ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

ବାଣୀବିହାର ଛକରେ ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା

ଭୁବନେଶ୍ୱର : ବୁଧବାର ଅପରାହ୍ଣ ସାଢ଼େ ୧ଟା ସମୟରେ ବୁଲୁ ଭୋଇ ନାମକ ଜଣେ ଯୁବକଙ୍କୁ ବାଣୀବିହାର ଟ୍ରାଫିକ୍‌ ନିକଟରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି ବୁଲୁଙ୍କ ପରିବାର ଓ ସାଙ୍ଗସାଥୀମାନେ ସହିଦନଗର ଥାନା ସମ୍ମୁଖରେ ଧାରଣାରେ ବସିଥିିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଇତି ମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। ଅଭିଯୁକ୍ତମାନେ ଭୁବନେଶ୍ୱରରେ ଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ୍‌ ରହୁଛି। କାହା ଚାପରେ ପୁଲିସ ସେମାନଙ୍କୁ ଗିରଫ କରୁନାହିଁ ବୋଲି ବୁଲୁଙ୍କ ପରିବାର ଲୋକ ପ୍ରଶ୍ନ କରିଛନ୍ତି।

ପ୍ରକାଶ ଥାଉ କି, ଭିଏସ୍‌ଏସ୍‌ନଗର ସ୍ଥିତ ଏକ ସ୍କୁଲ୍‌ର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଛାତ୍ରୀଙ୍କୁ ନେଇ ସ୍କୁଲର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁବତୀଙ୍କୁ ଭଲ ପାଉଥିବା ଯୁବକଙ୍କୁ କେତେକ ଛାତ୍ର ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଫୋନ ପାଇବା ମାତ୍ରେ ୪ଟି ବାଇକ୍‌ରେ ୧୦ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ପହଞ୍ଚିଥିଲେ। ସେହିପରି ଅନ୍ୟଗୋଷ୍ଠୀର ଛାତ୍ରମାନେ ବୁଲୁଙ୍କୁ ଫୋନ୍‌କରି ଜଣାଇଥିଲେ। ବୁଲୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ଜଟିଳ ହେବାରୁ ବୁଲୁ ସହିଦନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିଲେ। ତେବେ ଦୁର୍ବୃତ୍ତମାନେ ୪ଟି ବାଇକ୍‌ରେ ବୁଲୁଙ୍କୁ ପିଛା କରି ବାଣୀବିହାର ଛକ ପର୍ଯ୍ୟନ୍ତ ଆସିଥିଲେ। ଠିକ ବାଣୀବିହାର ଟ୍ରାଫିକ୍‌ର ୧୦ ମିଟର ପୂର୍ବରୁ ସେଠାରେ ଥିବା ମା’ ମଙ୍ଗଳା ହୋଟେଲ୍‌ ସମ୍ମୁଖରେ ଦୁର୍ବୃତ୍ତମାନେ ବୁଲୁଙ୍କୁ ପଛରୁ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଲୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଏନେଇ ବୁଲୁଙ୍କ ଭାଇ ସିଲୁ ଭୋଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଗତ ୭ ତାରିଖରେ ୨ଜଣ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର