୭ ଦଫା ଦାବି ନେଇ ଓଡ଼ିଶା ଆଶାସାଥୀ ସଂଘର ବିକ୍ଷୋଭ

ଭୁବନେଶ୍ବର: ୭ ଦଫା ଦାବି ନେଇ ଆଜି ଓଡ଼ିଶା ଆଶାସାଥୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଆଇଟିୟୁ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଆଶାସାଥୀ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର୍‌ ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଧାରଣାରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ତେବେ ଏ ସଂପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ଉଠିଥିଲେ। ଦାବିଗୁଡ଼ିକ ମଧ୍ୟରେ ଆଶାସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ମାସିକ ଦରମା ସର୍ବନିମ୍ନ ୧୮ ହଜାର ଟଙ୍କା ପ୍ରଦାନ କରିବା, ସାମାଜିକ ସୁରକ୍ଷା, ଡ୍ରେସ୍‌, ମୋବାଇଲ୍‌ ପ୍ରଦାନ କରିବା ଆଦି ପ୍ରମୁଖ ରହିଛି। ଯଦି ସରକାର ଦାବିଗୁଡ଼ିକ ଉପରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନ ନଅନ୍ତି, ଆଗାମୀ ଦିନରେ ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଖାଲି ସେତିକି ନୁହେଁ, ଆସନ୍ତା ଜାନୁଆରି ୮ ଓ ୯ ତାରିଖରେ ଦୁଇଦିନିଆ ସାଧାରଣ ଧର୍ମଘଟ ପାଇଁ ମଧ୍ୟ ଯୋଜନା କରିଛି। ଆଜିର ଏହି ଆନ୍ଦୋଳନରେ ସଂଘ ସଭାପତି ଜନାର୍ଦ୍ଦନ ପତି, ସିଆଇଟିୟୁ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ବନବାସୀ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର