ଖଣ୍ଡଗିରି: ଗତ ମାସ ବର୍ଷାରେ ସବୁ ତ ଯାଇଥିଲା! ଯାହା ବଳକା ଗଣ୍ଡେ ଆଦାୟ ହେବାର ଥିଲା, ଏଥରକୁ ସବୁ ନେଇଗଲା। ଅମଳ କରି ଖଳାକୁ ଆଣିବା ପାଇଁ ତର ଦେଲାନି ବର୍ଷା। ଗତ ମାସ ବର୍ଷା ଯୋଗୁଁ ବିଲରୁ ପାଣି ଛାଡ଼ି ନଥିଲା। ପୁଣି ହେଲା ବର୍ଷା। ତେଣୁ କାଟିକୁଟି କେଉଁଠି ଗଦା କରିବାକୁ ବି ଜାଗା ମିଳିଲା ନାହିଁ। ବିଲରେ କଚଡ଼ା ପଡ଼ିଛି, ତା ଉପରେ ପାଣି ଚାଲିଛି। ଏମିତି ଅବସ୍ଥାରେ କ’ଣ ଆଉ ଆଦାୟ ହେବ। ଭାତହାଣ୍ଡିରେ ଏବେ ଚଡ଼କ ପଡ଼ିଗଲା। ସବୁ ଗଲା ଅଦିନିଆ ପାଣି ମୁହଁରେ। ଏ ହେଉଛି ରାଜଧାନୀ ଉପକଣ୍ଠର ଚାଷୀଙ୍କ ବୁକୁଫଟା କଥା।
Sambad is now on WhatsApp
Join and get latest news updates delivered to you via WhatsApp
ଚନ୍ଦକା, କଣ୍ଟାବାଡ଼, ଗୋଠପାଟଣା, ଘଙ୍ଗାପାଟଣା, ପାଇକରାପୁର, ମଳିପଡ଼ା, ତମାଣ୍ଡୋ, ମଦନପୁର, ଯାଁଳା, ଛତାବର, ମେଣ୍ଢାଶାଳ, ପାଣିଓରା,ପଳାସପୁର ଆଦି ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି କୁହା, କଣ୍ଟିଲୋ, ଜାମୁକୋଳି, ପଧାନସାହି, ପଞ୍ଚୁପଲ୍ଲୀ ଆଦି ପଞ୍ଚାୟତମାନଙ୍କରେ ବି ସମାନ ଅବସ୍ଥା। ଲଗାଣ ବର୍ଷା ପାଇଁ ଆଗୁଆ ସତର୍କ ସୂଚନା ଥିଲେ ବି ଅମଳ କରିବା ପାଇଁ ଚାଷୀ ହାତରେ ସମୟ ନଥିଲା। ଗତ ମାସ ୧୬ ଓ ୧୭ ତାରିଖରେ ଲଗାଣ ବର୍ଷା ହୋଇଥିଲା। ଫଳରେ ଗହୀରରୁ ପାଣି ଛାଡ଼ି ନଥିଲା। ତେଣୁ ଧାନ କାଟିବାକୁ ସୁଯୋଗ ନଥିଲା ଚାଷୀ ହାତରେ। ଏପରିକି ଗହୀରରୁ ଖଳାକୁ ଆଣିବା ପାଇଁ ବାଟ ନଥିଲା। ବାଧ୍ୟ ହୋଇ ଚାଷୀମାନେ ବିଲ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମାତ୍ର ପୁଣି ଏହି ବର୍ଷା କାଳ ସାଜିଲା। ସରକାର ସତର୍କ କଲାବେଳକୁ ଚାଷୀ ଉପାୟଶୂନ୍ୟ। ତରବରରେରେ କାଟି ପକାଇବାକୁ କୃଷି ଶ୍ରମିକଙ୍କ ଅଭାବ ସାଙ୍ଗକୁ ଧାନ କଟା ଯନ୍ତ୍ରପାତି ଗହୀରକୁ ନ ପଶି ପାରିବା ଚାଷୀମାନଙ୍କୁ ସମସ୍ୟାରେ ପକାଇ ଦେଲା। ଫଳରେ ଏବେ ବି ବହୁ ଚାଷୀ ବଡ଼ ଧାନ(ପୁରୁଣା କିସମର ଧାନ ଯଥା, ମହୀପାଳ, ମୋଚିବାଙ୍କେଇ, ପଦ୍ମକେଶରୀ, ପଦ୍ମିନୀ ଆଦି)କୁ କାଟିନାହାନ୍ତି। ମସୁରି, ପୂଜା ଭଳି ହାଇବ୍ରିଡ୍ ଧାନ କଟା ହୋଇଛି। ଗତ ୩/୪ ଦିନ ଧରି ଯେତିକି ବିଲ କଟା ହୋଇଛି, ସେଥିରୁ ଶତକଡ଼ା ୮୦ ଭାଗ ବିଲରେ ପଡ଼ିଛି। ମାତ୍ର ୨୦ ଭାଗ ଖଳାକୁ ଆସିଥିବା ଆକଳନ କରାଯାଉଛି। ତେଣୁ ବିଲରେ ପଡ଼ିଥିବା କଟା ଧାନ ନଷ୍ଟ ହେବା ନିଶ୍ଚିତ। ସେହିଭଳି ଖଳାକୁ ଆସିଥିବା ସବୁ ଧାନ ବି ସୁରକ୍ଷିତ ହୋଇନାହିଁ। ଗଦା ମରା ହୋଇ ନଥିବାରୁ ସବୁ ଓଦା ହୋଇ ପଡ଼ିଛି। ତାହା ବି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଚନ୍ଦକା ଅଭୟାରଣ୍ୟ ଉପକଣ୍ଠ ଚାଷୀଙ୍କ କହିବା କଥା, ହାତୀ, ବାର୍ହା ଓ ବର୍ଷା ମୁହଁରୁ ଯାହା କିଛି ବଳକା ଥିଲା, ଏଥରର ବର୍ଷାରେ ସବୁ ଗଲା। ଚଳିତ ବର୍ଷ ଏହି ସବୁ ଅଞ୍ଚଳରେ ଭଲ ଧାନ ଫସଲ ହୋଇଥିଲା। କିନ୍ତୁ ଶେଷକୁ ସବୁ ଦିଗରୁ କେବଳ କ୍ଷତି ହିଁ କ୍ଷତି। ଠିକ୍ ଅମଳ ସମୟ ପୂର୍ବରୁ ଓ ଅମଳ ସମୟରେ ଲଗାତର ଦୁଇ ଦୁଇ ଥର ବର୍ଷା ଯୋଗୁଁ ଚାଷୀମାନେ ପ୍ରବଳ କ୍ଷତି ସହିଲେ। ବର୍ଷା ପାଇଁ ଧାନ ନଷ୍ଟ ହୋଇ କ୍ଷତି ହେଲା। ପୁଣି ତରବରରେ ଅମଳ କରିବାକୁ ଯାଇ ଅଧିକ ବ୍ୟୟ କରିବାକୁ ପଡ଼ିଲା। ଶ୍ରମିକ ମଜୁରୀଠାରୁ ଆରମ୍ଭ କରି ଅମଳର ଆନୁସଙ୍ଗିକ ଖର୍ଚ୍ଚ ବଢ଼ିଗଲା। ତଥାପି ଚଳି ଯାଇଥାଆନ୍ତା। ମାତ୍ର ଏହି ବର୍ଷା ସବୁ ଖାଇଗଲା।