ପ୍ରଚାର ଆରମ୍ଭରୁ ଫାଟ ଜଳ ଜଳ

ଅମୀୟଙ୍କୁ ବାଦ୍ ଦେଇ ବାବୁ ସିଂହ କଲେ ପଦଯାତ୍ରା, ସାମିଲ ହେଲେ ଅପରାଜିତା

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପିରେ ପ୍ରାର୍ଥିତ୍ବକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଆଜି ଦଳ ପକ୍ଷରୁ ବିଧିବଦ୍ଧ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ବିଧାୟକ ପ୍ରାର୍ଥୀ ବାବୁ ସିଂହ ତାଙ୍କର ସମର୍ଥକଙ୍କୁ ନେଇ ସୁନ୍ଦରପଦା ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରାର ସାମିଲ୍ ହୋଇଥିଲେ। ତେବେ ଏହି ପ୍ରଚାର ଆରମ୍ଭରୁ ଏକାମ୍ର ବିଜେପିର ଫାଟ ଜଳ ଜଳ ଦେଖାଯାଇଛି। ବିଜେପି ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର ଥିବା ଅମୀୟ ଦାଶ, ତାଙ୍କ ସମର୍ଥକ ଓ ବିଜେପିର ବହୁ ପୁରୁଣା ପଦାଧିକାରୀ ପଦଯାତ୍ରାରେ ସାମିଲ୍ ହୋଇ ନ ଥିଲେ। ଗତ ୨୧ ତାରିଖରୁ ବାବୁ ସିଂହଙ୍କୁ ବିଜେପି ଟିକେଟ୍‌ ମିଳିଥିଲେ ବି ସେ ପ୍ରଚାର ଆରମ୍ଭ କରିପାରୁ ନ ଥିଲେ। ଯେହେତୁ ତାଙ୍କ ପ୍ରାର୍ଥିତ୍ବକୁ ବିଜେପିର ପୁରୁଣା ନେତା ଓ କର୍ମୀମାନେ ବିରୋଧ କରୁଥ‌ିଲେ, ତେଣୁ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଦିନ ପରେ ଦିନ ଗଡ଼ିଚାଲିଥିଲା। କିନ୍ତୁ ବିବାଦ ତୁଟିପାରିଲା ନାହିଁ। ହାତରେ କମ୍ ସମୟ ଥିବାରୁ ଅମୀୟଙ୍କ ଅସନ୍ତୋଷଙ୍କୁ ଖାତିର ନ କରି ଆଜି ନିଜର ତାକତ୍ ଦେଖାଇବାକୁ ପୂରା ଦମ୍‌ରେ ପ୍ରସ୍ତୁତି କରିଥିଲେ ବାବୁ ସିଂହ। ପଦଯାତ୍ରା ଆୟୋଜନ କରି ନିଜ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହ ଅମୀୟଙ୍କ ଅସନ୍ତୋଷକୁ ଆଉ ଦଳ ପାଇଁ ଗୁରୁତ୍ବ ଦେଉନି ବୋଲି ଏକପ୍ରକାର ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ଶ୍ରୀ ସିଂହଙ୍କ ସମର୍ଥକମାନେ। ଏହି ପଦଯାତ୍ରାର ଆଗରେ ରହିଥିଲେ ଅପରାଜିତା। ତେଣୁ ଦଳର ନେତା ଓ ନିଷ୍ପତ୍ତି ଶ୍ରୀ ସିଂହଙ୍କ ପଛରେ ଅଛି ବୋଲି ସୂଚାଇ ଦିଆଯାଇଥିଲା। ଯେହେତୁ ଅମୀୟଙ୍କ ସମର୍ଥକମାନେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି, ତେଣୁ ଆଜିର ପଦଯାତ୍ରାରେ ଅଘଟଣ ଆଶଙ୍କା ବି ରହିଥିଲା। ସେଥି ପାଇଁ ବେଶ୍ ସତର୍କତାର ସହ ସବୁ ପ୍ରସ୍ତୁତି କରାଯାଇଥିଲା। ଶ୍ରୀ ସିଂହଙ୍କ ନିଜ ଅଞ୍ଚଳ ସୁନ୍ଦରପଦାରେ ପଦଯାତ୍ରା ଆ‌ୟୋଜନ କରାଯାଇଥିଲା। ଶତାଧିକ ସମର୍ଥକଙ୍କ ଗହଣରେ ଶ୍ରୀ ସିଂହ ଓ ଶ୍ରୀମତୀ ଷଡ଼ଙ୍ଗୀ ଦୀର୍ଘ ସମୟ ଧରି ପଦଯାତ୍ରା କରି ବିଜେପିକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ବିଶେଷ କରି ଶ୍ରୀମତୀ ଷଡ଼ଙ୍ଗୀ ଏହି ପଦଯାତ୍ରାର ଆକର୍ଷଣ ସାଜିଥି‌େଲ। ରାସ୍ତାରେ ତାଙ୍କ ସହ ହାତ ମିଳାଇବାକୁ ଓ ସେଲ୍‌ଫି ନେବାକୁ ବେଶ୍ ଭିଡ଼ ଜମୁଥିଲା।

ଟିକେଟ୍‌ ଘୋଷଣା ପରେ ପ୍ରଥମ ପଦଯାତ୍ରା ହୋଇଥିବାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହା ଆସିବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ‌ତାହା ହୋଇ ନ ଥିଲା। ପଦଯାତ୍ରାକୁ ଅମୀୟ ଓ ତାଙ୍କ ସମର୍ଥକମାନେ ଏକପ୍ରକାର ବର୍ଜନ କରିଥିଲେ। ଏହି ନିର୍ବାଚନମଣ୍ଡଳୀରେ ରହୁଥିବା ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି, ଜିଲ୍ଲାର କୋର୍‌ କମିଟି ସଭ୍ୟ ତଥା ନିର୍ବାଚନମଣ୍ଡଳୀର ପ୍ରଚାର ପ୍ରସାର ପ୍ରମୁଖ ସୁନିଲ ପଣ୍ଡା, ସର୍ବ ଭାରତୀୟ କୃଷକ ମୋର୍ଚାର ରାଜ୍ୟ ସଂଯୋଜକ ମଦନ ମୋହନ ପ୍ରଧାନ, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ସାଧାରଣ ସମ୍ପାଦକ ବାଉନ ନନ୍ଦ ଓ ମଣ୍ଡଳର ଅନ୍ୟ ପଦାଧିକାରୀ ସମେତ ଏକାମ୍ର ନିର୍ବାଚନ ମଣ୍ଡଳୀର ବହୁ ପୁରୁଣା ପଦାଧିକାରୀଙ୍କୁ ଦେଖିବାକୁ ମିଳିନଥିଲା। କେବଳ ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ପଦଯାତ୍ରାରେ ସାମିଲ ହୋଇଥିଲେ। ଗୋଟିଏ ପଟେ ବିଜେପିର ପ୍ରଚାର ଆରମ୍ଭ ହୋଇଥିଲା ବେଳେ ଅନ୍ୟ ପଟେ ଅମୀୟଙ୍କ ଗତିବିଧି ଉପରେ ବି ଦଳର ନେତୃ୍ତ୍ବ ନଜର ରଖିଛନ୍ତି। ଆଜି ମଧ୍ୟ ଅମୀୟଙ୍କ ସମର୍ଥକମାନେ ଏକାଠି ହୋଇ ଏକାଧିକବାର ବୈଠକ କରିଥିଲେ। ତେବେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କେହି ପାଟି ଫିଟାଇ ନାହାନ୍ତି। କିନ୍ତୁ ଆଜିର ପଦଯାତ୍ରା ଓ ଅମୀୟଙ୍କ ସମର୍ଥକମାନଙ୍କ ମେଳି ଯୋଗୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି।

ସମ୍ବନ୍ଧିତ ଖବର