ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ, ୨୨ରେ ବିଧାନସଭା ଘେରାଉ

ଭୁବନେଶ୍ୱର : ନୋଟିସ୍‌ ନ ଦେଇ ବଳପୂର୍ବକ ବସ୍ତି ଭଙ୍ଗା ଯିବା ପ୍ରତିବାଦରେ ଆସନ୍ତା ୨୨ ତାରିଖରେ ସାଲିଆ ସାହି ଆଞ୍ଚଳିକ କମିଟି ବିଧାନସଭା ଘେରାଉ କରିବ। ଆଜି ଲୋହିଆ ଏକାଡେମି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌‌ରେ କମିଟିର ଜୟଦେବ ନାୟକ ଏପରି ଚେତାବନୀ ଦେଇଛନ୍ତି। ସେହି ଜାଗାରେ ୬ଶହ ବର୍ଗଫୁଟ୍‌ର ଜମି ପ୍ରଦାନ ନ କରିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବସ୍ତି ଉଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ତେବେ ସାଲିଆସାହି ବାସିନ୍ଦାଙ୍କ ସମୂହ ସ୍ବାର୍ଥ ଦୃଷ୍ଟିରୁ ସରକାର ଯଦି ସେମାନଙ୍କ ଦାବି ପୂରଣ କରନ୍ତି, ତେବେ କମିଟି ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଯିବ ବୋଲି ସେ କହିଛନ୍ତି।

କମିଟିର ଅଭିଯୋଗ ହେଲା, ୧୯୯୪ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାଲିଆସାହି ବାସିନ୍ଦାଙ୍କୁ ସେହି ଜାଗାରେ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନର ସରକାର ମଧ୍ୟ ସାଲିଆ ସାହିକୁ ‘ଟେନେବୁଲ’ ଘୋଷଣା କରିବା ସହ ଏଠାରେ ହିଁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତା’ ଛଡ଼ା ବଳପୂର୍ବକ ବସ୍ତି ଉଚ୍ଛେଦ ନ କରିବାକୁ ୨୦୧୦ ମସିହାରୁ ହାଇକୋର୍ଟଙ୍କ ଆଦେଶ ରହିଛି। ଏସବୁ ସତ୍ତ୍ବେ ରାସ୍ତା ନିର୍ମାଣ ଆଳରେ ବଳପୂର୍ବକ ବସ୍ତି ଉଚ୍ଛେଦ ପାଇଁ ଚେଷ୍ଟା କରାଯାଉଛି। ତେଣୁ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିବରାମ, ସାଲ ମାରାଣ୍ଡି, ଅଞ୍ଜନ ନାଥ, ନାରାୟଣ ଲେଙ୍କା, ରଘୁନାଥ ନାଥ, ଉମେଶ ଦାସ, ଅନାଦି ପାତ୍ର, ମହେଶ୍ବର ବେହେରା, ବାସୁଦେବ ଦାସ, ବିନ ସ୍ବାଇଁ, ପ୍ରମିଳା ବେହେରା, ମନୋହର ମୁର୍ମୁ, ରଜନୀ ପ୍ରଧାନ, ମାଳତି ହେମ୍ବ୍ରମ୍‌, ଫୁଲରାଣୀ ପାତ୍ର, ସୁର ନାୟକ, ଆନନ୍ଦ ପ୍ରଧାନ, ନିରାକାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବସ୍ତି ଉଚ୍ଛେଦକୁ ବିରୋଧ କରିବା ପାଇଁ ମହିଳାମାନଙ୍କୁ ନେଇ ‘ସାଲିଆ ସାହି ମହିଳା ପ୍ରତିରୋଧ ମଞ୍ଚ’ ଗଠନ ହୋଇଥିବା ବେଳେ ଯୁବକ ଓ ଛାତ୍ରମାନଙ୍କୁ ନେଇ ‘ସାଲିଆ ସାହି ଯୁବ-ଛାତ୍ର ପ୍ରତିରୋଧ ମଞ୍ଚ’ ଗଠନ ହୋଇଛି। ଏମାନଙ୍କୁ ନେଇ ଆସନ୍ତାକାଲି ଲକ୍ଷ୍ମୀପୁର ସାନ୍ତାଳ ବସ୍ତି‌‌‌ରେ ଏକ ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର