ବନ୍ଦର ଆଂଶିକ ପ୍ରଭାବ, ମଧ୍ୟାହ୍ନ ପରେ ସ୍ବାଭାବିକ

ଅଧା ବ୍ୟାଙ୍କ ଖୋଲିଲା, ଅଧା ଖୋଲିଲାନି, ୧୦ଘଣ୍ଟା ଦୋକାନବଜାର ବନ୍ଦ
ଭୁବନେଶ୍ବର: ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହୋଇଥିବା ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଆଂଶିକ ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଚାଷୀମାନେ ରାଜଧାନୀର କେତେକ ସ୍ଥାନରେ ଟାୟାର ଜାଳି, ପିକେଟିଂ କରି ରାସ୍ତା ବନ୍ଦ କରିଥିଲେ ହେଁ ମାତ୍ର କେଇ ଘଣ୍ଟା ଭିତରେ ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିନେଇଥିଲା। ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିଲେ ହେଁ ମଧ୍ୟାହ୍ନ ୧୨ଟା ବେଳକୁ ସବୁ ସ୍ବାଭାବିକ ହୋଇଯାଇଥିଲା।

ଆଜିର ବନ୍ଦ ପାଳନକୁ ବିଜେପି ଓ କଂଗ୍ରେସ ସମର୍ଥନ କରିଥିଲେ ହେଁ ଶାସକ ଦଳ ସମର୍ଥନ କରି ନଥିଲା। ଫଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ଖୋଲା ଥିଲା। ହେଲେ ସବୁଠି ଉପସ୍ଥାନ କମ୍‌ ଥିଲା। ଏପରିକି କେତେକ ବ୍ୟାଙ୍କ ‌ସମ୍ମୁଖରେ ଆନ୍ଦୋଳନକାରୀ ଧାରଣା ଦେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ପାଇଁ ବ୍ୟାଙ୍କ ବନ୍ଦ କରି ଭିତରେ କାମ କରିଥିଲେ। ଆଉ କିଛି ବ୍ୟାଙ୍କର କାର୍ଯ୍ୟ ସ୍ବାଭାବିକ ଥିଲା। ହେଲେ ଅନ୍ୟ ଦିନଗୁଡ଼ିକ ଭଳି ଭିଡ଼ ନଥିଲା। କିନ୍ତୁ ସମସ୍ତ ଦୋକାନ, ବଜାର ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବନ୍ଦ ଥିଲା। ବ୍ୟବସାୟୀମାନେ ଏହି ବନ୍ଦକୁ ସମର୍ଥନ କରି ଦୋକାନ ବଜାର ଖୋଲିନଥିଲେ। ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ବି ବହୁ କର୍ମଚାରୀ ଅନୁପସ୍ଥିତ ଥିଲେ। ସ୍କୁଲ, କଲେଜ ଖୋଲା ଥିଲେ ବି କାଳେ କିଛି ଅଘଟଣ ଘଟିବ ବୋଲି ବହୁ ଅଭିଭାବକ ପିଲାଙ୍କୁ ଛାଡ଼ି ନଥିଲେ। ସକାଳେ ରେଳ ଷ୍ଟେସନ, ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଓ ବିମାନବନ୍ଦରରେ ଯାତ୍ରୀମାନେ ଅଟୋ ଓ କ୍ୟାବ୍ ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲା ଥିବାବେଳେ କେତେକ ପେଟ୍ରୋଲ ପମ୍ପ ବନ୍ଦ ଥିଲା। ରାଜଧାନୀରେ ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇ ନଥିଲେ ହେଁ ଭୁବନେଶ୍ବର ଦେଇ ଅନ୍ୟ ସ୍ଥାନକୁ ଯାଉଥିବା ବସ୍‌ଗୁଡ଼ିକ ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ଥିଲା। ଅଟୋ ଓ ମୋ ବସ୍‌ ଚଳାଚଳ ଆଂଶିକ ପ୍ରଭାବିତ ହୋଇଥିଲା। ଆଜିର ବନ୍ଦ ସମୟରେ କୌଣସି ହିଂସାକାଣ୍ଡ ଘଟି ନଥିବାବେଳେ ଶତାଧିକ ଚାଷୀ ଗିରଫ ହୋଇଥିବା କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର