ପାଣି ପାଇଁ ହେବ ହାହାକାର

ଅଧା ରାଜଧାନୀକୁ ବାଲି ବନ୍ଧ, ପୁରୀ କେନାଲ ଭରସା

ଭୁବନେଶ୍ବର(ବିଶ୍ବଜିତ ଦାଶ): ଆସନ୍ତା ଏପ୍ରିଲ ଓ ମେ’ମାସରେ ରାଜଧାନୀରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ। ପାଣି ପାଇଁ କୁଆଖାଇ ଓ ଦୟା ନଦୀ ଉପରେ ନିର୍ଭର କରୁଥିବା ରାଜଧାନୀବାସୀଙ୍କର ଆସନ୍ତା ଗୀଷ୍ମ ଋତୁ ସବୁଠୁ କଷ୍ଟଦାୟକ ହେବାକୁ ଯାଉଛି। ନା ଗାଧେଇବାକୁ ପାଣି ମିଳିବ ନା ପିଇବାକୁ। ପାଣି ପାଇଁ ଅଧା ରାଜଧାନୀରେ ଏକରକମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ। ଏହି ଦୁଇ ନଦୀରେ ଗତ ନଭେମ୍ବରରୁ ପାଣି ସଙ୍କଟ ଦେଖାଦେ‌ଲାଣି। ଇନଟେକ୍‌ ୱେଲ୍‌ ନିକଟରେ ଯେତିକି ପାଣି ରହିବା କଥା ରହୁନି। ଫଳରେ ଭୁଆସୁଣି ଓ ପଳାସୁଣି ବିଶୋଧନାଗାରରୁ ବି ଲୋକଙ୍କ ଚାହିଦା ମୁତାବକ ପାଣି ଯୋଗାଇ ହେଉନି। ଏବେ ଯେତିକି ପାଣି ଯୋଗାଣ ହେଉଛି, ପମ୍ପ ନଲଗାଇଲେ ପାଣି ଟ୍ୟାପ୍ ପର୍ଯ୍ୟନ୍ତ ବି ଉଠୁନି। ସ୍ଥିତି ସାଂଘାତିକ ହେଲାଣି। ମୁଣ୍ଡୁଳିରୁ ଆସୁଥିବା ପାଣି ଚନ୍ଦ୍ରଶେଖରପୁର ଅଞ୍ଚଳ ସମେତ ରାଜଧାନୀର ଭିଭିଆଇପି ଅଞ୍ଚଳରେ ଜଳ କଷ୍ଟ ମେଣ୍ଟାଉଥିବାବେଳେ ବାକି ଅଞ୍ଚଳରେ ଲୋକ ଏବେଠୁ ପାଣି ପାଇଁ ଛଟପଟ ହେଲେଣି। ଦିନକୁ ମାତ୍ର ଘଣ୍ଟାଏରୁ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପାଣି ଯୋଗାଣ ହେଉଥିବାରୁ ନିର୍ବାଚନୀ ଋତୁରେ ଲୋକଙ୍କ ମଧ୍ୟରେ ପାଣିକୁ ନେଇ ଅସନ୍ତୋଷ କୁହୁଳିଲାଣି। ୨୪ଘଣ୍ଟା ପାଣି ଯୋଗାଇବାକୁ ପ୍ରଚାର କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ବର୍ତ୍ତମାନର ସ୍ଥିତି ଦେଖି ନିଦ ହଜିଗଲାଣି। ‘ଅମୃତ’ ଯୋଜନାରେ ଗଳିକନ୍ଦିରେ ପାଣି ପାଇପ୍ ବିଛା ହୋଇଥିବାବେଳେ ବହୁ ଘରକୁ ପାଣି ସଂଯୋଗ ଦିଆଯାଇଛି। ହେଲେ ଲୋକଙ୍କୁ ଆବଶ୍ୟକ ମୁତାବକ ପାଣି ମିଳୁନି। ଲୋ‌େକ ଏବେବି ଗୋଟିଏ ଟ୍ୟାପ୍‌ ମୂଳେ ଧାଡ଼ି ହୋଇ ଛିଡ଼ା ହେଉଛନ୍ତି, ନଚେତ୍‌ ମାଇଲ୍‌ ମାଇଲ୍‌ ଚାଲି ମୁଣ୍ଡରେ ଗରା ଲଦି ପାଣି ଆଣୁଛନ୍ତି। ରାଜଧାନୀରେ ପାଣି ପାଇଁ ଏହି ବିକଳ ଚିତ୍ର ଜନସ୍ବାସ୍ଥ୍ୟ ବିଭାଗର ଜଳ ଯୋଗାଣ ବ୍ୟବସ୍ଥାକୁ ପଦାରେ ପକାଇଛି।

ପ୍ରାୟ ୨୫ବର୍ଷରୁ ଅଧିକ ହେଲା ଖରାଦିନ ଆସିଲେ କୁଆଖାଇ ଶୁଖି ଯାଉଛି। ମାର୍ଚ୍ଚରୁ ଜୁନ୍‌ ୪ମାସ ପଳାସୁଣି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା କଷ୍ଟକର ହୋଇପଡ଼ୁଛି। ଏଥିପାଇଁ ପୁରୀ କେନାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରତି ୧୫ଦିନରେ ପାଣି ଛାଡ଼ିବାକୁ କୁହାଯାଉଛି। ପ୍ରାଚୀ ଡିଭିଜନ୍‌ କାନପୁର ବ୍ୟାରେଜ୍‌ ଖୋଲି କୁଆଖାଇରେ ପାଣି ଛାଡ଼ିଲେ ରାଜଧାନୀବାସୀ ପାଣି ପାଉଛନ୍ତି। ନଚେତ୍‌ ସହିଦନଗର, ସତ୍ୟନଗର, ବମିଖାଲ, ଜୟଦେବ ବିହାର, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼ ଆଦି ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଉଛି। ଏହି ସମସ୍ୟାର ସମାଧାନ ପାଇଁ କୁଆଖାଇରେ ଚେକ୍‌ ଡ୍ୟାମ୍‌ କରିବାକୁ ଯୋଜନା ହେଉଛି। ହେଲେ ଅର୍ଥ ଅଭାବରୁ ଏବ˚ ବିଭିନ୍ନ ବିଭାଗ ମଧୢରେ ସମନ୍ବୟ ଅଭାବରୁ ଏହା ହୋଇପାରୁନି। ତେଣୁ ନଦୀରେ ବାଲି ବସ୍ତା ବନ୍ଧ କରି ପାଣି ଅଟକାଯାଉଛି। ଆଉ ଯୋଗାଣ ହେଉଛି। ଜନସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାଇଟେକ୍‌ କଲେଜ ନିକଟରେ କୁଆଖାଇରେ ଏକ ଚେକ୍‌ ଡ୍ୟାମ୍‌ କରିବାକୁ ପ୍ରାଚୀ ଡିଭିଜନକୁ କୁହାଯାଇଛି। ଏଥିପାଇଁ ବି ସର୍ଭେ ହୋଇଛି। ହେଲେ ଚେକ୍‌ ଡ୍ୟାମ୍ ନେଇ କିଛି ବାଟ ଫିଟୁନି। ଫଳରେ କୁଆଖାଇରେ ଯେତିକି ପାଣି ଛଡ଼ାଯାଉଛି ତାହା ବହି ଯାଉଥିବାରୁ କିଛି ଦିନ ପରେ ସେହି ସମସ୍ୟା ଉପୁଜୁଛି। ଏପରିକି ପ୍ରତି ୧୫ ଦିନରେ ପୁରୀ କେନାଲର କାନପୁର ବ୍ୟାରେଜ୍‌ ନ ଖୋଲିଲେ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା ସମ୍ଭବ ହେଉନି। ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ-୨ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୁଆଖାଇରେ ୪୨ଫୁଟ ରିଡ୍ୟୁସ୍‌ ଲେଭେଲ୍‌ (ସମୁଦ୍ର ପତ୍ତନରୁ ୪୨ଫୁଟ ଉଚ୍ଚ)ରେ ପାଣି ରହିଲେ ପାଣି ଯୋଗାଣରେ କିଛି ଅସୁବିଧା ହୁଏନି। ହେଲେ ଏହା ବେଳେବେଳେ ୩୬ଫୁଟ ତଳକୁ ଖସି ଆସୁଥିବାରୁ ଫୁଟବଲ୍‌ ପାଣି ଉଠାଉନି। ତେଣୁ ବାଲି ବସ୍ତା ବନ୍ଧ କରି ପାଣି ଯୋଗାଣ ହେଉଛି। ଖରାଦିନେ ଯେପରି ପାଣି ସମସ୍ୟା ନ ଉପୁଜିବ ସେଥିପାଇଁ ଆମେ ସତର୍କତାମୂଳକ ପଦକ୍ଷେପ ନେଉଛୁ।

କାଗଜପତ୍ରରେ ୨୬୦ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେଉଛି, ତଥାପି ନିଅଣ୍ଟ

ଜନସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତମାନ ରାଜଧାନୀବାସୀଙ୍କୁ ଦୈନିକ ପ୍ରାୟ ୧୯୦ ମିଲିଅନ ଲିଟର ଜଳ ଆବଶ୍ୟକ ଥିବାବେଳେ ମହାନଦୀ, କୁଆଖାଇ ଓ ଦୟା ନଦୀ ସମେତ ବୋର୍‌‌େୱଲ ମାଧୢମରେ ଦୈନିକ ପ୍ରାୟ ୨୬୦ମିଲିଅନ ଲିଟର ପାଣି ଯୋଗାଣ ହେଉଛି। ହେଲେ ପ୍ରାୟ ୬୦ରୁ ୭୦ମିଲିଅନ ଲିଟର ବିଭିନ୍ନ ବାଟରେ ନଷ୍ଟ ହେଉଥିବାରୁ ଜଳ ସ˚କଟ ସୁଧୁରୁ ନାହିଁ। ଏବେ କୁଆଖାଇ ନଦୀରୁ ପଳାସୁଣି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମାଧୢମରେ ୯୨ମିଲିଅନ ଲିଟର ପାଣି ଯୋଗାଣ ହେବାର ବ୍ୟବସ୍ଥା ଥିଲେ ହେଁ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଦୈନିକ ପ୍ରାୟ ୧୦୮ମିଲିଅନ ଲିଟର ଯୋଗାଣ ହେଉଛି। ଦୟା ନଦୀରୁ ଭୁଆସୁଣି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ମାଧୢମରେ ଦୈନିକ ୧୫ମିଲିଅନ ଲିଟର, ମୁଣ୍ତୁଳିରୁ ୧୧୫ମିଲିଅନ ଲିଟର ଜଳ ଯୋଗାଣ ହେବାର ବ୍ୟବସ୍ଥା ଥିଲେ ହେଁ ୧୦୦ମିଲିଅନ ଲିଟର ଯୋଗାଣ ହୋଇପାରୁଛି। ହେଲେ ଅଧା ରାଜଧାନୀକୁ ପାଣି ଯୋଗାଉଥିବା ଦୟା ଓ କୁଆଖାଇ ଏବେଠୁ ଶୁଖି ଗଲାଣି। ଏଥିପାଇଁ ପୁରୀ କେନାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପୁରୀ କେନାଲରୁ ପାଣି ଆସିଲେ ପଳାସୁଣି ଓ ଭୁଆସୁଣି ବିଶୋଧନାଗାର ଲୋକଙ୍କୁ ଚାହିଦା ମୁତାବକ ପାଣି ଯୋଗଇପାରୁଛି। ହେଲେ ମହାନଦୀରେ ପାଣି ନଥିବାରୁ ପୁରୀ କେନାଲରେ ବି ପାଣି ଆସୁନି। ମୁଣ୍ତୁଳି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ଯୋଗୁଁ ଆମର ପାଣି ପାଇବା ସମସ୍ୟା ନାହିଁ। ହେଲେ ପାଇପ୍‌ ଲାଇନ୍‌ ରାଜଧାନୀରେ ସବୁ ସ୍ଥାନକୁ ପଡ଼ି ନ ଥିବାରୁ ଏବଂ ମୁଣ୍ଡୁଳିରୁ ଆସୁଥିବା ପାଣିକୁ ପୂରା ରାଜଧାନୀକୁ ଆବଣ୍ଟନ କରିବା ବ୍ୟବସ୍ଥା ହୋଇପାରିନଥିବାରୁ ଆବଶ୍ୟକତା ମୁତାବକ ପାଣି ଯୋଗାଇବା ସମ୍ଭବ ହେଉନି।

ଯେଉଁଠି ପାଣି ଅଭାବ, ସେଠାରେ ଟ୍ୟାଙ୍କର ପହଞ୍ଚିବ: ଜନସ୍ବାସ୍ଥ୍ୟ ବିଭାଗ

ଖରାଦିନେ ଯେଉଁଠି ପାଣି ଅଭାବ ଦେଖାଯିବ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବାକୁ ଜନସ୍ବାସ୍ଥ୍ୟ ବିଭାଗ ଯୋଜନା କରିଛି। ଏଥିପାଇଁ ସମସ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀମାନଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ଡିଭିଜନ-୧ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ରାଜଧାନୀର ବହୁ ଅଞ୍ଚଳରେ ପାଣି ଯୋଗାଣ କରୁଛୁ। ଭୁଆସୁଣି ଓ ମୁଣ୍ତୁଳି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ର ପାଣି ଆସି ଯୋଗାଣ ହେଉଛି। ଦୟା ନଦୀରେ ଯେପରି ଖରାଦିନେ ଜଳ ଅଭାବ ଦେଖା ନ ଯିବ ସେଥିପାଇଁ ଆମେ ଫୁଟବଲ୍‌ଠାରୁ କିଛି ଦୂରରେ ବାଲି ବସ୍ତା ଦେଇ ପାଣି ଅଟକାଇ ରଖୁଛୁୁ। ଏହାଦ୍ବାରା ଆମର ଯେତିକି ପାଣି ଦରକାର ତାହା ହୋଇଯାଉଛି। ‌୨୦ରୁ ଅଧିକ ପାଣି ଟ୍ୟାଙ୍କର ସହାୟତାରେ ପାଣି ଯୋଗାଣ ହେବ। ସେହିପରି ଜନସ୍ବାସ୍ଥ୍ୟ ବିଭାଗର ଜ‌ଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜଧାନୀବାସୀ ଯେପରି ଜଳ କଷ୍ଟର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆମେ କଣ୍ଟ୍ରୋଲ ରୁମ୍‌ ଖୋଲିଛୁ। ଲୋକଙ୍କ ଅଭିଯୋଗ ମିଳିବା କ୍ଷଣି ପାଣି ଯୋଗାଇ ଦିଆଯିବ। ଏଥର ଫୋକସ୍‌ରେ ବସ୍ତି ଅଞ୍ଚଳ ରହିଛି। ସବୁ ବସ୍ତିରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବାକୁ ଯୋଜନା ଅଛି।

ସମ୍ବନ୍ଧିତ ଖବର