସୋମବାର ହଜାର ହଜାର ପର୍ଯ୍ୟଟକ ଏଠାରେ ଏକାଠି ହେଉଛନ୍ତି। ତେବେ ସେମାନଙ୍କ ସୁରକ୍ଷା‌ ପ୍ରତି କାହାର ବି ନଜର ନାହିଁ। ମାଟିଆ ପୋଷାକଧାରୀ ବାବୁମାନେ ବସି ରହିଛନ୍ତି। ଭକ୍ତ ନିଜ ବାଟରେ ଯାଉଛନ୍ତି। ଯାଞ୍ଚ କରାଯାଉ ନାହିଁ। ଏକାଥରେ ଶତାଧିକ ଭକ୍ତ ଲମ୍ବା ଲାଇନ୍‌ରେ ଆସୁଥିଲେ ମଧ୍ୟ ମାଟିଆ ପୋଷକ ପିନ୍ଧିଥିବା ବାବୁମାନେ ବେଞ୍ଚରୁ ଉଠୁ ନାହାନ୍ତି କି ଯାଞ୍ଚ କରୁନାହାନ୍ତି। ମୋବାଇଲ୍‌ ଧରି ଖଟି ଜମାଉଛନ୍ତି। ଏବେ ଲିଙ୍ଗରାଜ ମନ୍ଦିରକୁ ସ୍ବୟଂ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଭରସା। ଅନ୍ୟପକ୍ଷରେ କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତିର ଗନ୍ତାଘର ରାଜ୍ୟ ସଂଗ୍ରହାଳୟ ମୁଖ୍ୟ ଫାଟକରେ ପୁଲିସ ନାହିଁ କି ସୁରକ୍ଷା କର୍ମୀ ନାହାନ୍ତି। ମେଲା ମୁକୁଳା। ସହରରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଅବସ୍ଥା ବି ସମାନ। ଖଣ୍ଡଗିରି-ଉଦୟଗିରିକୁ ବି ଯାଉଥିବା ଯାତ୍ରୀଙ୍କ ଯାଞ୍ଚ କରାଯାଉ ନାହିଁ।

ହୋ‌ଟେଲରେ ବି ସୁରକ୍ଷା ଢିଲା

ସହରରେ ଥିବା ହୋଟେଲଗୁଡ଼ିକରେ ବି ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଯାଇଥିବା ଦେଖିବାକୁ ମିଳିଛି। ଜୟଦେବ ବିହାର ନିକଟରେ ଏକାଧିକ ତାରକା ହୋଟେଲ ରହିଥିଲେ ମଧ୍ୟ ଏଠାରେ ପୁଲିସ ପ୍ରହରା ଏକପ୍ରକାର ନାହିଁ କହିଲେ ଚଳେ। ରାତି ୧୨ଟା ପରେ ମାତ୍ର ଦୁଇଜଣ କନେଷ୍ଟବଳ ବାଡ଼ି ଧରି ଜୟଦେବ ବିହାର ଛକରେ ବସିଥିବା ଦେଖିବାକୁ ମିଳୁଛି। ହୋଟେଲଗୁଡ଼ିକ ଯାହା ନିଜର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି। ବେଳେବେଳେ କଳିଙ୍ଗ ହସ୍ପିଟାଲ ଛକରେ ରାତି ୧୨ଟା ବେଳକୁ କାର୍‌ ଯାଞ୍ଚ ହେଉଛି। ତେବେ ରାତି ୨ଟା ପରେ ଆଉ କାହାରିକୁ ଦେଖିବାକୁ ମିଳୁନି। ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ବି ରାତିରେ ସେଭଳି ପୁଲିସ ପ୍ରହରା ହେଉନଥିବା ଗତକାଲି ରାତିରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର