ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର,: ପେଟ୍ରୋଲ ଓ ଡିଜେଲର ବର୍ଧିତ ଦରରେ ଜନସାଧାରଣ ସନ୍ତୁଳି ହେଉଥିବା ବେଳେ ଏବେ କେନ୍ଦ୍ର ସରକାର ହାଣ୍ଡିଶାଳ ଉପରେ ଆକ୍ରମଣ କରିଛନ୍ତି। ଅଣସବସିଡି ଏଲପିଜି ସିଲିଣ୍ଡର ଦର ୪୮ ଟଙ୍କା ଓ ସବସିଡି ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨ଟଙ୍କା ୩୪ ପଇସା ବୃଦ୍ଧି କରିବା ଏକ ଅପରିଣାମଦର୍ଶୀ ପଦକ୍ଷେପ। ‘ଉଜ୍ଜ୍ୱଳା ଯୋଜନା’ରେ ଦେଶର ମହିଳାମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇବା ପରେ ଏବେ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରି ସରକାର ହିତାଧିକାରୀଙ୍କୁ ଏପରି ଉପହାସ କରିଛନ୍ତି। ଏପରି ଅଭିଯୋଗ କରି ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଶତାଧିକ ମହିଳା ସଦସ୍ୟ ଓ କର୍ମକର୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ ଦେବା ସହ ପ୍ରତିବାଦ ଜଣାଇଥିଲେ। ମହିଳା ବିଜେଡିର ଏକ ର‍୍ୟାଲି ରାଜମହଲ ଛକରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍‌ରେ ପହଞ୍ଚିବା ପରେ ସେଠାରେ ପଥପ୍ରାନ୍ତ ସଭା କରାଯାଇଥିଲା। ଦରବୃଦ୍ଧିକୁ ପ୍ରତ୍ୟାହାର କରାନଗଲେ ଏହାର ପ୍ରତିବାଦରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ, ସଂଯୁକ୍ତା ମହଲ, ସୁନନ୍ଦା ଶତପଥୀ, ମହାମାୟା ସ୍ୱାଇଁ, ପ୍ରୀତିନନ୍ଦା ରାଉତରାୟ, ଦଳର ମୁଖପାତ୍ର ସୁଲୋଚନା ଦାସ, ମେୟର ଅନନ୍ତ ନାରାୟଣ ଜେନା, ସାଧାରଣ ସଂପାଦକ ସରଳା ସ୍ୱାଇଁ, ଡେପୁଟି ମେୟର କେ. ଶାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ସଂଯୁକ୍ତା ମହାନ୍ତି, କର୍ପୋରେଟର୍‌ ମାନସୀ ସୁନ୍ଦରାୟ, ଝୁନୁବାଳା ଦେଇ, ବାସନ୍ତୀ ସିଂହ, ପ୍ରଣତି ନାୟକ, ମମତା ସାହୁ, ବିନୟିନୀ ଜେନା, ବନ୍ଦନା ସାହୁ, ରାଜଲକ୍ଷ୍ମୀ ନାୟକ, ପୁଷ୍ପାଞ୍ଜଳି ସେଠୀ, ସୁସ୍ମିତା ଦାସ, ଭାନୁପ୍ରିୟା ଦାସ, ଗାୟତ୍ରୀ ଲେଙ୍କା, ରଞ୍ଜୁଲତା ରାୟ, ପୁଷ୍ପା ଦାସ, ମୋନାଲିସା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମୋଦି ଓ ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ପୋଡ଼ିଲା କଂଗ୍ରେସ
ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ହାତରେ ସିଲିଣ୍ଡର୍‌ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଲୋକମାନଙ୍କୁ ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ ମୋଦି ସରକାର ଲୁଟ୍‌ କରି ଚାଲିଛି। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ଉପରେ କେନ୍ଦ୍ର ସରକାର ନିୟନ୍ତ୍ରଣ ହରାଇଥିବା ବେଳେ ଆଜି ପୁଣି ଗ୍ୟାସ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ହରାଇଛନ୍ତି। ଯଦି ୨୪ ଘଣ୍ଟା ମଧ୍ୟରେ ଗ୍ୟାସ ଦର ବୃଦ୍ଧିକୁ ପ୍ରତ୍ୟାହାର କରାନଯାଏ, ତେବେ ପ୍ରଦେଶ କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ କହିଛନ୍ତି। ଆଜିର ଏହି ଆନ୍ଦୋଳନରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଅନନ୍ତ ସେଠୀ, ମନୋରଞ୍ଜନ ଦାଶ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର