ସମସ୍ୟା କିଛି କମିଲା, ଦୁଃଖ ଅଧିକ ବଢ଼ିଲା

ଭୁବନେଶ୍ୱର: କଟକରୁ ପୁରୀ ଅଭିମୁଖେ ଯିବାକୁ ହେଲେ ପୂର୍ବରୁ ଭୁବନେଶ୍ୱର ଭିତରେ ରସୁଲଗଡ଼ ଛକରୁ କଳ୍ପନା ଦେଇ ଯିବାକୁ ପଡ଼ୁଥିଲା। ଫଳରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଥିଲା। ସହର ଭିତର ଏହି ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ହାଇଟେକ୍‌ ଛକରୁ ସିଧା ବାଇପାସ୍‌ ହେଲା ପୁରୀ ଅଭିମୁଖେ। ଏହା ଦ୍ୱାରା କଟକ ପଟୁ ସିଧା ପୁରୀ ଯାଉଥିବା ଯାତ୍ରୀମାନେ ନିଶ୍ଚିତ ଉପକୃତ ହେଲେ। କିନ୍ତୁ ଏହି ୯ କିଲୋମିଟର ଲମ୍ବର ନୂଆ ରାସ୍ତାଟି ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଓ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ସହର ଉପକଣ୍ଠରେ ଏହି ରାସ୍ତା ଏବେ ସହରର ଦୁଃଖ ପାଲଟିବାକୁ ଯାଉଛି।

ଟ୍ରାଫିକ୍‌ ଅବ୍ୟବସ୍ଥା
ବାଇପାସ୍‌ରେ ଏବେ ହଜାର ହଜାର ଲୋକ ଦୈନିକ ଯାତାୟାତ କରୁଛନ୍ତି। ପୁଣି ଏହି ବାଇପାସ୍‌ ନିର୍ମାଣ ହେଲା ପରେ ଏଠାରେ ଆବାସିକ ଅଞ୍ଚଳ ବଢ଼ିଯାଇଛି। ଜାତୀୟ ରାଜପଥ ଯାଇଥିବାରୁ ବହୁ ଲୋକ ସେଠାରେ ଘର କରି ରହିବାକୁ ପସନ୍ଦ କରୁଛନ୍ତି। ପୁଣି ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ କଲ୍ୟାଣ ମଣ୍ଡପ, ରେସ୍ତୋରାଁ, ଢାବା ଓ ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ି ଉଠିଛି। ଏସବୁ ପାଇଁ ଏବେ ଏହି ବାଇପାସ୍‌ର ଗୁରୁତ୍ୱ ବଢ଼ିଯାଇଛି। ଏହି ରାସ୍ତାରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଛକ ରହିଛି। ପାଣ୍ଡରା, କେଶୁରା ଓ ସାଇ ମନ୍ଦିର ଛକ। ଏଠାରେ ବହୁ ଦୋକାନ ଗଢ଼ି ଉଠିଛି। ତିନିଟି ଯାକ ଛକରେ ବେଶ୍‌ ଗହଳି ହେଉଥିଲେ ବି ଏଠାରେ ଟ୍ରାଫିକ୍‌ ବନ୍ଦୋବସ୍ତ ଠିକ୍‌ ଭାବେ କରାଯାଇ ନାହିଁ। ଅଧିକାଂଶ ସମୟ ଏଠାରେ ଟ୍ରାଫିକ୍‌ ପୁଲିସ୍‌ ରହୁ ନାହାନ୍ତି। ଏହିସବୁ ଛକରେ ଲାଇଟ୍‌ ଲଗାଯାଇଥିଲେ ବି ତାହା କାଁ ଭାଁ କାମ କରୁଛି। ଫଳରେ ସେହି ଛକଗୁଡ଼ିକରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗତ ୩ ବର୍ଷରେ ଏହି ରାସ୍ତାରେ ୧୨୫ରୁ ଊର୍ଧ୍ୱ ଦୁର୍ଘଟଣା ଘଟିଲାଣି।

ଅପରାଧୀଙ୍କ ସ୍ୱର୍ଗ
ସମସ୍ୟା ଅଧିକ ସଙ୍ଗିନ ଆକାର ଧାରଣ କରୁଛି ସନ୍ଧ୍ୟା ପରେ। ସଞ୍ଜ ନଇଁଲା ପରେ ଗହଳି ଯେମିତି ବଢ଼ୁଛି, ସମସ୍ୟା ସେମିତି ଉତ୍କଟ ହେଉଛି। ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଆଦୌ ନାହିଁ। ଛକଗୁଡ଼ିକରେ ମଧ୍ୟ ହାଇମାଷ୍ଟ ଲାଇଟ୍‌ ନାହିଁ। ଯେହେତୁ ରାସ୍ତାଟି ପ୍ରଶସ୍ତ ଅଛି, ତେଣୁ ଦ୍ରୁତ ଗତିରେ ସମସ୍ତେ ଗାଡ଼ି ଚଳାଉଛନ୍ତି। ଅନ୍ଧାରରେ ଠିକ୍‌ ଭାବେ ଦେଖାଯାଉ ନ ଥିବାରୁ ଛକଗୁଡ଼ିକ ନିକଟରେ ଅଧିକ ଦୁର୍ଘଟଣା ଘଟୁଛି। କେବଳ ଦୁର୍ଘଟଣା ନୁହେଁ, ଅନ୍ଧାରର ସୁଯୋଗ ନେଇ ଅପରାଧୀମାନେ ବି ତାଙ୍କର କାରନାମା ଦେଖାଇବାକୁ ହେଳା କରୁ ନାହାନ୍ତି। ଅନ୍ଧାରର ସୁଯୋଗ ନେଇ ଗତ ୩ ବର୍ଷ ମଧ୍ୟରେ ଏହି ରାସ୍ତାରେ ୮୮ଟି ଲୁଟ୍‌ ଘଟଣା ଘଟିଛି। ପୁଣି ଏହି ରାସ୍ତାରେ ୨ଟି ଏନ୍‌କାଉଣ୍ଟର ମଧ୍ୟ ହୋଇଛି। ରାସ୍ତାଟି ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ବରଗଡ଼, ବାଲିଅନ୍ତା ଓ ଶ୍ରୀ ଲିଙ୍ଗରାଜ ଆଦି ଥାନା ଅଧୀନରେ ରହିଛି। କିନ୍ତୁ ରାସ୍ତାରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଠପ୍‌। ୫ଟି ଯାକ ଥାନାର ପରସ୍ପର ମଧ୍ୟରେ ସମନ୍ଵୟର ଅଭାବ ତଥା ହେଳା ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି। ରାସ୍ତାର କିଛି ସ୍ଥାନ ଅସାମାଜିକ ତତ୍ତ୍ୱଙ୍କ ଆଡାସ୍ଥଳୀ ପାଲଟିଛି। ବିଶେଷ କରି କିଛି ନିର୍ମାଣାଧୀନ କୋଠା ଓ ପରିତ୍ୟକ୍ତ ଘର ସେମାନଙ୍କୁ ସୁହାଉଛି।

ଷ୍ଟ୍ରିଟ୍‌ ଲାଇଟ୍‌ କେବେ? 
ଏହି ବାଇପାସ୍‌ର ଗୋଟିଏ ପାର୍ଶ୍ୱ ବିଏମ୍‌ସି ଅଧୀନରେ ଯାଉଥିଲା ବେଳେ ଅନ୍ୟ ପାର୍ଶ୍ୱର ଅଧିକାଂଶ ସ୍ଥାନ ପଞ୍ଚାୟତ ଅଧୀନରେ ଯାଉଛି। ଯେହେତୁ ସମ୍ପୂର୍ଣ୍ଣ ବାଇପାସ୍‌ଟି ସହର ଭିତର ଦେଇ ଯାଉନି, ତେଣୁ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ କିଛି ପଦକ୍ଷେପ ନିଆଯାଉନି ବୋଲି ବିଏମ୍‌ସି ଯୁକ୍ତି ବାଢ଼ୁଛି। ଲୋକଙ୍କ ସମସ୍ୟା ଗୁରୁତର ହେଉଥିଲା ବେଳେ ଏହି ବାହାନା ଦେଖାଇ ଲୋକଙ୍କ କ୍ଷତି ପହଞ୍ଚାଇବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସ୍ଥାନୀୟ ଲୋକମାନେ ଯୁକ୍ତି ବାଢ଼ିଛନ୍ତି। ଏ ନେଇ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବାଇ ପାସ୍‌ ରାସ୍ତାର କିଛି ଅଂଶ ବିଏମ୍‌ସି ଅଧୀନରେ ଆସୁ ନ ଥିବାରୁ ଏନେଇ ବର୍ତ୍ତମାନ ସୁଦ୍ଧା କିଛି ବ୍ୟବସ୍ଥା କରାଯାଇନି। ଆଗକୁ ଏ ନେଇ ଯୋଜନା ହେଲେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ ବୋଲି ସେ କହିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷର ମୁଖ୍ୟ ମହାପ୍ରବନ୍ଧକ ଇଂ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସହରାଞ୍ଚଳ ଭିତରେ ଜାତୀୟ ରାଜପଥ ଯାଇଥିଲେ ସେଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇପାରିବ। ଏବେ ଭୁବନେଶ୍ୱର ସହର ସଂପ୍ରସାରିତ ହେଉଛି। ତେଣୁ ଆଗକୁ ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ପାଇଁ ଯୋଜନା କରାଯିବ।

ସମ୍ବନ୍ଧିତ ଖବର