ସାମ୍ବାଦିକ ସୁରକ୍ଷା ଦାବିରେ ୮ରେ ବିଧାନସଭା ଘେରାଉ

ପୁରୁଣା ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ତେଣୁ ଚଳିତ ବଜେଟ୍‌ ଅଧିବେଶନରେ ବିଧାନସଭା ଘେରାଉ କରାଯିବ ବୋଲି ଉତ୍କଳ ସାମ୍ବାଦିକ ସଂଘ ଚେତାବନୀ ଦେଇଛି। ଆସନ୍ତା ୮ ତାରିଖରେ ଗାନ୍ଧୀ ମାର୍ଗଠାରେ ସାମ୍ବାଦିକମାନେ ସମୂହ ଧାରଣା ଦେବେ ବୋଲି ଆଜି ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ବିକ୍ଷୋଭରେ ସାମ୍ବାଦିକମାନଙ୍କୁ ୧୦ହଜାର ଟଙ୍କା ମାସିକ ଭତ୍ତା ଦେବା ପାଇଁ ଅତୀତର ଦାବି ସଂଘ ଦୋହରାଇବ। ବିକ୍ଷୋଭରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୫ ଶହରୁ ଊର୍ଧ୍ବ କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ଅନେକ ବରିଷ୍ଠ ସାମ୍ବାଦିକ ସାମିଲ୍ ହେବେ। ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି। ଆଜି ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଭୁବନେଶ୍ୱର ଜିଲ୍ଲା ସମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରାଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର