ଲୋୟର ପିଏମ୍‌ଜି ବଢ଼ାଇଲାଣି ଚିନ୍ତା: ଜନପଥ ୪ ଘଣ୍ଟା ଠପ୍‌

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ବିଭିନ୍ନ ସଂଗଠନର ଧାରଣା ଓ ଜନପଥରେ ସ୍ମାର୍ଟସିଟିର ଅଧାପନ୍ତରିଆ କାମ ଏବେ ରାଜଧାନୀବାସିନ୍ଦାଙ୍କୁ ଅଣ ନିଶ୍ୱାସୀ କରିସାରିଲାଣି। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କି ବାଣୀବିହାରରୁ ରାଜମହଲ ଛକରେ ପହଞ୍ଚିବାକୁ ମାତ୍ର ୧୫ ମିନିଟ୍‌ର ରାସ୍ତାକୁ ଏବେ ପାଖାପାଖି ଘଣ୍ଟାଏ ଲାଗୁଛି। ସହରର ମୁଖ୍ୟ ରାସ୍ତାରେ ଏଭଳି ଜାମ୍‌କୁ ନେଇ ଅସନ୍ତୋଷ ପ୍ରକଟ କରିବା ଆରମ୍ଭ କଲେଣି ରାଜଧାନୀବାସୀ। ବିଶେଷକରି ଏହି ଜାମ୍‌ର ପ୍ରଭାବ ଏବେ ସତ୍ୟନଗର, ୟୁନିଟ-୩, ୟୁନିଟ-୨, ପ୍ରେସ୍‌ କଲୋନି, ଖାରବେଳନଗର, ଅଶୋକନଗର ବାସିନ୍ଦାମାନଙ୍କ ଉପରେ ପଡ଼ିଛି। କେବଳ ଏହି ଅଞ୍ଚଳ କାହିଁକି ମାହାତ୍ମାଗାନ୍ଧୀ ମାର୍ଗର ଉଭୟ ପାର୍ଶ୍ୱରେ ରହୁଥିବା କ୍ୱାର୍ଟର୍ସବାସିନ୍ଦା ଗୃହବନ୍ଦୀ ସାଙ୍ଗକୁ ନର୍କ ଜୀବନ ବିତାଉଛନ୍ତି। ଆଜିର ପରିସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇ ପଡ଼ିଥିଲା ଜନପଥରେ। ବିକ୍ଷୋଭକାରୀଙ୍କ ବେପରୁଆ ବିକ୍ଷୋଭ କାରଣରୁ ଘଣ୍ଟାଘଣ୍ଟା କାଳ ଲୋକ ଜନପଥରେ ଖରା ତାତିରେ ସିଝିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ଓ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକାର ଠପ୍‌ ହୋଇ ଯାଇଥିଲା। ବଡ଼ କଥା ହେଉଛି ଏଭଳି ଏକ ସମସ୍ୟାର ସମାଧାନ କେମିତି କରାଯିବ ତାହା ରାଜ୍ୟ ସରକାର କିମ୍ବା ପୁଲିସ କେହି ବି ଚିନ୍ତା କରୁନାହାନ୍ତି। ବିଧାନସଭାରେ ଏବେ ମୌସୁମୀକାଳୀନ ଅଧିବେଶନ ଚାଲିଛି। ଏହାକୁ ଆଳ କରି ଏବେ ବିଭିନ୍ନ ସଂଗଠନ ସେମାନଙ୍କ ଦାବି ପୂରଣ ପାଇଁ ଲୋୟରପିଏମ୍‌ଜିକୁ ଆସୁଛନ୍ତି। କିନ୍ତୁ ଏହା ପୂର୍ବରୁ ସେମାନଙ୍କ ର‍୍ୟାଲି ରେଳଷ୍ଟସନ୍‌, ରାମମନ୍ଦିର କିମ୍ବା ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରୁଛି। ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଅବରୋଧ କରି ଲୋୟରପିଏମ୍‌ଜି ଆଡ଼େ ମୁହାଁଉଛନ୍ତି। ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ଓ ସ୍ମାର୍ଟସିଟିର କାମ ଯୋଗୁ ଜନପଥର ଉଭୟ ପାର୍ଶ୍ୱରେ ଖୋଳା ଯାଇଥିବା ଗର୍ତ ଜନପଥର ଜାମ୍‌ର ମୁଖ୍ୟ କାରଣ ପାଲଟି ଯାଇଛି।

ବେଳେବେଳେ ଏଭଳି ହେଉଛି ରେଳଷ୍ଟେସନ୍‌ରୁ ମାଷ୍ଟରକ୍ୟାଣ୍ଟିନ୍‌ ହୋଇ ଲୋୟରପିଏମ୍‌ଜି ଆସୁଥିବା ର‍୍ୟାଲି ଘଣ୍ଟାଘଣ୍ଟା ସମୟ ନେଉଛନ୍ତି। ଫଳରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତା ଠପ୍‌ ହୋଇ ଯାଉଛି। ଲୋକ ଅଶୋକନଗର, ୟୁନିଟ-୨, ୟୁନିଟ-୩, ମାଳିସାହି ପଟ ଗଳିକନ୍ଦିରେ କାର, ବାଇକ୍‌ ଭର୍ତି କରି ଯାତାୟାତ କରୁଛନ୍ତି। ବଡ଼ କଥା ହେଉଛନ୍ତି, ଏହି ସଂଗଠନଗୁଡ଼ିକ ର‍୍ୟାଲି ରେଳଷ୍ଟେସନ୍‌ରୁ ବାହାରି ଲୋୟରପିଏମ୍‌ଜି ଯାଉଥିବାବେଳେ ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି। ଅନ୍ୟ ସାଧାରଣ ଲୋକଙ୍କୁ ପୁଲିସ ଏହି ସମୟରେ ଯିବାକୁ ମଧ୍ୟ ଛାଡ଼ୁନାହିଁ। ଓଲଟି ପୁଲିସ ସାଧାରଣ ଲୋକଙ୍କୁ ଏଭଳି ବ୍ୟବହାର କରୁଛି ଯେମିତି ସେହି ରାସ୍ତା କେବଳ ପୁଲିସ ଓ ଆନ୍ଦୋଳନକାରୀଙ୍କର।

ଆଜି ଜନପଥରେ ଏଭଳି ଚିତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖା ଯାଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଯେଉଁ ଆଡ଼କୁ ଦେଖିଲେ ଖାଲି ଗାଡ଼ି ପଛକୁ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲା। ଏପେଟ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ଓ ସେପଟେ ରାଜମହଲ ପର୍ଯ୍ୟନ୍ତ ରାସ୍ତା ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଗାଡ଼ି ପାଦେ ଗଡ଼ିବା ତ ଦୂରର କଥା ଚାଲିବା ପାଇଁ ବି ବାଟ ନଥିଲା। ଲୋକମାନେ ଶହେ ମିଟର ରାସ୍ତା ଅତିକ୍ରମ ପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା କସରତ କରୁଥିଲେ। ପଛକୁ ବି ଫେରିବାକୁ ବାଟ ଦିଶୁ ନଥାଏ। ଖରା ସାଙ୍ଗକୁୁ ଗୁଳୁଗୁଳି। ଏଭଳି ପରିସ୍ଥିତିରେ ଲୋକ ଲମ୍ବାଲାଇନ୍‌ରେ ଗାଡ଼ି ଧରି ଠିଆ ହୋଇ ହନ୍ତସନ୍ତ ହେଉଥିବା ଦେଖାଯାଇଥିଲା। ଜାମ୍‌ରୁ ବର୍ତ୍ତିବା ପାଇଁ ସମସ୍ତେ ବାଟ ଖୋଜୁଥିଲେ। ଯିଏ ଜୁଆଡ଼େ ପାରୁଥିଲା ପଶୁଥିଲା। ପୂର୍ବାହ୍ଣ ୧୦ଟାରୁ ଅପରାହ୍‌ଣ ସାଢ଼େ୨ଟା ପର୍ଯ୍ୟନ୍ତ ଏଭଳି ଜାମ୍‌ ଲାଗି ରହିଥିଲା। ପାଖାପାଖି ସାଢ଼େ ୪ ଘଣ୍ଟାକାଳ ଲୋକେ ଜାମ୍‌ରେ ଫସି ରହିଥିଲେ। ଏହା ଯେ, କେବଳ ଆଜିର ସ୍ଥିତି ତାହା ନୁହେଁ ର‍୍ୟାଲି ଧାରଣା ଯୋଗୁଁ ଅଧିକାଂଶ ସମୟ ଲୋକମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ କହିଛନ୍ତି। ଲୋୟରପିଏମ୍‌ଜିରୁ ଆନ୍ଦୋଳନସ୍ଥଳ ହଟାଇବାକୁ ସେମାନେ ଦାବି ମଧ୍ୟ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ରାଜ୍ୟ ସରକାର, ପୁଲିସ ଆନ୍ଦୋନକାରୀଙ୍କୁ ଏଭଳି ବିକ୍ଷୋଭ, ର‍୍ୟାଲି, ଆନ୍ଦୋଳନ କରିବାକୁ ଅନୁମତି ଦେବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ର‍୍ୟାଲି ପାଇଁ ସବୁବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଜାମ୍‌ ହେଉଛି। ବହୁ ସଖ୍ୟାରେ ଲୋକଙ୍କୁ ପୁଲିସ କଣ୍ଟ୍ରୋଲ କରିବା ବି ସମ୍ଭବ ହେଉନି। ଫଳରେ ଆମେମାନେ ଏହାର ଦଶା ଭୋଗୁଛି। କାରଣ ବହି କିଣିବା ପାଇଁ ପଦ୍ମାଳୟା ଯାଉଥିଲି। ଘଣ୍ଟାଏ ତଳୁ ରାଜମହଲରୁ ବାହାରିଲିଣି। ହେଲେ ଏପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନରେ ବି ପହଞ୍ଚିନି। ଫେରିବାକୁ ଚାହିଁଲେ ବି ଫେରିପାରୁନି। ମାଷ୍ଟରକ୍ୟାଣ୍ଟିନ ଛକରେ ରାଲି ନକରି କେବଳ ପିଏମ୍‌ଜିରେ ରାଲି ପାଇଁ ଅନୁମତି ଦିଅନ୍ତୁ।
ବାଦଲ କୁମାର ସାହୁ

ଆଜି ତ ଅସମ୍ଭବ ପ୍ରକାର ଜାମ୍‌ ହୋଇଛି। ମୁଁ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ରୁ ଅଧଘଣ୍ଟାଏ ହେବ ବାହାରିଲିଣି। ହେଲେ ୧୦ ମିଟର ଆଗକୁ ଯାଇ ପାରିନି। ଏଠାରେ ର‍୍ୟାଲିକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ନଚେତ୍‌ ଆଗାମୀ ଦିନରେ ମଧ୍ୟ ସମାନ ପରିସ୍ଥିତି ହେବ।
ଧନୁର୍ଦ୍ଧର ପ୍ରଧାନ, ଛାତ୍ର

ର‍୍ୟାଲି ଧାରଣାକୁ ଲୋୟର ପିଏମ୍‌ଜି ବଦଳରେ ଅନ୍ୟ କେଉଁ ସ୍ଥାନରେ କରନ୍ତୁ। ତାହା ହେଲେ ଏଭଳି ଜାମ୍‌କୁ ଏଡ଼ାଇ ଦିଆ ଯାଇପାରିବ। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ।
ଗୋବିନ୍ଦ ପରିଡ଼ା

ରାସ୍ତା ଖୋଳିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀର ସବୁ ରାସ୍ତାକୁ ଖୋଳି ଦିଆଯାଇଛି। ଫଳରେ ରାସ୍ତା ଅଣ ଓସାରିଆ ହୋଇଯାଇଛି। ଆଉ ଯେତିକି ରାସ୍ତା ଅଛି ସେଥିରେ ଆନ୍ଦୋଳନକାରୀ ର‍୍ୟାଲି କଲାବେଳକୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି।
ସୌମ୍ୟରଞ୍ଜନ ପ୍ରଧାନ

ମାଷ୍ଟରକ୍ୟାଣ୍ଟିନ୍‌ରେ ଜାମ୍‌ ହେବା ଆଜି କାଲିର ଘଟଣା ନୁହେଁ। ବର୍ଷ ବର୍ଷ ହେବ ର‍୍ୟାଲି ଧାରଣା ଯୋଗୁଁ ରାସ୍ତାରେ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ଯଦି ଏଠାରେ ଓଭରବ୍ରିଜ୍‌ କରାଯାଆନ୍ତା ତେବେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା।
ମଳୟ ରଂଜନ ତ୍ରିପାଠୀ

ସମ୍ବନ୍ଧିତ ଖବର