ଅତ୍ୟଧିକ ଫି ଆଦାୟ ନେଇ ଓପାଫ୍‌ର ଉଦ୍‌ବେଗ

ଘରୋଇ ବିଦ୍ୟାଳୟକୁ ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି

ଭୁବନେଶ୍ବର: ଓଡ଼ିଶାର ଘରୋଇ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଫି’ ଓ ଅନ୍ୟାନ୍ୟ ବୋଝ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଉପରେ ଲଦି ଦେଉଛନ୍ତି। ଏହି ଶୋଷଣର ଅବସାନ ଘଟାଇବା ପାଇଁ ଓଡ଼ିଶା ପ୍ୟାରେଣ୍ଟ ଆସୋସିଏସନ୍‌ ଫୋରମ୍‌ (ଓପାଫ) ପକ୍ଷରୁ ଦାବି କରାଯାଇଛି। ଓଡ଼ିଶାରେ ଘରୋଇ ବିଦ୍ୟାଳୟଗୁଡ଼ିକୁ ମନମାନି ଉପରେ ସରକାର ଅଙ୍କୁଶ ଲଗାଇବାକୁ ଫୋରମ୍ ଦାବି କରିଛି। ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ର କର୍ମକର୍ତ୍ତାମାନେ କହିଲେ, ଓଡ଼ିଶାରେ ଫି’ ନିର୍ଦ୍ଧାରଣକୁ ନେଇ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟ କେତେକ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଓଡ଼ିଶା ସରକାର ଏହି ନିୟମକୁ କାର୍ଯ୍ୟକାରୀ ନ କରିବା ପାଇଁ ତରବରିଆ ଭାବେ ଫି’ ରେଗୁଲେ‌େଟାରି କମିଟି(ଏଫ୍‌ଆର୍‌ସି) ଗଠନ କରିଦେଲେ। ଏଥିରେ ସବୁ ପକ୍ଷଙ୍କ କଥା ଶୁଣିବାର ବା ଜାଣିବାର ବ୍ୟବସ୍ଥା ନ କରି କେବଳ ଘରୋଇ ବ୍ୟବସାୟୀମାନଙ୍କ କିପରି ଅଧିକ ଲାଭ ହେବ, ସେହି ଅନୁସାରେ ନୀତି ପ୍ରଣୟନ କଲେ। ଏଫ୍‌ଆର୍‌ସି ପ୍ରଭାବଶାଳୀ ସ୍କୁଲ୍‌ର ପ୍ରତିନିଧିଙ୍କ ପ୍ରରୋଚନାରେ ଏକତରଫା ଭାବେ ନିଷ୍ପତ୍ତି ନେଉଛନ୍ତି। ଫଳରେ ପ୍ରତିବର୍ଷ ରି-ଆଡମିସନ୍‌ ଫି, ଆଡମିସନ୍‌ ଫି, ଏକଜାମିନେସନ୍‌ ଫି ଓ ବିଭିନ୍ନ ଆକ୍ଟିଭିଟି ବାବଦରେ ଅଭିଭାବକଙ୍କଠାରୁ ଏତେ ପରିମାଣରେ ଫି’ ନିଆଯାଉଛି ‌େଯ ତାହା ସେମାନଙ୍କ ଚିନ୍ତାର କାରଣ ହୋଇଯାଇଛି। ଓପାଫ୍‌ର ଯୁକ୍ତି ହେଲା ଯେ ସମୁଦାୟ ଏକାଡେମିକ୍ ଖର୍ଚ୍ଚ ଉପରେ ଟ୍ୟୁସନ୍ ଫି’ ନିର୍ଦ୍ଧାରଣ ହେବା ପରେ ଅନ୍ୟାନ୍ୟ ବାବଦରେ କୌଣସି ଫି’ ଆଦାୟ କରିବାର ଯଥାର୍ଥତା ନାହିଁ।

ସରକାରଙ୍କ ଦ୍ବାରା ଗଠିତ ଏଫ୍‌ଅ‌ାର୍‌ସିର କୌଣସି ସାମ୍ବିଧାନିକ ତଥା ଆଇନଗତ ମର୍ଯ୍ୟାଦା ନ ଥିବାରୁ ଏହାକୁ ତୁରନ୍ତ ବାତିଲ୍ କରିବାକୁ ଓପାଫ୍ ଦାବି କରିଛି। ସରକାରୀ ଶିକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଯାଉଥିବାରୁ ସ‌େଚତନ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ପାଇଁ ଘରୋଇ ବିଦ୍ୟାଳୟ ଯିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କୌଣସି ନିୟମକାନୁନ୍ ନ ଥିବାରୁ ସେମାନେ ମନଇଚ୍ଛା ପିଲାଙ୍କୁ ଶୋଷଣ କରୁଛନ୍ତି। ତେଣୁ ରାଜ୍ୟ ସରକାର ଅନ୍ୟ ରାଜ୍ୟଗୁଡ଼ିକ ପରି ତୁରନ୍ତ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ଆଇନ ଓ ନିୟମ ପ୍ରଣୟନ ନିମନ୍ତେ ଓପାଫ୍ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଓପାଫ୍‌ର ଉପଦେଷ୍ଟା ରବି ଦାସ, ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୂସୂଦନ ବିଶ୍ବାଳ, ନନ୍ଦକିଶୋର ମଲ୍ଲିକ, ସତ୍ୟାଶିଷ ସ୍ବାଇଁ, ସତୀଶ ମିଶ୍ର ଓ ସତ୍ୟବ୍ରତ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର