ଚିନ୍ତାଶୀଳ ପ୍ରବନ୍ଧ ଆମକୁ ସଚେତନ କରାଏ: ରମାକାନ୍ତ ରଥ

‘ସମସ୍ୟା ଓ ସମାଧାନ’ ଉନ୍ମୋଚିତ

ଭୁବନେଶ୍ୱର: ଚିନ୍ତାଶୀଳ ପ୍ରବନ୍ଧ ଆମକୁ ସଚେତନ କରାଏ ବୋଲି କହିଛନ୍ତି ପଦ୍ମବିଭୂଷଣ ରମାକାନ୍ତ ରଥ। ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ‘ତଥାଗତ ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ ‘ସମସ୍ୟା ଓ ସମାଧାନ’ ଉନ୍ମୋଚନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ରଥ କହିଲେ, ସମସାମୟିକ ସମୟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନକୁ ନେଇ ତଥା ବିଭିନ୍ନ ଉଦ୍‌ବେଗଜନକ ସ୍ଥିତିକୁ ନିଜ ଲେଖା ମାଧ୍ୟମରେ ଦର୍ଶାଇ ଶ୍ରୀ ମହାନ୍ତି ଆମକୁ ସଚେତନ କରିବାକୁ ଚାହିଛନ୍ତି। ଏହା ସହ ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିବା ସହ ତଥ୍ୟରେ ଭରପୂର ତାଙ୍କର ଲେଖାଗୁଡ଼ିକ ସମାଜ ପାଇଁ ବେଶ୍‌ ଉପାଦେୟ ବୋଲି ଶ୍ରୀ ରଥ ଏହି ଅବସରରେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ଖବରକାଗଜରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ପୁସ୍ତକ ଆକାରରେ ପାଠକଙ୍କ ନିକଟରେ ପହଞ୍ଚେ, ତେବେ ଏକ ବୃହତ୍ତର ପାଠକ ସମାଜ ଏହା ଦ୍ୱାରା ଉପକୃତ ହୋଇପାରିବେ। ଜୀବନୀ ଓ ଆତ୍ମଜୀବନୀର ପ୍ରକାଶନ ଓ ପ୍ରସାର ବଢ଼ିପାରିଲେ ସମକାଳୀନ ଇତିହାସରେ ଯେଉଁ ଅଭାବଟି ଅନୁଭୂତ ହେଉଛି, ତାହା ପୂରଣ ହୋଇପାରନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ କହିଲେ, ଓଡ଼ିଆ ଶବ୍ଦକୋଷରେ ନଥିବା ଶବ୍ଦଗୁଡ଼ିକୁ ଓଡ଼ିଆ ପ୍ରାବନ୍ଧିକମାନେ ବର୍ଜନ କଲେ, ଓଡ଼ିଆ ଭାଷା ଅଧିକ ମାର୍ଜିତ ହୋଇପାରନ୍ତା। ପୁଣି ବିମଳେନ୍ଦୁ ମହାନ୍ତି ‘ଜନଶିକ୍ଷା ସାଧନକେନ୍ଦ୍ର’ର ନିର୍ଦ୍ଦେଶକ ଥିବା ବେଳେ କିଭଳି ନିର୍ଦ୍ଦିଷ୍ଟ ସମୟ ଭିତରେ ଓଡ଼ିଶାର ୫୦ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ପୁସ୍ତକ ଛାପିବାରେ ସଫଳ ହୋଇଥିଲେ, ସେ ବିଷୟରେ ଉଲ୍ଲେଖ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ର ପୁସ୍ତକର ସମୀକ୍ଷା କରି ଶ୍ରୀ ମହାନ୍ତିଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର ଓ ତଥ୍ୟଭିତ୍ତିକ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ନରେନ୍ଦ୍ର ମିଶ୍ର, ବଦ୍ରିନାରାୟଣ ପଟ୍ଟନାୟକ, ଅନୀଲ ଧୀର, ବୈକୁଣ୍ଠ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ମହାରଣା, ଅର୍ଚ୍ଚନା ନାୟକ ଓ ସଂଘମିତ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର