ବାରଙ୍ଗ: ଆସନ୍ତାକାଲି ସମଗ୍ର ବିଶ୍ୱରେ ବାଘ ଦିବସ ପାଳିତ ହେଉଛି। ନନ୍ଦନକାନନରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଇ ପର୍ଯ୍ୟଟକଙ୍କୁ ବ୍ୟାଘ୍ର ସଂରକ୍ଷଣ ନେଇ ସଚେତନ କରାଯିବ। ଏହା ମଧ୍ୟରେ ଧଳାବାଘ ପ୍ରଜନନ ଓ ସଂଖ୍ୟାବୃଦ୍ଧି ନେଇ ନନ୍ଦନକାନନ ସମଗ୍ର ବିଶ୍ୱରେ ଗୌରବ ଆଣିପାରିଛି। ସୂଚନା ଅନୁଯାୟୀ, ନନ୍ଦନକାନନରେ ୧୪୨ଟି ଧଳାବାଘ ଜନ୍ମ ନେଇଥିବା ବେଳେ ୧୦୩ ଜଣଙ୍କ ବିଭିନ୍ନ ସମୟରେ ମୃତ୍ୟୁ ହୋଇଛି। ନନ୍ଦନକାନନ ରେକର୍ଡ ଅନୁଯାୟୀ, ପ୍ରଥମେ ୧୯୭୭ ମସିହା ଡିସେମ୍ବର ୨୬ ତାରିଖରେ ହରି ଓ ଅସୀମା ନାମକ ୨ଟି ଧଳାବାଘଙ୍କୁ ଦିଲ୍ଲୀରୁ ଅଣାଯାଇଥିଲା। ଉଭୟଙ୍କ ମିଳନରୁ ୧୯୭୯ରେ ଫେବ୍ରୁଆରି ୨୮ରେ ଜନ୍ମ ନେଇଥିଲେ ଡାଏନା ଓ ଶୁଭ୍ରା। ନନ୍ଦନକାନନରେ ଧଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୮୮ ବେଳକୁ ୮ରେ ପହଞ୍ଚିଥିଲା। ଏପରିକି ନନ୍ଦନକାନନରୁ ଧଳାବାଘକୁ ଅନ୍ୟଦେଶକୁ ପଠାଇ ପ୍ରତିବଦଳରେ ଅନ୍ୟ ପ୍ରାଣୀଙ୍କୁ ଅଣାଯାଇଥିଲା। ପ୍ରଥମ କରି ୧୯୮୮ରେ ନନ୍ଦନକାନନର ଧଳା ବାଘୁଣୀ ସ୍ୱପ୍ନାକୁ ଜୟପୁର ଚିଡ଼ିଆଖାନାକୁ ପଠାଯାଇଥିଲା। ସେହିପରି ସେହିବର୍ଷ ଡିସେମ୍ବର ୨୯ରେ ଟେକ୍ସାସ୍କୁ ଧଳା ବାଘୁଣୀ ସିପ୍ରାକୁ ପଠାଯାଇଥିଲା। ସୂଚନା ଅନୁଯାୟୀ, ଆଜି ସୁଦ୍ଧା ନନ୍ଦନକାନନରେ ମୋଟ୍ ୧୪୨ଟି ଧଳାବାଘ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩ଟିଙ୍କର ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିବା ବେଳେ ୩୦ଟିଙ୍କୁ ଦେଶର ବିଭିନ୍ନ ଚିଡ଼ିଆଖାନାକୁ ପଠାଯାଇଛି। ବର୍ତମାନ ନନ୍ଦନକାନନରେ ସମ୍ରାଟ, ସ୍ନେହା, ବିଜୟା, ରାଗିଣୀ, ସ୍ନେହାଶିଷ, ଚିନୁ, ମୌସୁମୀ ଓ ସାହିଲ୍କୁ ମିଶାଇ ମୋଟ୍ ୮ଟି ଧଳାବାଘ ଅଛନ୍ତି। ଅନ୍ୟପକ୍ଷରେ ନନ୍ଦନକାନନରେ ଏବେ ମୋଟ୍ ୨୫ଟି ବାଘ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ଟି ସାଧାରଣ ରଙ୍ଗର, ୮ଟି ଧଳା ରଙ୍ଗର ଓ ଦୁଇଟି ବିରଳ କଳା ରଙ୍ଗର ବାଘ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନନ୍ଦନକାନନରେ ଥିବା ବାଘଙ୍କ ମଧ୍ୟରୁ ଧଳା ବାଘୁଣୀ ଶ୍ରେୟା ସର୍ବାଧିକ ୨୩ ବର୍ଷ ବଞ୍ଚି ରେକର୍ଡ କରିଛି। ବାଘକୁ ନେଇ ଅନ୍ୟ ସ୍ମରଣୀୟ ଘଟଣା ମଧ୍ୟରେ ୧୯୬୭ ରେ ଚନ୍ଦକାର ବାଘୁଣୀ ‘କାନନ’ ନନ୍ଦନକାନନର ରହୁଥିବା ମହାବାଘ ବାଘ ‘ପ୍ରଦୀପ’ ଖୁଆଡ଼ ମଧ୍ୟକୁ ଡେଇଁ ପଡ଼ିଥିଲା। ସେହିପରି ୨୦୧୩ ଜୁଲାଇ ମାସରେ ନନ୍ଦନକାନନକୁ ଅନୁପ୍ରବେଶ କରି ଧରାପଡ଼ିଥିଲା ‘ନନ୍ଦନ’। ୧୯୯୭ ମସିହାରେ ତ୍ରୁଟିପୂର୍ଣ୍ଣ ଟିକାକରଣ ଯୋଗୁଁ ଏକକାଳୀନ ୧୨ ବାଘଙ୍କ ମୃତ୍ୟୁ ହୋଇଥିଲା। ଧଳାବାଘ ‘ରାମ’ ଆକ୍ରମଣରେ ୧୯୯୯ମସିହାରେ ଜନ୍ତୁ ରକ୍ଷକ ଅନନ୍ତ ନାୟକଙ୍କ ମୃତ୍ୟୁ ହୋଇଥିଲା। ତେବେ ବିରଳ କଳା ରଙ୍ଗର ବାଘ କ୍ରିଷ୍ଣା ଓ ଧଳା ରଙ୍ଗର ସ୍ନେହାଶିଷ ନନ୍ଦନକାନନ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।