ଭୁବନେଶ୍ୱର : ଦେଶରୁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପାଇଁ ସାଧାରଣ ବର୍ଗ ସମ୍ମିଳନୀ, ଅଖିଳ ଭାରତୀୟ ସମାନତା ମଞ୍ଚ, ଇଣ୍ଡିଆ ଏଗନେଷ୍ଟ ରିଜର୍ଭସେନ ପ୍ରମୁଖ ସଂଗଠନ ପକ୍ଷରୁ ଆଜି ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ବର୍ଗ ସମ୍ମିଳନୀର ରାଜ୍ୟ ଆବାହକ ମିଲନ ପ୍ରଧାନ କହିଛନ୍ତି, ସ୍ୱାଧୀନତାର ସତୁରି ବର୍ଷ ପରେ ମଧ୍ୟ ସାଧାରଣ ବର୍ଗର ଲୋକ ଜାତି କୋଟାର ଜଞ୍ଜିର ଦ୍ୱାରା ବନ୍ଧା ହୋଇ ପରାଧୀନ ଅଛନ୍ତି। ପ୍ରଧାନମନ୍ତ୍ରୀ ବିଦେଶ ଭ୍ରମଣ କରି କେଉଁଠୁ ବୈଷୟକ ଜ୍ଞାନକୌଶଳ ତ ଆଉ କେଉଁଠୁ ପୁଞ୍ଜି ଆଣି ଦେଶର ବିକାଶ କରିବା ପାଇଁ ସ୍ୱପ୍ନ ଦେଖାଉଛନ୍ତି। କିନ୍ତୁ ଦେଶ ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ଜାତି ଭିତ୍ତିକ ସଂରକ୍ଷଣ ନେଇ ମୁହଁ ଖୋଲୁ ନାହାନ୍ତି। ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା କାରଣରୁ ଅଯୋଗ୍ୟ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ବେଳେ ଯୋଗ୍ୟ ଲୋକମାନେ ଅବହେଳାର ଶିକାର ହେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଜାତି ବଦଳରେ ଯୋଗ୍ୟତା ଭିତ୍ତିରେ ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଉ। ଆଜାଦ ମଞ୍ଚର ରାଷ୍ଟ୍ରୀୟ ସମ୍ପାଦିକା ସ୍ୱାଗତିକା ପତି, ଅଂଶୁମାନ ଦାସ, ଅଖିଳ ଭାରତୀୟ ସମାନତା ମଞ୍ଚର ଓଡ଼ିଶା ମୁଖ୍ୟ ଭାଗୀରଥି ମହାସୁଆର ପ୍ରମୁଖ ଏହି ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ ନେଇ ବକ୍ତବ୍ୟ ରଖିଥିଲେ। ଯୁବସମାଜସେବୀ ତାରିଣୀ ପ୍ରସାଦ ସାହୁ, ସୂରଜ କୁମାର ମହାନ୍ତି, ସୁକାନ୍ତି ମହାନ୍ତି, ବନଜାବାସିନୀ ତ୍ରିପାଠୀ, ଦୀନବନ୍ଧୁ ଷଡ଼ଙ୍ଗୀ, ନିରଞ୍ଜନ ସାହୁ, ଦିଲ୍ଲୀପ ମେଣ୍ଡୁଳି, ଲକ୍ଷ୍ମୀକାନ୍ତ ନାୟକ ଓ ସମ୍ବିତ ମହାନ୍ତିି ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।