ସରକାରଙ୍କ ମଦ ନୀତି ବିରୋଧରେ ବିକ୍ଷୋଭ

ଭୁବନେଶ୍ବର : ୬୦ ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ ସରକାରଙ୍କର ନୂତନ ମଦ ହୋମ ଡେଲିଭରି ଆଦେଶକୁ ‘ମିଳିତ ଓଡ଼ିଶା ନିଶା ନିବାରଣ ଏବଂ ସମ୍ଭବ’ର ସଦସ୍ୟମାନଙ୍କ ପକ୍ଷରୁ ବି‌ରୋଧ ପ୍ରଦର୍ଶନ କରାଯାଇଛି। ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍‌ ଠାରେ ଏହା ବିରୋଧରେ ପ୍ରତୀକାତ୍ମକ ବିକ୍ଷୋଭ କରାଯାଇଥିଲା। ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ସମାଜରେ ମଦୁଆଙ୍କ ଉତ୍‌ପାତ ନ ଥିଲା ଓ ଲୋକ ବେଶ ଶାନ୍ତିରେ ଥିଲେ। ଏଣୁ ମଦକୁ ଯେ ସମ୍ପୂର୍ଣ୍ଣ ବନ୍ଦ କଲେ ଅବସ୍ଥା ଅସମ୍ଭ‌ାଳ ହେବ ତାହା ଭୁଲ କଥା। ଏହି ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣର ସଭାପତି ପଦ୍ମଚରଣ ନାୟକ କହିଲେ, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ‘ମଦମୁକ୍ତ ଭାରତ’ ସ୍ବପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା। ତାହା ନ କରି ସରକାର ଏବେ ଘରେ ଘରେ ମଦ ଯୋଗାଇ ଦେବାର ବ୍ୟବସ୍ଥା କରିଦେଲେ। ମଦ ସବୁ ପ୍ରକାରର ହିଂସା ଅପରାଧ ବଢ଼ାଇଥାଏ। ସରକାର ସେ ଦିଗରେ କିଛି ପଦକ୍ଷେପ ନ ନେଇ ଭାରତୀୟ ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ିବା ପ୍ରସ୍ତାବ ଦେଇ ନବୀନ ବାବୁ ଗାନ୍ଧିଜୀଙ୍କ ପ୍ରତି ସଠତା କରିଛନ୍ତି। ସରକାରଙ୍କର ବଅଁଶ ବୁଡ଼ା ଅବକାରୀ ନୀତି ବିରୋଧରେ ଜନସାଧାରଣ ସ୍ବର ଉତ୍ତୋଳନ କରିବା ଉଚିତ।

ସମ୍ବନ୍ଧିତ ଖବର