ସିଓଆର୍‌ ପାଇବାରେ ଘରୋଇ ବିଦ୍ୟାଳୟ ବିଫଳ : ୨୫୦ ସ୍କୁଲରୁ ପାଇଛନ୍ତି ମାତ୍ର ୪୨

ଭୁବନେଶ୍ୱର : ନୋ ଅବଜେକ୍ସନ ସାର୍ଟିଫିକେଟ୍‌(ଏନ୍‌ଓସି) ବଦଳରେ ଆରମ୍ଭ ହେଲା ସାର୍ଟିଫିକେଟ୍‌ ଅଫ୍‌ ରେକୋଗନେସନ୍‌(ସିଓଆର)। ବର୍ଷକ ପାଇଁ ଘରୋଇ ବିଦ୍ୟାଳୟକୁ ଏନ୍‌ଓସି ଦିଆଯାଉଥିଲା। ତା’ ବଦଳରେ ବିଦ୍ୟାଳୟଗୁଡ଼ିକୁ ୫ ବର୍ଷ ଲାଗି ସିଓଆର ଦେବାକୁ ସ୍ଥିର ହେଲା। ଇତି ମଧ୍ୟରେ ନିଷ୍ପତ୍ତିକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ସିଓଆର ପାଇବାରେ ବିଫଳ ହୋଇଛନ୍ତି ଘରୋଇ ବିଦ୍ୟାଳୟ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ଥିବା ୨୫୦ ଘରୋଇ ବିଦ୍ୟାଳୟ ମଧ୍ୟରୁ ମାତ୍ର ୪୨ଟି ବିଦ୍ୟାଳୟ ସିଓଆର ହାସଲ କରିଛନ୍ତି। ୧୬% ବିଦ୍ୟାଳୟ ସିଓଆର ପାଇଥିବା ବେଳେ ୮୪% ବିଦ୍ୟାଳୟ ବିଫଳ ହୋଇଛନ୍ତି। ଯଦି ରାଜଧାନୀରେ ସ୍ଥିତି ଏମିତି ରହିଛି ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଥିବା ଘରୋଇ ବିଦ୍ୟାଳୟ କିଭଳି ସିଓଆର ପାଇଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇପାରିବ।

ସବୁଠାରୁ ବଡ଼ କଥା ହେଉଛି ଯେ ବିଫଳ ହୋଇଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ସ୍କୁଲରେ ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସମୟରେ ସିଓଆର ମିଳୁନାହିଁ। ଏଥିପାଇଁ ସରକାରଙ୍କ ଦୂରଦୃଷ୍ଟି ଅଭାବକୁ ବିଦ୍ୟାଳୟଗୁଡ଼ିକ ଦୋଷ ଦେଇଛନ୍ତି। ସେମାନଙ୍କ କହିବା କଥା ହେଲା ତାଲିମପ୍ରାପ୍ତ ଶିକ୍ଷକ ନ ଥିଲେ ସିଓଆର ଦିଆଯାଉ ନାହିଁ। ହେଲେ ବର୍ଷେ ତଳେ ସରକାର ଘୋଷଣା କରିଥିଲେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ(ଏନ୍‌ଆଇଓଏସ୍‌) ଅଧୀନରେ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେସନ୍‌ କୋର୍ସରେ କୃତକାର୍ଯ୍ୟ ହେବାକୁ ଥିବା ଶିକ୍ଷକଙ୍କୁ ତାଲିମପ୍ରାପ୍ତ ବୋଲି ଧରାଯିବ। ଏହାକୁ ଦୃଷ୍ଟିରେ ରଖି ଏବେ ବିଦ୍ୟାଳୟର ଶିକ୍ଷକମାନେ ଉକ୍ତ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କର ଗୋଟିଏ ବର୍ଷ ମଧ୍ୟ ଶେଷ ହୋଇଛି। ଏବେ ଦ୍ୱିତୀୟ ବର୍ଷରେ ପଢ଼ୁଛନ୍ତି। ୨୦୧୯ ମାର୍ଚ୍ଚରେ ସେମାନେ ପାସ୍‌ କରିବେ। ଏହାପୂର୍ବରୁ ନିୟମକୁ କଡ଼ାକଡ଼ି କରିବା ଠିକ୍‌ ହୋଇ ନାହିଁ। ଏତେ କମ୍‌ ସମୟରେ ତାଲିମପ୍ରାପ୍ତ ଶିକ୍ଷକ କେଉଁଠୁ ଆଣିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଆହୁରି ବି ନିୟମ କରାଯାଇଛି ଯଦି ଘରୋଇ ବିଦ୍ୟାଳୟରେ ର‍୍ୟାମ୍ପ ବ୍ୟବସ୍ଥା ନ ଥିବ ତେବେ ଅନୁମତି ମିଳିବନି। ବିଦ୍ୟାଳୟର ୨୫ ପ୍ର୍ରତିଶତ ସିଟ୍‌ ଗରିବ ପିଲାଙ୍କ ପାଇଁ ସଂରକ୍ଷଣ ରଖିବା, ଖେଳପଡ଼ିଆ, ପାନୀୟ ଜଳ, କ୍ୟାମ୍ପସରେ ପାଚେରି, ସୁରକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବା ଦର୍ଶାଇ କିଛି ବିଦ୍ୟାଳୟକୁ ସିଓଆର ଦିଆଯାଇ ନାହିଁ। ଏହାକୁ ନେଇ ଏବେ ରାଜଧାନୀରେ ଘରୋଇ ବିଦ୍ୟାଳୟ ମାଲିକ ଓ ଗଣଶିକ୍ଷା ମଧ୍ୟରେ ବିବାଦ ଘନେଇଛନ୍ତି। ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଆସୋସିଏସନର ମୁଖ୍ୟ ଉପଦେଷ୍ଟା ଅଜିତ୍‌ କୁମାର ଦାସ କହିଛନ୍ତି ଆଗପଛ ବିଚାର ନ କରି ନିୟମ କରାଯାଉଛି। ଯେଉଁଥିପାଇଁ ସମସ୍ୟା ହୋଇଛି। କିଛି ବିଦ୍ୟାଳୟକୁ ଅନୁକମ୍ପା ଦେଖାଯାଇ ସିଓଆର ଦିଆଯାଇଛି। ଆମକୁ ବିଭିନ୍ନ ଆଳ ଦେଖାଇ କାଟି ଦିଆଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦେଶକ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏତେ କମ୍‌ ସମୟ ମଧ୍ୟରେ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତ କରିବା ସମ୍ଭବପର ନୁହେଁ। ତେଣୁ ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଛୁ। ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏନେଇ ବିଚର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ କହିଛନ୍ତି ଯେ ନିୟମ ଅନୁଯାୟୀ ଯାଞ୍ଚ ହୋଇଛି। କୌଣସି ପ୍ରକାର ପକ୍ଷପାତିତା କରାଯାଇ ନାହିଁ। ଯେଉଁମାନେ ସିଓଆର ପାଇବାକୁ ଯୋଗ୍ୟ ସେମାନଙ୍କୁ ମିଳିଛି। ଅଧିକାଂଶ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ନ ଥିବାରୁ ସିଓଆର ପାଇବାରେ ବିଫଳ ହୋଇଛନ୍ତି। ୨୫୦ ସ୍କୁଲ ମଧ୍ୟରୁ ୨୪୭ ବିଦ୍ୟାଳୟ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ସିଓଆର ମିଳିଛି।

ସମ୍ବନ୍ଧିତ ଖବର