ଚିନ୍ତା ବଢ଼ାଉଛି ନିର୍ମାଣାଧୀନ ଓଭର୍‌ବ୍ରିଜ୍‌

ଏକାମ୍ର ଟକିଜ୍‌ ସାମ୍ନାରେ ରାସ୍ତା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ୬ ବର୍ଷ ବିତିଗଲା। ଗତ ୬ ମାସ ମଧ୍ୟରେ ଦୁଇଟି ଜୀବନ ବି ଗଲାଣି। କିନ୍ତୁ ବମିଖାଲ ଓଭରବ୍ରିଜ୍‌ର ନିର୍ମାଣ ଶେଷ ହୋଇପାରିଲାନି। ଏହାର ଆପ୍ରୋଚ୍‌ ରାସ୍ତା ମଧ୍ୟ ଯାତାୟାତ ଉପଯୋଗୀ ହୋଇପାରି ନାହିଁ। ବର୍ତ୍ତମାନ ଏକାମ୍ର ଟକିଜ୍‌ ସାମ୍ନା ରାସ୍ତାର ସଙ୍ଗିନ ଅବସ୍ଥା ଲୋକଙ୍କୁ ନାକେଦମ୍‌ କରୁଛି। ପ୍ରତିଦିନ ଏହି ରାସ୍ତାରେ ଛୋଟ ଛୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏନେଇ ସମ୍ପୂର୍ଣ୍ଣ ବେଫିକର। ଲକ୍ଷ୍ମୀସାଗର ଛକରୁ ରସୁଲଗଡ଼ ପର୍ଯ୍ୟନ୍ତ ଦିନତମାମ ଗହଳି ରୁହେ। ବହୁ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ଲୋକଙ୍କ ସୁବିଧା ପାଇଁ ଓଭର୍‌ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଲଗାତର ଦୁର୍ଘଟଣା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ଯୋଗୁଁ ଏହାର ନିର୍ମାଣରେ ଅହେତୁକ ବିଳମ୍ବ ହେବାରେ ଲାଗିଛି। ଗତ ମେ’ ମାସରେ ଏଠାରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲା ପରେ ଠିକା ସଂସ୍ଥାକୁ ବାଦ୍‌ ଦେଇ ପୂର୍ତ୍ତ ବିଭାଗ ନିଜେ କାମ ହାତକୁ ନେଇଛି। ରଥଯାତ୍ରା ସୁଦ୍ଧା କାମ ଶେଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଥିଲେ ବି ତାହା ଶେଷ ହେଲା ନାହିଁ। ନିକଟରେ ଶେଷ ହେବା ନେଇ କୌଣସି ଆଭାସ ମିଳୁନି।

ଏକାମ୍ର ଟକିଜ୍‌ ସାମ୍ନାରେ ଅଧା ଗଢ଼ା ଓଭର୍‌ବ୍ରିଜ୍‌ ଓ ଆପ୍ରୋଚ୍‌ ରୋଡ୍‌ରେ ବହୁ ଲୋକ ଯାତାୟାତ କରୁଛନ୍ତି। ଏଠାରେ ରାସ୍ତାଟି ସଂକୀର୍ଣ୍ଣ ହେବା ସହିତ ଖାଲଢ଼ିପରେ ଭର୍ତ୍ତି। ଓଭର୍‌ବ୍ରିଜ୍‌ର ଅଧାପନ୍ତରିଆ କାମ ସାଙ୍ଗକୁ ରାସ୍ତାର ଦୟନୀୟ ସ୍ଥିତି ଲୋକଙ୍କୁ ଘୋର ସମସ୍ୟାରେ ପକାଉଛି। ବର୍ଷା ହେଲେ ସ୍ଥିତି ଆହୁରି ବିଗିଡ଼ିଯାଉଛି। ପ୍ରତି ଦିନ ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌ ବି ହେଉଛି। ଓଭର୍‌ବ୍ରିଜ୍‌ କାମ ତ୍ୱରାନ୍ଵିତ କରିବା ସହ ସାମୟିକ ଭାବେ ଏହି ରାସ୍ତାକୁ ମରାମତି କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ରଥଯାତ୍ରା ସୁଦ୍ଧା ରାସ୍ତା କାମ ସରିଯିବ ବୋଲି ଯୋଜନା ଥିଲା। କିନ୍ତୁ ବମିଖାଲ୍‌ସ୍ଥିତ ସନ୍ତୋଷୀ ମା’ ମନ୍ଦିରଠାରେ ଡ୍ରେନ୍‌ କଲ୍‌ଭେର୍ଟ ଖରାପ ପଡ଼ିବାରୁ କାମ ବିଳମ୍ବ ହୋଇଛି। ଖୁବ୍‌ ଶୀଘ୍ର ସେହି ଡ୍ରେନ୍‌ ସଜଡ଼ାଯିବା ପରେ ମାସେ ଦୁଇ ମାସ ଭିତରେ ଓଭରବ୍ରିଜ୍‌ ତିଆରି ସରିଯିବ। ପୁଣି ଖୋଲାଯାଇଥିବା ଡାଇଭର୍‌ସନ୍‌ ରାସ୍ତା ମଧ୍ୟ ସଜଡ଼ାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର