ପୁରୁଣା ଭୁବନେଶ୍ବର: ଦୁର୍ଦ୍ଦିନରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଶିଳ୍ପୀ। ତାଳପତ୍ର ଚିତ୍ରର ଚାହିଦା କମିବା ସହ ରୋଜଗାର ବାଟ ବନ୍ଦ ହୋଇଗଲା। ଅନ୍ୟ ଉପାୟ ନ ପାଇ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବେଲପତ୍ର ଓ ଫୁଲ ବିକୁଥିବା ବେଳେ ଦଇବ ସହିଲାନି। ପ୍ରଶାସନ ଦୋକାନ ଭାଙ୍ଗିଦେଲା। ଏବେ ରାସ୍ତାକଡ଼ରେ ବେସାହାରା ଶିଳ୍ପୀ। ପୁରୀ ଜିଲ୍ଲା ନୟାହାଟ ନିକଟ ନରସିଂହପୁର ଗାଁର ରାମଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତାଳପତ୍ର ଲେଖକ। ତାଳପତ୍ର ଲେଖନୀର ଜଣେ ନିଖୁଣ ଶିଳ୍ପୀ। ବାପା ଆରପାରିକୁ ଚାଲିଗଲା ପରେ ପାଠରେ ଡୋରି ବନ୍ଧା ହେଲା। ଖେଳକୁଦ ଛାଡ଼ି କୁନି କାନ୍ଧରେ ପଡ଼ିଲା ଘରର ବୋଝ। ରୋଜଗାର ଆଶାରେ ପ୍ରାଚୀ ନଦୀ କୂଳର ନରସିଂହପୁର ଗାଁ ଛାଡ଼ି ରାଜଧାନୀ ଭୁବନେଶ୍ୱର ଅଭିମୁଖେ ପାଦ ବଢ଼ାଇଲେ। ପ୍ରଥମେ ତାଳପତ୍ରରେ ଲେଖିବା ଓ ଏଥିରେ ଚିତ୍ର କରିବା ପାଇଁ ଗଣ୍ଡମୁଣ୍ଡା ନିକଟ ସରକାରୀ ତାଲିମ କେନ୍ଦ୍ରରେ ତାଲିମ ନେଲେ। ଏହାପରେ ରୋଜଗାର ପନ୍ଥା ଭାବରେ ତାଳପତ୍ର ଖୋଦେଇକୁ ଆପଣେଇ ନେଇଥିଲେ। ତାଳପତ୍ର ପଟଚିତ୍ରରେ ତାଙ୍କ ନିପୁଣତାକୁ ସମସ୍ତେ ପ୍ରଶଂସା କଲେ। ଲଳିତ କଳା ଏକାଡେମୀ ପକ୍ଷରୁ ତାଙ୍କୁ ୧୯୮୨ ମସିହାରେ ମିଳିଲା ପୁରସ୍କାର। ୧୯୮୬ରେ ଓଡ଼ିଶା ସରକାର ତାଙ୍କର ଗୋପଲୀଳା ପଟଚିତ୍ର ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କଲେ। ଏହାପରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଚାଲିଲେ। ତାଳପତ୍ର ଲେଖନୀର ଚିତ୍ର ତାଙ୍କୁ ରାଜ୍ୟରୁ ଅନ୍ତର୍ଜାତୀୟସ୍ତରରେ ପରିଚିତ କରିଥିଲା। ୧୯୮୮ ମସିହାରେ ସେ ପାଇଲେ ରାଷ୍ଟ୍ରପତି ପୁରସ୍କାର। ଏସବୁ ପ୍ରଶଂସା ଓ ପୁରସ୍କାର ପାଇଲା ପରେ ଭାବିଥିଲେ କିଛି ନା କିଛି ପରିବର୍ତ୍ତନ ହେବ। ଅଧିକ କଷ୍ଟ କରିବାକୁ ପଡ଼ିବନି। ରୋଜଗାର ବଢ଼ିଲେ ଭଲ ଭାବେ ପରିବାର ଚଳାଇ ପାରିବେ। ହେଲେ ଭାଗ୍ୟର ବିଡ଼ମ୍ବନା; ତାଳପତ୍ର ଚିତ୍ରର ଚାହିଦା କମିଲା। ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଗଲା। ଆଉ କିଛି ଉପାୟ ନ ପାଇ ଶେଷରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଆଶ୍ରା କଲେ। ୪ବର୍ଷ ହେଲା ସେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପିପିଲି ମଙ୍ଗଳପୁରର ପ୍ରଭାକର ନାୟକଙ୍କ ସହ ମିଶି ଫୁଲ, ବେଲପତ୍ର ବିକି ପରିବାର ଚଳାଉଛନ୍ତି।
/sambad/media/post_attachments/wp-content/uploads/2020/01/d8fh7498fs7h98sf74h65sf4h65sfhsfhhhhhhhhhhhh_2.jpg)
ହେଲେ ରାମଚନ୍ଦ୍ରଙ୍କ ବ୍ୟବସାୟକୁ ଘୋଟି ଆସିଲା କଳାବାଦଲ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ଚାଲିଥିବା ଉଚ୍ଛେଦରେ କିଛି ଦିନ ପୂର୍ବରୁ ତାଙ୍କ ଦୋକାନ ଭଙ୍ଗା ଯାଇଛି। ହେଲେ କ୍ଷତିପୂରଣ ତାଲିକାରେ ତାଙ୍କ ନାମ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବହୁ ବ୍ୟବସାୟୀଙ୍କ ନାମ ତାଲିକାରେ ନାହିଁ ବୋଲି ବ୍ୟବସାୟୀ ସଂଘ ସଭାପତି ଟୁଟୁ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Survival-of-President-Awardee-Artist_Thumbnail.jpg)