ଇଏସ୍‌ଆଇରେ ହୃଦ୍‌ରୋଗ ଚିକିତ୍ସା ଭେଳିକି

ରୋଗୀ ଜାଣି ପାରୁ ନାହାନ୍ତି କେଉଁଠି ଚିକିତ୍ସା କରିବେ? ୱେବସାଇଟ୍‌ରୁ ହଟିନି ବନ୍ଦ ଡାକ୍ତରଖାନା ତଥ୍ୟ

ଭୁବନେଶ୍ବର: ରାଜ୍ୟ କର୍ମଚାରୀ ବୀମା ନିଗମ ବା ଇଏସ୍‌ଆଇସିରେ ହୃଦ୍‌ରୋଗ ଚିକିତ୍ସା ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ରାଜଧାନୀର କେଉଁ ଡାକ୍ତରଖାନାରେ ହିତାଧିକାରୀ ନିଜର ଚିକିତ୍ସା କରିବେ ତାହା ଜାଣି ପାରୁନାହାନ୍ତି। ଏବେ କେଉଁ ଡାକ୍ତରଖାନା ଇଏସ୍‌ଆଇସି ଅଧୀନ‌ରେ ହୃଦ୍‌ରୋଗ ପାଇଁ ଏମ୍‌ପ୍ୟାନେଲ ହୋଇଛି ଇଏସ୍‌ଆଇସିର ଅଧିକାରୀମାନେ ମଧ୍ୟ କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଏପରିକି ୱେବସାଇଟ୍‌ରେ ଯେଉଁ ଡାକ୍ତରଖାନା ସଂପର୍କରେ ଉଲ୍ଲେଖ ରହିଛି ତାହା କେବେଠାରୁ ବନ୍ଦ ହୋଇ ଗଲାଣି। ଫଳରେ ରୋଗୀମାନେ ଅଯଥାରେ ବିଭ୍ରାନ୍ତ ହେଉଛନ୍ତି। ଏ ସଂପର୍କରେ ଜାଣିବା ପାଇଁ ଚେଷ୍ଟା କଲେ ସମାଧାନ କରିବା ବଦଳରେ ଇଏସ୍‌ଆଇସିର ଅଧିକାରୀମାନେ ଉତ୍‌କ୍ଷିପ୍ତ ହୋଇ ଉଠୁଛନ୍ତି। ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇଁ ଇଏସ୍‌ଆଇସି ଅଧୀନରେ ଭୁବନେଶ୍ବର ଓ କଟକର ୧୦ଟି ଘରୋଇ ଡାକ୍ତରଖାନା ଏମ୍‌ପ୍ୟାନେଲ ହୋଇଛନ୍ତି। ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ରାଜଧାନୀର ହାଇଟେକ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ, ଆଦିତ୍ୟ କେୟାର ହସ୍ପିଟାଲ, କିମ୍‌ସ, ସ୍ପର୍ଶ ଓ ବିବେକାନନ୍ଦ ହସ୍ପିଟାଲ୍‌ ରହିଛନ୍ତି। ଏଥିରୁ ହାଇଟେକ୍, କିମ୍‌ସ ଓ ଆଦିତ୍ୟ କେୟାର ହସ୍ପିଟାଲରେ ହୃଦ୍‌ରୋଗ ଚିକିତ୍ସା ସୁବିଧା ମିଳିପାରିବ। ତେବେ କିଛି ମାସ ପୂର୍ବରୁ ଆଦିତ୍ୟ କେୟାର ହସ୍ପିଟାଲ ବନ୍ଦ ହୋଇଯାଇଛି। ଫଳରେ ଇଏସ୍‌ଆଇସି ସହ ହସ୍ପିଟାଲର ଯେଉଁ ବୁଝାମଣାପତ୍ର ଥିଲା, ତାହା କଟି ଯାଇଥିଲା। ଅପରପକ୍ଷରେ କେୟାର ହସ୍ପିଟାଲର ଅଲଗା ରେଜିଷ୍ଟ୍ରେସନ୍ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ଭାବେ ବୁଝାମଣାପାତ୍ର ଜରୁରୀ। ମାତ୍ର ଏ ଦିଗରେ ଇଏସ୍‌ଆଇସି କର୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ଏପରିକି ହୃଦ୍‌ରୋଗର ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ ବିଶେଷକରି କେୟାର ହସ୍ପିଟାଲ ସହ ବୁଝାମଣା ଶେଷ ହୋଇଛି କି ନାହିଁ ଓ କେବେଠାରୁ ରୋଗୀମାନେ ‌ଏଠାରେ ସେବା ପାଇବେ ତାହା ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ କରିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଇଏସ୍‌ଆଇସି ଭୁବନେଶ୍ବରର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଆଦିତ୍ୟ କେୟାର ବନ୍ଦ ହେବା ପରେ କିଛି ଦିନ ପାଇଁ ରୋଗୀମାନଙ୍କୁ ହୃଦ୍‌ରୋଗ ସେବା ମିଳିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏଥିପାଇଁ କେୟାର ହସ୍ପିଟାଲ ସହ ଆଲୋଚନା ପରେ ଏବେ ଇଏସ୍‌ଆଇସିର ଚୁକ୍ତି ହୋଇଛି। ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ଶେଷ ହୋଇଛି। ଆଗକୁ କେୟାର ହସ୍ପିଟାଲରେ ରୋଗୀମାନଙ୍କୁ ହୃଦ୍‌ରୋଗ ସହ ଅନ୍ୟ ସେବା ମିଳିବ। ଚୁକ୍ତି ହେବା ପରେ ହସ୍ପିଟାଲରେ ଇଏସ୍‌ଆଇସି ଅଧୀନରେ ଥିବା ହିତାଧିକାରୀଙ୍କ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର