ଖେଳପଡ଼ିଆରେ ଟାୱାର ନିର୍ମାଣକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ୟୁନିଟ-୬ ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ କଡ଼ରେ ନିର୍ମାଣ ହେଉଛି ମୋବାଇଲ ଟାୱାର। ସ୍କୁଲ ଠାରୁ ୫୫ ମିଟର ଦୂରତା ମଧ୍ୟରେ ମୋବାଇଲ ଟାୱାର ନିର୍ମାଣ ନିଷିଦ୍ଧ ଥିବାବେଳେ। ଏହାଠାରୁ କମ୍‌ ଦୂରତାରେ ଏହି ଟାୱାର ନିର୍ମାଣ ହେଉଛି। ଏ ନେଇ ଶତାଧିକ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପଡ଼ିଆ କଡ଼ରେ ଟାୱାର ନିର୍ମାଣ ହେଉଥିବାରୁ ପ୍ରତ୍ୟେକ ମୁହୂର୍ତ୍ତରେ ଏହା ବିପଦ ସୃଷ୍ଟି କରିବ। ଏହା ସହିତ ଖେଳପଡ଼ିଆ ମଧ୍ୟ ସଙ୍କୁଚିତ ହେବ। ଏଣୁ ଏହାର ନିର୍ମାଣ ବନ୍ଦ କରାଯାଉ ଓ ଭବିଷ୍ୟତରେ କୌଣସି ଟାୱାର ନିର୍ମାଣ ପାଇଁ ଅନୁମତି ଦିଆନଯାଉ ବୋଲି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେଠାରେ ଏକ ବିରାଟ ଗାତ ଖୋଳାଯାଇଛି। ଛାତ୍ରଛାତ୍ରୀମାନଙ୍କ ବିରୋଧ ଯୋଗୁ କାମ ବନ୍ଦ ରହିଛି। ତେବେ ସ୍କୁଲ ଛୁଟି ସମୟରେ ବା ଛୁଟି ପରେ କାମ ଚାଲିବ ବୋଲି ସେମାନେ ଆଶଙ୍କା କରିଛନ୍ତି।

ଟେଲିକମ୍‌ ନିର୍ଦେଶାଳୟ (ଡଟ୍‌)ର ଗାଇଡ୍‌ ଲାଇନ୍‌ ମୁତାବକ, ଟାୱାରରେ ଗୋଟିଏ ଆଣ୍ଟିନା ଥିଲେ ଏହା ଘରଠାରୁ ୨୦ ମିଟର ଦୂରରେ ରହିବାକୁ ନିୟମ ଥିବା ବେଳେ ଦୁଇଟି ଆଣ୍ଟିନା ଥିଲେ ୩୫ ମିଟର ଦୂର, ୪ଟି ଆଣ୍ଟିନା ଥିଲେ ୪୫ ମିଟର ଦୂର, ୬ଟି ଆଣ୍ଟିନା ଥିଲେ ୫୫ମିଟର ଦୂରରେ ରହିବ। ହେଲେ ଏହାକୁ କେହି ମାନୁନାହାନ୍ତି। ଅର୍ଥ ଲୋଭରେ ଅନେକେ ଘର ଉପରେ ଲଗାଉଥିବା ବେଳେ ସରକାରୀ ଜାଗାରେ ଏହା ମନଇଚ୍ଛା ଲାଗୁଛି। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବାଜିରେ ଲାଗିଛି। ଦୀର୍ଘ ଦିନ ଧରି ଏହି ବିକିରଣ ସଂଶସ୍ପର୍ଶରେ ରହିଲେ ଶିଶୁଙ୍କର ମାନସିକସ୍ତରରେ ଗଭୀର କ୍ଷତି ପହଞ୍ଚିବା ସହ କ୍ୟାନସର କରଣ ମଧ୍ୟ ହେଉଥିବା ପ୍ରମାଣ ରହିଛି। କେବଳ ଏହି ଉଚ୍ଚବିଦ୍ୟାଳୟ ନୁହେଁ, ରାଜଧାନୀର ବିଭିନ୍ନ ବିଦ୍ୟାଳୟକୁ ଲାଗି ଏଭଳି ଟାୱାର ବିପଦପୂର୍ଣ୍ଣ ଭାବରେ ରହିଛି। ପୁରୁଣାକୁ ସ୍ଥାନାନ୍ତର କରିବା‌ ନୂଆ ସ୍ଥାପନ ଅନୁମତି ଦିଆନଯିବାକୁ ଦାବି ହୋଇଛି। ଏନେଇ କେବଳ ଛାତ୍ରଛାତ୍ରୀ ନୁହନ୍ତି, ସ୍ଥାନୀୟ ବାସିନ୍ଦାଙ୍କ ସମତେ ଅଭିଭାବକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର