ବାତ୍ୟାର ଦୁଇ ମାସ ପରେ… ସୁଧୁରିନି ମନ୍ଦିର ସଂଲଗ୍ନ ପାର୍କର ଅବସ୍ଥା

ପୁରୁଣା ଭୁବନେଶ୍ବର: ବାତ୍ୟା ଫନିକୁ ୨ ମାସରୁ ଊର୍ଧ୍ବ ସମୟ ବିତିଲାଣି। ହେଲେ ଏଯାଏ ଅସଜଡ଼ା ହୋଇପଡ଼ିଛି ଏକାମ୍ର କ୍ଷେତ୍ରର ଅନେକ ପାର୍କ। ବିଶେଷକରି ମନ୍ଦିର ସଂଲଗ୍ନ ପାର୍କ ଗୁଡ଼ିକର ଏଏସଆଇ ରକ୍ଷଣାବେକ୍ଷଣ କରୁଥିବା ବେଳେ ସେଗୁଡ଼ିକର ସ୍ଥିତି ଦୟନୀୟ ହୋଇପଡ଼ିଛି।

‘ଫନି’ ପ୍ରଭାବରେ ରାଜଧାନୀର ବିଭିନ୍ନ ମନ୍ଦିର ପାର୍କ ନଷ୍ଟ ହୋଇ ସୌନ୍ଦର୍ଯ୍ୟ ଉଜୁଡ଼ି ଯାଇଥିଲା। ବଡ଼ ବଡ଼ ଗଛ ଓ ପାଚେରି ଭାଙ୍ଗି ଯାଇଥିବା ବେଳେ ଏଯାଏ ମରାମତି ହୋଇନାହିଁ। ସ୍ଥାନୀୟ ମାଉସୀ ମା’ ପାର୍କ ମଧ୍ୟ ଏଥିରୁ ବାଦ ପଡ଼ିନଥିଲା। ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ରାମେଶ୍ବର ମନ୍ଦିର ସଂଲଗ୍ନ ଏହି ପାର୍କରେ ଥିବା ବହୁ ବଡ଼ ବଡ଼ ଗଛ ନଷ୍ଟ ହୋଇଯାଇଥିଲା। ଗଛ ଡାଳ ପଡ଼ି ଏହାର ମୁଖ୍ୟ ଫାଟକ ନଷ୍ଟ ହେବା ସହ ପାଚେରି ମଧ୍ୟ ଭାଙ୍ଗି ଯାଇଥିଲା। ବାତ୍ୟାର ଦୁଇ ମାସ ପରେ ବି ଗେଟ୍‌ ପୁନର୍ବାର ଲଗାଯାଇପାରୁ ନାହିଁ। ଫଳରେ ବାତ୍ୟା ପରଠାରୁ ଏହାର ଗେଟ୍‌ ବନ୍ଦ ହୋଇପାରୁନାହିଁ। ପୂର୍ବରୁ ରାତି ୮ଟାରେ ପାର୍କ ଗେଟ୍‌ ବନ୍ଦ ହେଉଥିବା ବେଳେ ଏବେ ତାଲା ନପଡ଼ିବାରୁ କିଛି ଅସାମାଜିକ ଯୁବକ ଏହାର ଫାଇଦା ନେଉଛନ୍ତି। ସନ୍ଧ୍ୟା ହେଲେ ପାର୍କରେ ପୁଅ ଝିଅଙ୍କ ଆଡ୍ଡା ଜମୁଛି। ଅନେକ ସମୟରେ ସେମାନେ ଅସଂଯତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଅଧିବାସୀ ବିଷ୍ଣୁ ପ୍ରସାଦ ମୁଦୁଲି କୁହନ୍ତି। ଏଏସ୍ଆଇ ଅଧୀନରେ ଥିବା ଏହି ପାର୍କରେ ସୁରକ୍ଷାକର୍ମୀଙ୍କ ଦେଖା ମିଳୁନାହିଁ। ଏଏସ୍‌ଆଇ ପକ୍ଷରୁ ଏହାର ଶୀଘ୍ର ପୁନରୁଦ୍ଧାର କରିବାକୁ ହରିଓଁ କ୍ଲବ ପକ୍ଷରୁ ଦାବି କରାଯାଇଛି। ସେହିପରି ଏକାମ୍ର କ୍ଷେତ୍ରରେ ଅନେକ ମନ୍ଦିର ପରିସର ପରିସର ନଷ୍ଟ ହୋଇଛି। ଯାହା ଏପର୍ଯ୍ୟନ୍ତ ସଜଡ଼ା ହୋଇନାହିଁ। ଭାସ୍କରେଶ୍ବର ମନ୍ଦିର, ପର୍ଶୁରାମେଶ୍ବର ମନ୍ଦିର ପାଚେରି ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିରର ଅସ୍ଥାୟୀ ରୋଷ ଘର ନଷ୍ଟ ହୋଇଥିଲେ ମଧ୍ୟ ଏହାର ମରାମତି ହୋଇପାରିନାହିଁ। ଏନେଇ ଏଏସ୍‌ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ କୁହନ୍ତି, ଏଏସ୍‌ଆଇ ଅଧୀନ ସବୁ କାମ ଯାଞ୍ଚ କରାଯାଇଛି। ଏହାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ଆକଳନ କରାଯାଇଛି। ଅନୁଦାନ ଆସିଲେ କାମ କରାଯିବ।

ସମ୍ବନ୍ଧିତ ଖବର