ଭୁବନେଶ୍ୱର : ଘରେ ଘରେ ଖୋଲିଛି ମେସ୍। ବର୍ଷ ବର୍ଷ ଧରି ରହୁଛନ୍ତି ଛାତ୍ରଛାତ୍ରୀ, କର୍ମଜୀବୀ। ଗୋଟିଏ ରୁମ୍ରେ ମୁଣ୍ଡପିଛା ହିସାବ କରି ଘର ମାଲିକ ଭଡ଼ା ନେଉଛନ୍ତି। ହେଲେ କିଏ ରହିଲା, କ’ଣ କରୁଛି, କୁଆଡ଼େ ଯାଉଛି; ସେ ନେଇ ପୁଲିସ ବେଖବର। ଏପରିକି ଘରମାଲିକ ମଧ୍ୟ ଏମାନଙ୍କ କାରବାର ଜାଣିପାରୁ ନାହାନ୍ତି। କଥା ଅତି ଗୁରୁତର ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଏକ ନିର୍ଦ୍ଦେଶନାମା ଜାରି କରୁଛି। କିନ୍ତୁ ଏହାକୁ କେହି ମାନୁନାହାନ୍ତି, ପୁଲିସ ମଧ୍ୟ ଭୁଲି ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିଶା କବଳରେ ପଡ଼ି ବିଶୃଙ୍ଖଳିତ ଛାତ୍ର ଗୋଷ୍ଠୀ ଅପରାଧରେ ଲିପ୍ତ ରହୁଛନ୍ତି। ପୁଲିସ ଅନୁଧ୍ୟାନ ମୁତାବକ ନିଶା ପାଇଁ ଅଧିକାଂଶ ଛିନ୍ତାଇ ଓ ଡକାୟତି ହେଉଥିବା ବେଳେ ଏଭଳି ଅପରାଧରେ ଅଧିକାଂଶ ଛାତ୍ର ସଂପୃକ୍ତ ରହୁଛନ୍ତି। ମୁଣ୍ଡପିଛା ଭଡ଼ା ନେଇ ମାଲିକ ମାଲାମାଲ ହେଉଥିବା ବେଳେ ଅଧିକାଂଶ ଭଡ଼ାଟିଆ ଅପରାଧରେ ମସଗୁଲ ହେଉଛି। ଏହି ମେସ୍ ବା ହଷ୍ଟେଲଗୁଡ଼ିକ ବାବଦରେ ପୁଲିସ ପାଖରେ ଖବର ନଥିବାରୁ ଏମାନଙ୍କ ପାଖରେ ପୁଲିସ ପହଞ୍ଚି ପାରୁନାହିଁ। ଭୁବନେଶ୍ବରରେ ହଜାରରୁ ଊର୍ଦ୍ଧ୍ବ ହୋଟେଲ ଲଜିଂ ରହିଥିଲେ ମଧ୍ୟ କେବଳ ୧୮୨ଟି ପଞ୍ଜୀକୃତ ହୋଇଥିବା ପୁଲିସ ରେକର୍ଡ କହୁଛି। ଏକ ବେସରକାରୀ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ପାଖାପାଖି ୩ ହଜାରରୁ ଊର୍ଧ୍ବ ହଷ୍ଟେଲ/େମସ୍ ରହିଛି। କିନ୍ତୁ ଏଥିରୁ ଗୋଟିଏ ବି ପଞ୍ଜୀକୃତ ହୋଇନାହିଁ। କମିସନ୍ରେଟ୍ ପୁଲିସ ୨୦୦୯ ମସିହାରୁ ହଷ୍ଟେଲ/ମେସ୍ ମାଲିକଙ୍କ ଉଦ୍ଦେଶ୍ୟରେ କେବଳ ଏକ ନିର୍ଦ୍ଦେଶନାମା ଜାରି କରି କାମ ସାରିଦେଇଛି।
ନିକଟରେ ପୁରୁଣା ଭୁବନେଶ୍ବରରେ ଏକ ଘରୋଇ ମେସ୍ରେ ହତ୍ୟାକାଣ୍ଡ ଘଟିବା ପରେ ପୁଲିସର ପୁଣି ମୁଣ୍ଡ ବିନ୍ଧିଥିଲେ ମଧ୍ୟ ଏହି ମେସ୍ ବା ହଷ୍ଟେଲଗୁଡ଼ିକୁ ପଞ୍ଜୀକୃତ କରି ଏକ ନିର୍ଦ୍ଦିଷ୍ଟ ନିୟମାବଳୀରେ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନାହିଁ।
ଚାକିରି ଓ ଗୁଣାତ୍ମକ ଶିକ୍ଷା ପାଇଁ ରାଜଧାନୀରେ ଭିଡ଼ ବଢ଼ିବାରେ ଲାଗିଛି। ଏଥିପାଇଁ ଏଭଳି ମେସ୍ ବା ହଷ୍ଟେଲର ଚାହିଦା ବଢ଼ିଛି। ମୁଣ୍ଡପିଛା ହିସାବରେ ଭଡ଼ା ବି ଆଦାୟ ହେଉଛି। ଏଥିରୁ ଘର ମାଲିକଙ୍କୁ ଅଧିକ ଲାଭ ମିଳୁଥିବାରୁ ସେମାନେ ପରିବାରକୁ ଭଡ଼ା ଦେବା ଅପେକ୍ଷା ମେସ୍ ବା ହଷ୍ଟେଲ ପାଇଁ ଆଗ୍ରହୀ ହେଉଛନ୍ତି। ମାତ୍ର ଏଥିରେ କିଏ ରହିଲେ, କାହିଁକି ରହୁଛନ୍ତି, କେତେବେଳେ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି; ତାହାର ହିସାବ ଘର ମାଲିକ ରଖୁ ନାହାନ୍ତି। ଘର ମାଲିକ ଏ ସବୁ ହିସାବ ରଖିବା ସହ ପୁଲିସକୁ କେମିତି ଅବଗତ କରାଇବେ, ସେ ନେଇ କମିସନରେଟ୍ ପୁଲିସ କେବଳ ଉଦ୍ୟମ କରିଆସୁଛି।
ଘରୋଇ ମେସ୍ରେ ରହୁଥିବା ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧରେ ଲିପ୍ତ ହେବା ଜାଣିବା ପରେ ପୁଲିସ ଏହି ମେସ୍ଗୁଡ଼ିକୁ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ କରିଥିଲା। ତତ୍କାଳୀନ ପୁଲିସ କମିସନର୍ ବିଜୟ କୁମାର ଶର୍ମା ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁମାନେ ମେସ୍ ବା ହଷ୍ଟେଲ ବାବଦକୁ ଘର ଭଡ଼ା ଦେଉଛନ୍ତି, ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଫର୍ମାଟ ପ୍ରସ୍ତୁତ କରିଥିଲେ। ଏଥିରେ ଭଡ଼ାଟିଆର ସମସ୍ତ ବିବରଣୀ ରହିବା ପାଇଁ ବ୍ୟବସ୍ଥା ଥିଲା। ଘର ମାଲିକମାନେ ଏହି ଫର୍ମ ପୂରଣ କରି ପୁଲିସ ପାଖରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ ଜଣେ ହେଲେ ବିବରଣୀ ଦାଖଲ କଲେ ନାହିଁ କିମ୍ବା ପୁଲିସ ମଧ୍ୟ ନିଜ ଆଡ଼ୁ ଉଦ୍ୟମ କଲା ନାହିଁ।
୨୦୧୫ ମସିହାରେ ପୁଣି ଥରେ ତତ୍କାଳୀନ କମିସନ୍ର ତଥା ବର୍ତ୍ତମାନର ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା ଜାରି କରିଥିଲେ। ୫ଜଣରୁ ଅଧିକ ୨ ମହିଳା ରହୁଥିବା ମେସ୍ରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଘରମାଲିକଙ୍କୁ ନିର୍ଦ୍ଦେଶ ଥିଲା। ସିସିଟିଭି ଲଗାଇବା ସହ ଏହାର ଫୁଟେଜ୍ ଅନ୍ତତଃ ୩୦ଦିନ ପର୍ଯ୍ୟନ୍ତ ରଖିବା ପାଇଁ କୁହାଯାଇଥିଲା। ଅନ୍ତେବାସୀ ଉପସ୍ଥାନ ସହ ଭିଜିଟର୍ ଉପସ୍ଥାନ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଥିଲା। ଏହାକୁ ନ ମାନିଲେ ଘରମାଲିକ ଭାରତୀୟ ପିଙ୍ଗଳ କୋଡ୍ ଦଫା ୧୮୮ ମୁତାବକ ଦଣ୍ଡିତ ହେବ ବୋଲି ନିର୍ଦ୍ଦେଶ ଥିଲା। ୯୯ ପ୍ରତିଶତ ଘରମାଲିକ ଏହାକୁ ମାନି ନଥିଲେ ମଧ୍ୟ ଜଣେ ହେଲେ ଦଣ୍ଡିତ ହୋଇ ନଥିଲେ।
୨୦୧୭ରେ ପୁଣି ଥରେ ପୁଲିସ ଏହାକୁ ନେଇ ତତ୍ପର ହୋଇଥିଲା। ଘର ମାଲିକଙ୍କ ଉଦ୍ଦେଶ୍ୟରେ ପୁଣି ଥରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପୁରୁଣା ଚିଠିକୁ ଆଧାର କରି ଏହା ଲେଖା ଯାଇଥିଲା। ଏହା ପରେ ମଧ୍ୟ ଘର ମାଲିକ ଚେତି ନଥିଲେ। ଗତବର୍ଷ ଦଶହରା ପୂର୍ବରୁ ଏଭଳି ଏକ ନିର୍ଦ୍ଦେଶନାମା ଦେଖିବାକୁ ମିଳିଥିଲା। ହେଲେ ଏ ସବୁ କେବଳ ଚିଠିରେ ସୀମିତ ରହିଗଲା। କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବଡ଼କଥା ହେଉଛି, ବିଭିନ୍ନ ଅପରାଧରେ ସଂପୃକ୍ତ ହୋଇ ଧରାପଡ଼ୁଥିବା ଛାତ୍ରମାନେ ରହୁଥିବା ହଷ୍ଟେଲଗୁଡ଼ିକୁ ଯାଞ୍ଚ କିମ୍ବା ଘରମାଲିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ।