ଗାଡ଼ି କିଣିଲେ ବି ସଙ୍ଗେ ସଙ୍ଗେ ଘରକୁ ଆଣି ହେବନି
ଗାଡ଼ି ସହ ପଞ୍ଜୀକୃତ ନମ୍ବର ମିଳିବ, ନମ୍ବର ବିହୀନ ଗାଡ଼ି ଉପରେ ରୋକ୍ ଲାଗିବ
ଭୁବନେଶ୍ୱର: ଏଣିକି ସୋ’ ରୁମ୍ରୁ ଗାଡ଼ି କିଣିଲେ ସଙ୍ଗେ ସଙ୍ଗେ ଘରକୁ ଆଣିହେବନି। ଯେଉଁଦିନ ଗାଡ଼ି କିଣିବେ ତା’ ପରଦିନ ଘରକୁ ଆଣିବେ। ଗାଡ଼ି ସହ ପଞ୍ଜୀକୃତ ନମ୍ବର ବି ମିଳିଯିବ। ଯଦି ଚଏସ୍ ନମ୍ବର ପାଇବା ପାଇଁ ଆବେଦନ କରିଥିବେ ତେବେ ଅସ୍ଥାୟୀ ପଞ୍ଜୀକୃତ ନମ୍ବର ପାଇବା ପରେ ଘରକୁ ଗାଡ଼ି ଆଣିପାରିବେ। ନମ୍ବର ବିହୀନ ଗାଡ଼ି ଚଳାଚଳ ରୋକିବା ଏବଂ ଗାଡ଼ି ବିକ୍ରି କରୁଥିବା ଡିଲର୍ଙ୍କ ଉପରେ ରୋକ୍ ଲଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି। ଏନେଇ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନୋଟିସ୍ ଜାରି ହେବା ପରେ ବିନା ପଞ୍ଜୀକୃତ ନମ୍ବରରେ ଗ୍ରାହକଙ୍କୁ ଗାଡ଼ି ନଦେବାକୁ ଆରଟିଓମାନେ ଗାଡ଼ି ଡିଲର୍ମାନଙ୍କୁ ଚିଠି କରିଛନ୍ତି। ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ଚୋରା ଗାଡ଼ି, ନମ୍ବର ବିହୀନ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଇବା ଏବଂ ଠିକ୍ ସମୟରେ ଗ୍ରାହକଙ୍କୁ ସେମାନଙ୍କର ପଞ୍ଜୀକୃତ ନମ୍ବର ଦେବା ପାଇଁ ଆମ ଅଧୀନରେ ଥିବା ସମସ୍ତ ଗାଡ଼ି ସୋ’ରୁମ୍/ଡିଲରମାନଙ୍କୁ ବିନା ପଞ୍ଜୀକୃତ ନମ୍ବରରେ ଗାଡ଼ି ନ ବିକିବାକୁ ଚିଠି କରାଯାଇଛି। ଭୁବନେଶ୍ୱର ଆରଟିଓ ପ୍ରଦୀପ କୁମାର ମହାନ୍ତିଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୨ର ଧାରା ୪୨ ଅନୁଯାୟୀ, ଗାଡ଼ି ଡିଲର୍ମାନେ ବିନା ପଞ୍ଜୀକୃତ ନମ୍ବରରେ ଗ୍ରାହକଙ୍କୁ ଗାଡ଼ି ବିକ୍ରି କରିପାରିବେନି। କିନ୍ତୁ ଏହି ନିୟମ କଡ଼ାକଡ଼ି ଲାଗୁ ହେଉନଥିଲା। ଡିଲରମାନେ ଏହାର ଦୁରୁପଯୋଗ କରିବାରୁ ଏହାକୁ କଡ଼ାକଡ଼ି କରାଯାଇଛି। ଯେଉଁଦିନ ଗ୍ରାହକ ଗାଡ଼ି କିଣିବେ ତାହାର ଗୋଟେ ଦିନ ମଧ୍ୟରେ ଡିଲର୍ମାନେ ଆରଟିଓ କାର୍ଯ୍ୟାଳୟରେ ସମସ୍ତ ଟିକସ ଓ ପଞ୍ଜୀକରଣ ଫି’ ଜମା କରିବାକୁ ବାଧ୍ୟ। ଆରଟିଓରୁ ପଞ୍ଜୀକୃତ ନମ୍ବର ନେଇ ଗ୍ରାହକଙ୍କୁ ଗାଡ଼ି ଦେବେ। ଯଦି ଆରଟିଓରେ କିଛି ତ୍ରୁଟି ଥିବ ତେବେ ଅସ୍ଥାୟୀ ପଞ୍ଜୀକୃତ ନମ୍ବର ନେଇ ଡିଲର୍ ଗାଡ଼ି ଡେଲିଭରି କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ବହୁ ଡିଲର୍ ଗ୍ରାହକଙ୍କ ଠାରୁ ପଞ୍ଜୀକରଣ ଫି’, ବିଭିନ୍ନ ଟିକସ ଫି’ ରଖୁଥିଲେ ହେଁ ବହୁଦିନ ବ୍ୟବଧାନରେ ଆମ ନିକଟରେ ଜମା କରୁଛନ୍ତି। ଏହାଦ୍ୱାରା ଗ୍ରାହକମାନେ ନମ୍ବର ବିହୀନ ଗାଡ଼ି ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏପରିକି କେତେକ ସମୟରେ ଗାଡ଼ି ଦାମ୍ ହଠାତ୍ ବଢ଼ିଯାଉଥିବାବେଳେ ସେହି ଅନୁଯାୟୀ ଟିକସ ମଧ୍ୟ ବଢ଼ୁଛି। କିନ୍ତୁ ପୂର୍ବରୁ ଡିଲର୍ମାନେ ଗ୍ରାହକଙ୍କ ଠାରୁ ପୂର୍ବ ଦାମ୍ ତୁଳନାରେ ଟିକସ ରଖିଥିଲେ ହେଁ ଦାମ୍ ବଢ଼ିବା ପରେ ଜମା କରୁନାହାନ୍ତି। ଗ୍ରାହକଙ୍କୁ ଅଧିକ ଟିକସ ଜମା କରିବାକୁ କହୁଛନ୍ତି। ଯାହାଦ୍ୱାରା ଗାଡ଼ି କିଣୁଥିବା ବ୍ୟକ୍ତି ଅଯଥାରେ ହଇରାଣ ହେଉଛନ୍ତି। ତେଣୁ ମୋଟର ଯାନ ଆଇନ ୧୯୮୨ର ଧାରା ୪୨କୁ କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ନମ୍ବର ବିହୀନ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଇବା ପାଇଁ ନିୟମ କଡ଼ାକଡ଼ି ହେଲା। କମିସନରେଟ୍ ପୁଲିସ ଯଦି ନିୟମିତ ଯାଞ୍ଚ୍ କରି ନମ୍ବର ବିହୀନ ଗାଡ଼ିରୁ ଜରିମାନା ଆଦାୟ କରିବ ତେବେ ଗ୍ରାହକମାନେ ଅଧିକ ସଚେତନ ହେବେ। ଡିଲର୍ଙ୍କ ଠାରୁ ଗାଡ଼ି ସହ ପଞ୍ଜୀକୃତ ନମ୍ବର ଆଣିବେ।